ସରକାର ଦେଲେନି ଟଙ୍କା, ସରକାରୀ କାର୍ଯ୍ୟାଳୟରୁ ଜିନିଷ ଉଠାଇନେଲା L&T

ଘରୋଇ କମ୍ପାନୀର ବାକି ସୁଝି ପାରିଲେନି ସରକାର । ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଉପକରଣ ନେଇଗଲା କମ୍ପାନୀ ।

L&T

ଘରୋଇ କମ୍ପାନୀର ବାକି ସୁଝି ପାରିଲେନି ସରକାର । ଶେଷରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ସହାୟତାରେ ସରକାରୀ ଅଧିକାରୀଙ୍କ ଅଫିସରୁ ଦରକାରୀ ଉପକରଣ ନେଇଗଲା ସଂପୃକ୍ତ କମ୍ପାନୀ । ଏହି ଘଟଣା ଖୋଦ୍ ରାଜଧାନୀ ଭୁବନେଶ୍ୱରର ।

କୌଣସି ଛୋଟ ମୋଟ କମ୍ପାନୀ କି ଅଫିସର ମାମଲା ବି ଇଏ ନୁହେଁ । L&T ଭଳି ଏକ ବଡ଼ ଘରୋଇ ନିର୍ମାଣକାରୀ କମ୍ପାନୀ ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ର୍ନିମାଣ ବିଭାଗର ଅଫିସରେ ପଶି ଏସି, କମ୍ୟୁଟର, ଆଲମାରୀ ଓ ଟେବୁଲ ନେଇଯାଇଛି ।

ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ର୍ନିମାଣ ବିଭାଗ ଉପରେ L&Tର ୧୨୦ କୋଟି ଟଙ୍କା ବାକି ପଡିଛି । ୨୦୦୪ ରେ ସମ୍ବଲପୁରରୁ ରାଉରକେଲା କରାଯାଇଥିବା ରାଜପଥ ର୍ନିମାଣ ପାଇଁ L&Tକୁ ୨୦ କୋଟି ଟଙ୍କା ଆର ଆଣ୍ଡ ବି ବିଭାଗ ଦେବା ପାଇଁ ଫଇସଲା ହୋଇଥିଲା ।

ଟଙ୍କା ନ ଦେବା ପାଇଁ ସରକାର ଜିଲ୍ଲା ଜଜ୍‌ଙ୍କ ଠାରୁ ହାଇକୋର୍ଟ ଓ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଗଲେ । ହେଲେ ସୁପ୍ରିମକୋର୍ଟ ମାମଲା ଖାରଜ କଲେ । ସୁଧ ମୂଳ ମିଶି ୧୨୦ କୋଟି ହେବା ପରେ ମଧ୍ୟ ସରକାର ଟଙ୍କା ନ ଦେବାରୁ ଖୋର୍ଦ୍ଧା ବାଣିଜ୍ୟ କର ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ କୋର୍ଟ କର୍ମଚାରୀ ମାନେ ଆସି ୯ଟି ଏସି, ୧୮ ଟି କମ୍ପ୍ୟୁଟର, ୧୫ଟି ଆଲମିରା ଓ ୯ଟି ଟେବୁଲ ବାଜ୍ୟାପ୍ତି କରିଛନ୍ତି ।

ଏସି, କମ୍ପ୍ଯୁଟର, ଅାଲମାରୀ ଓ ଟେବୁଲ ନେଇଯାଇଛି L&T  କମ୍ପାନୀ
ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଉପରେ କମ୍ପାନୀର ବାକି ରହିଛି ୧୨୦ କୋଟି ଟଙ୍କା
--------------------