Advertisment

କାହା ଛତ୍ରଛାୟା ତଳେ ଚାଲିଛି ? କେନାଲ ପୋତି ତିଆରି ହେଉଛି ଅଟ୍ଟାଳିକା

ଜଳାଶୟକୁ ପୋତି କିପରି ତିଆରି ହେଉଛି ଅଟ୍ଟାଳିକା ? ସରକାରୀ ରେକର୍ଡରେ କେମିତି ବଦଳିଗଲା କିସମ ? ରାଜନଗରର କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାଁରେ କିଭଳି ହେଲା ପଟ୍ଟା ?

author-image
Prangyan Parimita
ଅଦ୍ୟତନ ହୋଇଛି
jojana Ra Na Hariloot

jojana Ra Na Hariloot

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ତହସିଲରେ ବଡ଼ଧରଣର ସରକାରୀ ଜମି କେଳେଙ୍କାରୀ। ଗୋଟିଏ କି ଦୁଇ ଡିସିମିଲି ନୁହେଁ, ୯୦ ଡିସିମିଲିକୁ ଜାଲିଆତି କରି ଲୁଟ୍। ସରକାରୀ ଜମି ଓ ରାଜନଗର ଚାଷୀଙ୍କ ଜୀବନରେଖା କେନାଲକୁ କିଛି ପ୍ରଭାବଶାଳୀ ଓ ଭୂମିବାନ ଲୋକେ ନିଜକୁ ଭୂମିହୀନ ଦର୍ଶାଇ ସରକାରୀ ଜମି ହାତେଇଛନ୍ତି। ଆଇନକୁ ଦଳି ମକଚି କିପରି ଚାଷୀଙ୍କ ବ୍ୟବହାର ଯୋଗ୍ୟ କେନାଲକୁ ଭୂମିବାନ ଲୋକଙ୍କୁ ଟେକି ଦିଆଗଲା, ତାକୁ ନେଇ ପ୍ରଶ୍ନ ଉଠିଛି।

Advertisment

କେନାଲକୁ ପୋତିଦେଲେ । କେନାଲରେ ପୂର୍ବରୁ ପାଣି ଭରପୁର ଥିଲା। ଶତାଧିକ ଚାଷୀ ଚାଷକାର୍ଯ୍ୟରେ ବ୍ୟବହାର କରୁଥିଲେ। ହେଲେ ଏବେ କେନାଲକୁ ଜମି ମାଫିଆମାନେ ନିଜ କବଜାକୁ ନେଇ ସେଠାରେ ବଡ଼ ବଡ଼ କୋଠା ତିଆରି କରୁଛନ୍ତି। ଫଳରେ କେନାଲର ଅନ୍ୟ ଅଂଶକୁ ପାଣି ନିଷ୍କାସନ ହୋଇନପାରି ଶୁଖିଲା ପଡିଛି। ରାଜନଗର ହଂସୁଆ ନଦୀର ପାଣି ଏହି କେନାଲକୁ ଆସିଥାଏ। ବର୍ଷାଜଳର ଅଭାବ ବେଳେ ରାଜନଗର, ମହିଁଷାସୁର ଓ ମହୁଲିଆ ପଞ୍ଚାୟତର ଚାଷୀମାନେ ଏହି କେନାଲ ଉପରେ ନିର୍ଭର କରିଥାନ୍ତି। ମାତ୍ର ଏବେ ଏହା ଜମି ମାଫିଆଙ୍କ କବଜାକୁ ଚାଲିଯିବାରୁ ଏବର୍ଷ ଆଉ ଚାଷ କାର୍ଯ୍ୟ କରିହେବନି ବୋଲି ଚାଷୀଙ୍କ ମତ ।

କିଛି ପ୍ରଭାବଶାଳୀ ବ୍ୟକ୍ତି ଓ ଯାହାର ଜମି ରହିଛି, ସେମାନେ ନିଜକୁ ଭୂମିହୀନ ଦର୍ଶାଇ ଅତି ଚଞ୍ଚକତାର ସହ ପଟ୍ଟା କରି ନେଇଯାଇଛନ୍ତି। ରାଜନଗର ତହସିଲର ଖାତା ନମ୍ବର ୩୬୧, ପ୍ଲଟ୍ ନମ୍ବର ୩୩୩ ମହିଷାସୁର ମୌଜାରେ ୯୦ ଡେସିମିଲ୍ ନୟନଯୋରି କିସମର ସରକାରୀ ଜମି ଥିଲା। ନୟନଯୋରି ବା କେନାଲ କିସମ ସରକାରୀ ଜମି କୌଣସି ପରିସ୍ଥିତିରେ କାହାରି ହାତକୁ ଟେକି ଦିଆଯାଇପାରିବ ନାହିଁ। ଏହି ଜମିର କିସମ ମଧ୍ୟ ବଦଳି ପାରିବ ନାହିଁ। ଯଦି ସେ ସ୍ଥାନରେ କୌଣସି କେନାଲ ବା ଜଳାଶୟ ନଥାଏ ଏବଂ କୌଣସି ସରକାରୀ ଭିତ୍ତିଭୂମି ବିକାଶ ପାଇଁ ଆବଶ୍ୟକତା ପଡେ, ତେବେ ଆରଡିସିଙ୍କ ଅନୁମୋଦନ ପରେ ନୟନଯୋରି କିସମକୁ ବଦଳା ଯାଇପାରିବ। କିନ୍ତୁ କୌଣସି ପରିସ୍ଥିତିରେ ବ୍ୟକ୍ତିଗତ କାହାକୁ ଲାଭ ଦେବା ପାଇଁ ଜମିର କିସମ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ରାଜସ୍ୱ ବିଭାଗର ସ୍ପଷ୍ଟ ନିର୍ଦ୍ଦେଶ ରହିଛି।

ବର୍ଷା ହେଉ କି ନହେଉ, ଚାଷୀକୁଳ ଏହି କେନାଲ ପାଣି ଦ୍ୱାରା ନିଜର ଚାଷ କାର୍ଯ୍ୟ ତ୍ୱରାନ୍ୱିତ କରିଥାନ୍ତି। କିନ୍ତୁ ଏବର୍ଷ ଏପର୍ଯ୍ୟନ୍ତ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ଯଦି ରାଜନଗର ସଦର ମହକୁମାରେ ଏଭଳି ଜମି ଜାଲିଆତି ହୋଇପାରେ, ତେବେ ଗ୍ରାମାଞ୍ଚଳରେ କିପରି ମାଫିଆମାନେ ସରକାରୀ ଜମିକୁ ନିଜ କବଜାକୁ ନେଉଥିବେ ? ରାଜସ୍ୱ ମନ୍ତ୍ରୀଙ୍କୁ ଏନେଇ ପଚାରିବାରୁ ସେ କହିଛନ୍ତି ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି, ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ।

Advertisment

ଚାଷୀର ଉନ୍ନତି ପାଇଁ ଅନେକ କିଛି କରୁଥିବା ଢୋଲ ପିଟୁଛନ୍ତି ସରକାର। କିନ୍ତୁ ଯେଉଁ କେନାଲ ପାଣି ଦ୍ୱାରା ଚାଷୀ ଚାଷ କାର୍ଯ୍ୟ କରୁଥିଲେ, ସେହି କେନାଲକୁ ଯଦି ପୋତି ତା ଉପରେ ବଡ଼ ବଡ଼ କୋଠା କରାଯିବ, ତେବେ ଚାଷୀକୁଳ କରିବେ କଣ ?

Jojana Ra Na Hariloot
Advertisment
Advertisment