ରାଜ୍ୟରେ ବିଦ୍ୟୁତ ବିତରଣ କରୁଥିବା ଡିସ୍କମ୍ ଟାଟା ଯେତେ ବିଜୁଳି ମାଗୁଛି, ତାକୁ ସେତିକି ବିଜୁଳି ଦିଆଯାଉଛି । ଏହା ସତ୍ତ୍ୱେ କାହିଁକି ହେଉଛି ପାଓ୍ୱାର କଟ୍ ସନ୍ଦେହ ହେଉଛି । ଏବେ ଯେତିକି ବିଜୁଳି ଦରକାର, ସେତିକି ବିଦ୍ୟୁତ ମାଗୁଛି ତ ଟାଟା ? ନା, କମ୍ ବିଜୁଳି ମାଗି ତାକୁ ମ୍ୟାନେଜ କରିବାକୁ ବିଜୁଳି କାଟ୍ କରୁଛି । ଫଳରେ ବିଶେଷ କରି ଏବେ ଖରାଦିନରେ ଅଧିକ ସନ୍ତୁଳି ହେଉଛନ୍ତି ଗ୍ରାମାଞ୍ଚଳର ଲୋକେ ।
ରାଜ୍ୟରେ କାହିଁକି ହେଉଛି ପାଓ୍ୱାର କଟ୍ ? ଡିସ୍କମ୍ ଟାଟା ଯେତେ ବିଜୁଳି ମାଗୁଛି, ସେତିକି ତ ଦିଆଯାଉଛି । ଏସ୍ଏଲଡିସିର ତଥ୍ୟ ଅନୁସାରେ ଏପ୍ରିଲ ୨୬ ପାଇଁ ଟାଟା ମାଗିଥିଲା ୪ ହଜାର ୩୫୪ ମେଗା ୱାଟ ବିଜୁଳି, ତାକୁ ମିଳିଥିଲା ୪ ହଜାର ୬୨୪ ମେଗା ୱାଟ । ଏପ୍ରିଲ ୨୭ରେ ମାଗିଥିଲା ୪ ହଜାର ୩୮୨ ମେଗା ୱାଟ, ପାଇଥିଲା ୪ ହଜାର ୬୬୧ ମେଗା ୱାଟ । ଏପ୍ରିଲ ୨୮ ରେ ୪ ଡିସକମ୍ ମାଗିଥିଲେ ୪ ହଜାର ୩୦୩ ମେଗା ୱାଟ, ପାଇଥିଲା ୪ ହଜାର ୬୦୦ ମେଗା ୱାଟ । ଅର୍ଥାତ ଯେତେ ବିଜୁଳି ଟାଟା ମାଗୁଛି, ତାଠୁ ଅଧିକ ଦିଆଯାଉଛି । ତେବେ ଅସୁବିଧା କେଉଁଠି ?
ବିଶେଷଜ୍ଞଙ୍କ ମତରେ ଯେତେ ବିଜୁଳି ଦରକାର, ଟାଟା ସେତିକି କିଣୁ ନାହିଁ । ଆଉ ହଜାରେ ମେଗାଓ୍ୱାଟ କିଣିଲେ, ପାଓ୍ୱାର କଟ୍ ହୁଅନ୍ତା ନାହିଁ । କିନ୍ତୁ ୩୦ ପ୍ରତିଶତ ଟ୍ରାନ୍ସମିଶନ ଲସ୍ ଯୋଗୁଁ ଅଧିକ ବିଜୁଳି କିଣି କ୍ଷତି ସହିବାକୁ ଚାହୁଁନି ଟାଟା । ଗ୍ରାମାଞ୍ଚଳରେ ଏହି ସମସ୍ୟା ଅଧିକ । ତେଣୁ ଆବଶ୍ୟକତାଠୁ କମ୍ ବିଜୁଳି କିଣୁଛି ଟାଟା ଓ ମ୍ୟାନେଜ କରିବାକୁ ପାଓ୍ୱାର କଟ୍ କରୁଛି । ତା ସହିତ ବିଜୁଳି ଦର ବି ଆଉ ଏକ ସମସ୍ୟା ।
ସେପଟେ ଟାଟା ପକ୍ଷରୁ କୁହାଯାଇଛି ଯେ, ଖରା ଦିନ ଆରମ୍ଭ ହେଉ ହେଉ ଏଥର ବିଦ୍ୟୁତ ଚାହିଦା ବଢ଼ିଛି । ପୂର୍ବ ବର୍ଷ ତୁଳନାରେ ଏହା ଅଧିକ । ପାଓ୍ୱାର କଟ୍ ପାଇଁ ଗ୍ରାମାଞ୍ଚଳରେ ବିଜୁଳି ଚୋରି, ଏନଟିପିସି ଏବଂ ଓପିଜିସିର ଗୋଟିଏ ଲେଖାଏଁ ୟୁନିଟରୁ ବିଜୁଳି ଉତ୍ପାଦନ ନ ହେବା, କୋଇଲାର ଅଭାବକୁ ଟାଟା କର୍ତ୍ତୃପକ୍ଷ ଦାୟୀ କରିଛନ୍ତି । ତେବେ ଖୁବ ଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି କୁହାଯାଇଛି ।
ଏପଟେ ପ୍ରଚଣ୍ଡ ଖରା ନା ଘରେ ରହି ହେଉଛି ନା ବାହାରେ । ସେଥିରେ ପୁଣି ଘନ ଘନ ପାଓ୍ୱାର କଟ୍ ଯୋଗୁଁ ସମସ୍ୟା ହୋଇଛି ଦୁଇ ଗୁଣ ଗ୍ରାମାଞ୍ଚଳରେ ଏହି ସ୍ଥିତି ସାଂଘାତିକ ।
ବାଲେଶ୍ୱରରୁ ରଶ୍ମିରଂଜନ ଦାସ , ଭୁବନେଶ୍ୱରରୁ ସୌମ୍ୟରଞ୍ଜନ ସାହୁଙ୍କ ରିପୋର୍ଟ,