• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମଙ୍କିପକ୍ସ ପାଇଁ ସତର୍କତା । ମଙ୍କିପକ୍ସ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସବୁ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ବିଶେଷଜ୍ଞ ଡାକ୍ତରମାନଙ୍କୁ ସଚେତନ କରାଯିବା ସହିତ ଗାଇଡଲାଇନ ବିଷୟରେ ପୂର୍ବରୁ ଅବଗତ କରାଯାଇଥିବା କହିଛନ୍ତି, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର । ଓଡ଼ିଶାରେ ମଙ୍କିପକ୍ସ ଚିହ୍ନଟ ହୋଇନି, କିନ୍ତୁ କେନ୍ଦ୍ର ଦେଇଥିବା ଆଡଭାଇଜରି ଅନୁସାରେ ସରକାର ସତର୍କ ଅଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଏହାସହ ସେ କହିଛନ୍ତି, ଯେଉଁମାନେ ବାହାରୁ ଆସୁଛନ୍ତି ସେମାନଙ୍କ ଉପରେ ନଜର ରଖିବାକୁ ଜିଲ୍ଲାଗୁଡ଼ିକୁ ନିର୍ଦେଶ ଦିଆଯାଉଛି । ଯେଉଁମାନଙ୍କର ଲକ୍ଷଣ ଥିବ ସେମାନଙ୍କୁ କିଭଳି ପରୀକ୍ଷା କରାଯିବ ଏନେଇ ଆରଏମଆରସି ସହିତ ଆଲୋଚନା କରାଯାଇଛି । ଆରଏମଆରସି ସାମ୍ପୁଲ ଟେଷ୍ଟ କରିବାର ଦାୟିତ୍ୱ ନେଇଛି । ସାରା ଦେଶରେ ଆରଏମଆରସି ସମେତ ୧୫ଟି ସ୍ଥାନରେ ମଙ୍କିପକ୍ସ ପରୀକ୍ଷା କରାଯାଉଛି । ଏହାର ଲକ୍ଷଣ ସ୍ମଲ୍ ପସ୍କ ଭଳି ଯଦି ଏଭଳି ଲକ୍ଷଣ ଆସୁଛି, ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । 

ସେପଟେ ଭାରତ ସମେତ ୭୫ ଦେଶକୁ ବ୍ୟାପିଲାଣି ଏହି ସାଂଙ୍ଘାତିକ ଭୂତାଣୁ ।୧୬ ହଜାରରୁ ଅଧିକ ଏହା ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣଙ୍କର ଜୀବନ ଗଲାଣି । ଏହାକୁ ଦୃଷ୍ଟିରେ ରଖି ମଙ୍କିପକ୍ସକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍କଟ ବା ଓ୍ୱାଲର୍ଡ ହେଲ୍ଥ ଏମର୍ଜେନସି ଘୋଷଣା କରିଛି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ-WHO । ତେବେ କଣ ଏ ମଙ୍କିପକ୍ସ ? କଣ ଏହାର ଲକ୍ଷଣ ?

ମଙ୍କିପକ୍ସ ଭୂତାଣୁ କେରଳ ପରେ ଦିଲ୍ଲୀ ଛୁଇଁ ଥିବାରୁ ଏବେ ଭୟ ବଢିଛି । ତେଣୁ ଓଡ଼ିଶା ସମେତ ଅନ୍ୟ ରାଜ୍ୟକୁ ବି ଭୂତାଣୁ ବ୍ୟାପିବା ଆଶଙ୍କା ବଢିଯାଇଛି । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ, ଲୋକମାନେ ସତର୍କ ରହିଲେ, ସଂକ୍ରମଣକୁ ରୋକାଯାଇପାରିବ । ମଙ୍କିପକ୍ସ ହ୍ୟୁମାନ୍ କଣ୍ଟା ବା ରୋଗୀଙ୍କ ସଂସ୍ଫର୍ଶରେ ଆସିବା ଦ୍ୱାରା ବ୍ୟାପିଥାଏ । ରୋଗୀଙ୍କ ଦେହରେ ହୋଇଥିବା ଫୋଟକାରୁ ବାହାରୁଥିବା ପୁଜ, ଲୁହ ଓ ଲାଳ ଦ୍ୱାରା ଏହା ଅନ୍ୟ ଜଣଙ୍କୁ ସଂକ୍ରମିତ କରିଥାଏ । ସମଲିଙ୍ଗୀ ଯୌନ ସଂପର୍କ ଦ୍ୱାରା ଏହା ଦ୍ରୁତ ବେଗରେ ବ୍ୟାପୁଥିବା ନଜରକୁ ଆସିଛି । ତେଣୁ ଦିଲ୍ଲୀରୁ ନୂଆ ଆକ୍ରାନ୍ତ ଚିହ୍ନଟ ହେବାପରେ ତତ୍ପର ହୋଇଛନ୍ତି କେନ୍ଦ୍ର ସରକାର ।

 

 

OTV is now on Whatsapp

Join and get latest news update delivered to you via whatsapp

Join Now