• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବରଗଡ଼ରେ ଫେଲ୍ ମାରିଛି ସରକାରଙ୍କ ଧାନକିଣା ନୀତି । ମଣ୍ଡିରେ ପଡ଼ି ରହିଛି ଲକ୍ଷ ଲକ୍ଷ କ୍ୱିଣ୍ଟାଲ ଧାନ । ଆଉ ଏହାର ଫାଇଦା ନେଉଛନ୍ତି ଆନ୍ଧ୍ରର ଧାନ ବ୍ୟବସାୟୀ । ଇଡଲି ତଥା ଦୋସା ଲାଗି ଆବଶ୍ୟକ ହେଉଥିବା ମୋଟା ଚାଉଳ ଯୋଗୁଁ ଆକାଶଗଙ୍ଗା ଓ ୧୦୧ ଭେରାଇଟି ଧାନକୁ ଚାଷୀଙ୍କୁ ଟିକେ ଅଧିକା ପଇସା ଦେଇ କିଣି ନେଉଛନ୍ତି ଦଲାଲ । ଆଉ ଏପଟେ ମଣ୍ଡିରେ ନୟାନ୍ତ ହେବା ଅପେକ୍ଷା ଅଧିକ ଦିପଇସା ପାଇ ଚାଷୀ ବି ବେଶ୍ ଖୁସ୍ ।

ଆନ୍ଧ୍ରରେ ଇଡଲି ପାଇଁ ଦରକାର ହେଉଛି ଓଡ଼ିଶା ଚାଉଳ । ଚାହିଦାରେ ଆକାଶଗଙ୍ଗା, ୧୦୧ ଭେରାଇଟି । କାରଣ ଇଡଲି, ଦୋସା ଲାଗି କୁଆଡ଼େ ବେଶ୍ ଉତ୍ତମ ଏହି ଦୁଇ ଭେରାଇଟି ଧାନର ଚାଉଳ । ସେଇଥିଲାଗି ଏବେ ବରଗଡ଼ରେ ଦେଖିବାକୁ ମିଳୁଛି ଆନ୍ଧ୍ର ଟ୍ରକର ଲମ୍ବା ଲାଇନ୍ । ଆଉ ରାଜ୍ୟ ସରକାର ମଣ୍ଡିରେ କିଣୁଥିବା ଦରଠାରୁ ଚଢ଼ା ମୂଲ୍ୟରେ କିଣି ନେଉଛନ୍ତି ଲକ୍ଷ ଲକ୍ଷ କ୍ୱିଣ୍ଟାଲ ଧାନ ।

ସେମାନେ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୨୨ ଶହ ଟଙ୍କା ଯାଏଁ ଦେଉଛନ୍ତି । ଏମିତିକି ଏଥିରେ କଟନୀ ଛଟନୀର ଭୟ ନାହିଁ । ମଣ୍ଡିରେ ଧାନ ଧରି ଅପେକ୍ଷା କରିବାର ଝନଝଟ୍ ବି ନାହିଁ । ଘରକୁ ଆସି ନଗଦ ଟଙ୍କା ଦେଇ ବୋହି ନେଉଛନ୍ତି ଧାନ । ଏପଟେ ବିନା କଟନୀ ଛଟନୀରେ ନିଜ ବଳକା ଧାନ ଲାଗି ଅଧିକ ଦୁଇ ପଇସା ପାଉଥିବାରୁ ଚାଷୀ ବି ବେଶ୍ ଖୁସି ।

ଏବର୍ଷ ରବି ଧାନ ବିକ୍ରି ଲାଗି ବରଗଡ଼ ଜିଲ୍ଲାରେ ପଞ୍ଜୀକୃତ ହୋଇଥିଲେ ୭୭ ହଜାର ଚାଷୀ । କିନ୍ତୁ ବର୍ତ୍ତମାନ ଯାଏଁ ୬୭ ହଜାର ଚାଷୀଙ୍କଠାରୁ ପ୍ରାୟ ୪୭ ହଜାର କ୍ୱିଣ୍ଟାଲ ଧାନ କିଣାସରିଛି ଯୋଗାଣ ବିଭାଗ । ଅର୍ଥାତ୍ ୧୦ ହଜାର ଚାଷୀଙ୍କ ଧାନ ଏଯାଏଁ ବିଲକୁଲ ଉଠିନି । ଏପଟେ ଆଉ ଦୁଇ ସପ୍ତାହ ପରେ ବନ୍ଦ ହେବ ଧାନକିଣା । ଏମିତି ସ୍ଥିତିରେ ଏସବୁ ଚାଷୀଙ୍କ ଧାନ କିଣାକୁ ନେଇ ସୃଷ୍ଟି ହେଲାଣି ଆଶଙ୍କା ।

ସେହିଭଳି ସରକାରୀ ନିୟମ ଅନୁସାରେ, ଜଣେ ଚାଷୀ ହେର ପିଛା ୨୬ କ୍ୱିଣ୍ଟାଲ ଧାନ ବିକ୍ରି କରିପାରିବ । ତେବେ ଚାଷୀ ହେର ପିଛା ୩୪ରୁ ୩୬ କ୍ୱିଣ୍ଟାଲ ଧାନ ଉତ୍ପାଦନ କରୁଥିବାରୁ ବଳକା ଧାନକୁ ଆନ୍ଧ୍ର ବ୍ୟବସାୟୀଙ୍କୁ ବିକିବାକୁ ବାଧ୍ୟ ହେଉଛନ୍ତି । ତେବେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଯୁକ୍ତି, ଜିଲ୍ଲାରେ ଧାନର ଅଭାବୀ ବିକ୍ରି ନାହିଁ ତେବେ ଚାଷୀ ନିଜର ବଳକା ଧାନ ଯେଉଁଠି ଚାହିଁବେ, ସେଠି ବିକ୍ରି କରିପାରିବେ, ଏଥିରେ କୌଣସି ଅସୁବିଧା ନାହିଁ ।

ସାଧାରଣତଃ ଭାବେ ବରଗଡ଼ରୁ ଛତିଶଗଡ଼କୁ ଧାନ ଯାଇଥାଏ । କିନ୍ତୁ ଏଥର ରବି ଋତୁରେ ଛତିଶଗଡ଼ର ବେପାରୀ ଧାନ ଉଠାଇନାହାନ୍ତି । ଏଭଳି ସମୟରେ ଆନ୍ଧ୍ର ବ୍ୟବସାୟୀ ବରଗଡ଼ ଚାଷୀଙ୍କ ଲାଗି ସାଜିଛନ୍ତ ଦେବଦୂତ ।