Advertisment

କିଲିବିଲି କରୁଛି ଅଘୋଷିତ ପାୱାରକଟ୍, କେଉଁଠି ରାସ୍ତାରୋକ ତ କେଉଁଠି ଅନଶନରେ ଉପଭୋକ୍ତା

ଗ୍ରୀଡକୋ କହୁଛି ପ୍ରବଳ ଖରା ପାଇଁ ବଢ଼ିଛି ବିଜୁଳି ଚାହିଦା । କାଳବୈଶାଖୀ ଉପରେ ଦୋଷ ଲଦିଲା ଟାଟା ପାୱାର ।

author-image
Prangyan Parimita
ଅଦ୍ୟତନ ହୋଇଛି
Power cut

Power cut

ତାତିଠୁ ବଳିଯାଉଛି ପାୱାର କଟ୍ ଯନ୍ତ୍ରଣା। ଗୁଳୁଗୁଳିଠୁ ଟପିଗଲାଣି ଲୋ ଭୋଲଟେଜ୍ ଦହଗଞ୍ଜ। ତାତି ପାଇଁ ଘରୁ ବାହାରି ହେଉନି, ଆଉ ପାୱାର କଟ୍ ଘରେ ରଖେଇ ଦେଉନି। ଦୁର୍ବିସହ ଜନଜୀବନ। ଏଥିପାଇଁ ପ୍ରତିବାଦରେ କେଉଁଠି ଲୋକେ ରାସ୍ତାକୁ ଓହ୍ଲାଇଲେଣି ତ ଆଉ କେଉଁଠି ଆମରଣ ଅନଶନ ଆରମ୍ଭ ହେଲାଣି । ଏପଟେ ଟାଟା ପାୱାର କର୍ତ୍ତୃପକ୍ଷ କହୁଛନ୍ତି, ନିରନ୍ତର ବିଦ୍ୟୁତ୍ ସରବରାହରେ ବାଧକ ସାଜୁଛି କାଳବୈଶାଖୀ ।

Advertisment

ଜଗତସିଂହପୁର ସଦର ବ୍ଳକ୍ ଇଟାପଡ଼ାରେ ଗତକାଲି ରାତିରୁ ଲାଇନ୍ ନାହିଁ। ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ବି କୌଣସି ପଦକ୍ଷେପ ନନେବାରୁ ଜଗତସିଂହପୁର-ବାଲିକୁଦା ରାସ୍ତାର ଇଟାପଡ଼ା ନିକଟରେ ଟାୟାର ଜାଳି ରାସ୍ତା ରୋକ କରିଥିଲେ ସ୍ଥାନୀୟ ଲୋକ।... ଏଣେ ପିପିଲିରେ ଅଘୋଷିତ ବିଦ୍ୟୁତ କାଟକୁ ନେଇ ଲୋକେ ଅତିଷ୍ଠ ହେବାପରେ ଓହ୍ଲାଇଥିଲେ ଅନଶନକୁ। ସ୍ଥାନୀୟ ଲୋକଙ୍କର ଅଭିଯୋଗ ହେଲା, ମରାମତି ଆଳରେ ଦିନ ଦିନ ଧରି ଲାଇନ୍ କଟାଯାଉଥିବା ବେଳେ ଅନ୍ୟ ଦିନଗୁଡ଼ିକରେ ଦିନକୁ ୮-୧୦ ଘଣ୍ଟା ବିଜୁଳି କଟୁଛି। ତେବେ ବିଦ୍ୟୁତ ବିଭାଗର ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ସେହପରି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ଆସ୍କାରେ ଗୋଟିଏ ପଟେ ଖରା ଓ ଅସହ୍ୟ ଗୁଳୁଗୁଳି, ଆଉ ଅନ୍ୟପଟେ ପାୱାର କଟ୍ ଯନ୍ତ୍ରଣା। ଦିନ ବେଳା ଘରେ ରହି ହେଉ ନ ଥିବାରୁ କିଏ ଗଛ ମୂଳେ ସମୟ କାଟୁଛି ତ’ ଆଉ କିଏ ନିଜ ଛୁଆକୁ ବିଞ୍ଚଣାରେ ବିଞ୍ଚି ଚାଲିଛି। ଶକ୍ତିମନ୍ତ୍ରୀଙ୍କ ଜିଲ୍ଲା କେନ୍ଦ୍ରାପଡ଼ାରେ ବି ଦେଖିବାକୁ ମିଳୁଛି ପାୱାର କଟ୍ ବିଭୀଷିକା । ଲୋ ଭୋଲଟେଜ୍ ସାଙ୍ଗକୁ ବାରମ୍ବାର ବିଦ୍ୟୁତ୍ କାଟ ଲୋକଙ୍କ ଘରେ ରହିବା ମୁସ୍କିଲ କରିଦେଲାଣି ।

Advertisment

ଏପଟେ ଗତବର୍ଷ ତୁଳନାରେ ଏବର୍ଷ ରାଜ୍ୟରେ ବଢ଼ିଛି ବିଜୁଳି ଚାହିଦା । ୨୦୨୨ ଏପ୍ରିଲରେ ରାଜ୍ୟର ହାରାହାରି ବିଜୁଳି ଚାହିଦା ୪ ହଜାର ୨୯ ମେଗାୱାଟ୍ ଥିବା ବେଳେ ଏବର୍ଷ ଏପ୍ରିଲରେ ତାହା ୪ ପ୍ରତିଶତ ବଢ଼ି ୪ ହଜାର ୧୭୨ ମେଗାୱାଟ୍ ରେ ପହଞ୍ଚିଛି। ସେହିଭଳି ଚଳିତ ବର୍ଷ ଏପ୍ରିଲରେ ପିକ୍ ବିଜୁଳି ଚାହିଦା ୬ ପ୍ରତିଶତ ବଢ଼ି ୪ ହଜାର ୫୯୧ ମେଗାୱାଟ୍ ହୋଇଛି । ମେ’ ମାସରେ ଉଭୟ ହାରାହାରି ଓ ପିକ୍ ବିଜୁଳି ଚାହିଦା ୮ ପ୍ରତିଶତ ବୃଦ୍ଧି ଘଟିଛି। ବିଜୁଳି ବଳକା ରାଜ୍ୟ ଓଡ଼ିଶା ପାଇଁ ଯଦିଓ ବିଜୁଳି ଚାହିଦା ବୃଦ୍ଧି ସେତେଟା ପ୍ରଭାବ ପକାଇନି, ତେବେକାଳବୈଶାଖୀ ଯୋଗୁ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହେଉଛି ବୋଲି ଟାଟା ପାୱାର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।

ମୁଖ୍ୟ ଶାସନ ସଚିବଙ୍କ ତାଗିଦ୍ ଓ ବିଭିନ୍ନ ବର୍ଗଙ୍କ ସମାଲୋଚନା ପରେ ବିଦ୍ୟୁତ୍ ସରବରାହରେ ତ୍ୱରିତ୍ ସୁଧାର ଆଣିବାକୁ ମାନବ ସମ୍ବଳ ବଢ଼ାଇଥିବା କହିଛି ଟାଟା ପାୱାର। ତେବେ ଏହା ଗ୍ରାହକଙ୍କୁ ନିରନ୍ତର ବିଦ୍ୟୁତ୍ ଯୋଗାଣରେ କେତେ ସହାୟକ ହେଉଛି, ତାହା ଦେଖିବାକୁ ବାକି ରହିଲା।

TATA Power Power Cut
Advertisment
Advertisment