• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଅହୋରାତ୍ର ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ

  • ଡାବୁଗାଁରେ ପ୍ରଧାନ ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ଅଡ଼ି ବସିଛନ୍ତି

  • ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ନବରଙ୍ଗପୁର : ପ୍ରଧାନ ଶିକ୍ଷକଙ୍କ ବଦଳି ଖବର ପାଇ ଭୋ ଭୋ ହୋଇ ବିଦ୍ୟାଳୟ ପରିସରରେ କାନ୍ଦିଛନ୍ତି ଛାତ୍ରଛାତ୍ରୀ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକରେ ଏପରି ଘଟଣା ଘଟିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଡାବୁଗାଁ ବ୍ଳକ ମେଦନା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିବାକର ବାରିକଙ୍କ ବଦଳି ରାଇଘର ବ୍ଲକକୁ କରାଯାଇଛି । ଏହାକୁ ବାତିଲ କରିବାକୁ ଦାବି କରି ସ୍କୁଲରେ ଭୋ ଭୋ ହୋଇ କାନ୍ଦିଛନ୍ତି ଛାତ୍ରଛାତ୍ରୀ ।

ନିଜର ଅତି ପ୍ରିୟ ପ୍ରଧାନ ଶିକ୍ଷକଙ୍କ ଅକସ୍ମାତ୍ ବଦଳି ଖବର ଶୁଣି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଛାତ୍ରଛାତ୍ରୀ । ଦୀର୍ଘ ବର୍ଷ ଧରି ପାଠ ପଢ଼ାଇବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଏକ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ । ହେଲେ ପ୍ରିୟ ଶିକ୍ଷକଙ୍କ ଅନ୍ୟତ୍ର ବଦଳି ପରେ ଭାବବିହ୍ୱଳ ହୋଇଯାଇଥିଲେ ଛାତ୍ରଛାତ୍ରୀ । ସାର୍ ଆମକୁ ଛାଡ଼ି ଯାଆନ୍ତୁ ନାହିଁ ବୋଲି କହି କାନ୍ଦି ଉଠିଥିଲେ । ଏପରି କାନ୍ଦିବା ଦେଖି ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟକୁ ଆସି ଛାତ୍ରଛାତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଯାହା ପରେ ବ୍ଲକ ଅଧ୍ୟକ୍ଷ, ସରପଞ୍ଚ, ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ ଆଜି ବିଇଓଙ୍କୁ ସମ୍ପୃକ୍ତ ଶିକ୍ଷକଙ୍କ ବଦଳି ଆଦେଶ ବାତିଲ ପାଇଁ ଦାବି କରିଛନ୍ତି।

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ରେ ସମାନ ଘଟଣା ଦେଖିବାକୁ ମିଳିଛି । ପ୍ରଧାନ ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଧାରଣା ଅହୋରାତ୍ର ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ରାଇଘର ବ୍ଲକର ଗୁଛାଗୁଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ ମହାରଣାଙ୍କ ଅନ୍ୟତ୍ର ବଦଳି ହୋଇଛି । କିନ୍ତୁ ତାଙ୍କ ବଦଳିକୁ ବିରୋଧ କରି ଛାତ୍ରଛାତ୍ରୀ ଏବଂ ଅଭିଭାବକ ସ୍କୁଲ ଆଗରେ ଧାରଣାରେ ବସିଛନ୍ତି । ଗ୍ରାମବାସୀ ଧାରଣା ଜାରି ରଖିଥିବା ବେଳେ ପ୍ରଧାନ ଶିକ୍ଷକଙ୍କ ବଦଳି ବାତିଲ୍ କରିବାକୁ ଦାବି କରିଛନ୍ତି ।