Advertisment

ବଞ୍ଚିବାକୁ ସଂଘର୍ଷ ! ଦିନେ ଥିଲେ କର୍ପୋରେଟର୍, ଆଜି ଇଟାଭାଟି ଶ୍ରମିକ

କଟକ ମୁନସିପାଲ କର୍ପୋରେସନର ପ୍ରଥମ କାଉନସିଲରେ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ ସୁକାନ୍ତୀ ସିଂ। ସେ ସମୟରେ ଲୋକଙ୍କୁ ସହାୟତା ଦେବାଠାରୁ ଆରମ୍ଭ କରି ଲୋକଙ୍କୁ ଭତ୍ତା ବାଣ୍ଟୁଥିଲେ ସୁକାନ୍ତୀ। ହେଲେ ଆଜି ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ । ପେଟ ପୋଷିବାକୁ କାମ କରୁଛନ୍ତି ଇଟାଭାଟିରେ ।

author-image
Prangyan Parimita
ଅଦ୍ୟତନ ହୋଇଛି
Special Story

Special Story

କଟକ : ଲୋକଙ୍କ ସେବା କରିବାକୁ ଇଚ୍ଛା । ଯେତିକି ଟଙ୍କା ଥିଲା ସବୁ ଖର୍ଚ୍ଚ ହୋଇ ସାରିଛି । ଏବେ ଇଟା ଭାଟିରେ କାମ କରି ତଥା ପର ଘରେ ମୂଲ ଲାଗି ଚଳୁଛି । ପୁଅ ପାଖରେ ବି କିଛି କାମ କରୁନି । ପଇସା ନଥିଲେ ଏବେ ରାଜନୀତି କରିହେବନି । ମୋ ଜୀବନରେ ଲାଞ୍ଚ କେବେ ନେଇନି । ଲାଞ୍ଚ ନେଇଥିଲେ ମୋ ଅବସ୍ଥା ଏପରି ହୋଇଥାଆନ୍ତା କି ବୋଲି କହି ଦୁଃଖ ବଖାଣିଛନ୍ତି ପୂର୍ବତନ ମହିଳା କର୍ପୋରେଟର ।

Advertisment

ରାଜନୀତିରୁ ଇଟାଭାଟି । ପୂର୍ବତନ ମହିଳା କର୍ପୋରେଟର ଏଵେ ଇଟାଭାଟି ଶ୍ରମିକ । ରାଜନୀତିରେ ଛକି ଶୂନ ଖେଳ ତାଙ୍କ ପାଇଁ ଅଡ଼ୁଆ ସୂତା ପାଲଟିଗଲା ।  ସିଏମସି ତଥା କଟକ ମୁନସିପାଲ କର୍ପୋରେସନର ପ୍ରଥମ କାଉନସିଲରେ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ ସୁକାନ୍ତୀ ସିଂ । ସେ କର୍ପୋରେଟର ଥିବା ସମୟରେ ରାସ୍ତାଘାଟ ଠାରୁ ଆରମ୍ଭ କରି ଲୋକଙ୍କୁ ସରକାରୀ ଘର, ବିପିଏଲ୍ କାର୍ଡ ସହ ଭତ୍ତା ମଧ୍ୟ ମଞ୍ଜୁର କରାଉଥିଲେ, ହେଲେ ଆଜି ତାଙ୍କ ଅବସ୍ଥା ବହୁତ ଖରାପ । ନା ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ଅଛି ନା ହାତରେ ଟଙ୍କା ଅଛି । ପରିସ୍ଥିତି ଏମିତି ହୋଇଛି ଯେ ଇଟା ଭାଟିରେ କାମ କରି ପେଟ ପୋଷିବାକୁ ପଡୁଛି ।

କଟକ ମ୍ୟୁନସିପାଲ କର୍ପୋରେସନର ମହିଳା କର୍ପୋରେଟର ସୁକାନ୍ତୀ ସିଂ । କଟକ ବମ୍ପକୁଦ ନିକଟରେ ଘର । ଘର ନୁହେଁ ତ ମୁଣ୍ଡ ଗୁଞ୍ଜିଛନ୍ତି କୁଡ଼ିଆ ଘରେ । ଦିନରେ ସୂର୍ଯ୍ୟ ଆଉ ରାତିରେ ଜହ୍ନ କିରଣ ପଡ଼ୁଛି । ପରିବାର କହିଲେ ସ୍ୱାମୀ, ସ୍ତ୍ରୀ ଆଉ ପୁଅ । ପୁଅ ବଡ଼ ହେଲାଣି, ହେଲେ ତା’ ପାଖରେ ବି କାମ ନାହିଁ । ପରିବାରର ତିନି ଜଣ ମୂଲ ଲାଗି ଘର ଚଳାନ୍ତି । ଦିନେ ରାଜନୀତିରେ ଚହଳ ପକାଉଥିଲେ, ଆଜି ମୂଲମଜୁରୀ କରି ପେଟ ପୋଷିବାକୁ ପଡ଼ୁଛି । ୧୩୭୫ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଥିଲେ ସେ । ନିବେଦିତା ପ୍ରଧାନ ମେୟର ଥିଲା ବେଳେ ସୁକାନ୍ତୀ ଥିଲେ କର୍ପୋରେଟର । ପେସା ନୁହେଁ ନିଶା ପାଇଁ ରାଜନୀତିରେ ପ୍ରବେଶ କରିଥିଲେ ସୁକାନ୍ତୀ ।

Advertisment

କାଠଯୋଡିର ଅପର ପାର୍ଶ୍ୱରେ ଥିବା ଗୋପାଳପୁର, ବାଲିକୁଦା, ବମ୍ଫକୁଦ ଆଦି ଅଞ୍ଚଳରେ ଲୋକଙ୍କୁ ସହରାଞ୍ଚଳର ମୌଳିକ ସୁବିଧା ଯୋଗାଇଦେବାକୁ ସେ କାଉନସିଲ ବୈଠକରେ ଗର୍ଜନ କରୁଥିଲେ । ସବୁ ଅଞ୍ଚଳରେ ଆଲୋକ ଓ ପାଣି ସୁବିଧା କରିବାକୁ ବାରମ୍ୱାର ଦାବି କରୁଥିଲେ ।  ଗରିବ ଲୋକଙ୍କ ପାଇଁ ଚିତ୍କାର କରୁଥିଲେ । ସେ କିଛି ଦଳଗତ ଭେଦଭେଦ ନଦେଖି ଲୋକଙ୍କ କଥା ବୁଝିବାକୁ ପ୍ରଶାସନ ଉପରେ ଚାପ ପକାଉଥିଲେ । ଲୋକଙ୍କ ପାଇଁ ନିଜେ ଟଙ୍କା ବି ଖର୍ଚ୍ଚ କରିଛନ୍ତି । ଲୋକ ପ୍ରତିନିଧି ହିସାବରେ ନିଜ କର୍ତ୍ତବ୍ୟ ପାଳନ କରିବାରେ କେବେ ଅବହେଳା କରିନାହାନ୍ତି । ତାଙ୍କର ଆଶା ଥିଲା ସରକାର ତାଙ୍କୁ  କିଛି ସାହାଯ୍ୟ କରିବେ , କିନ୍ତୁ ତାହା ବି ହେଲା ନାହିଁ ।

ନିର୍ବାଚନ ସମୟରେ ନେତା ଆସନ୍ତି । ପୂର୍ବତନ କର୍ପୋରେଟଙ୍କୁ ଏପରି ଅବସ୍ଥାରେ ଦେଖି ଆହା ପଦେ କୁହନ୍ତି । ସୁକାନ୍ତୀଙ୍କୁ ନେଇ ପ୍ରଚାର କରନ୍ତି ।  ଘର କରାଇ ଦେବାର ଅଜସ୍ର ପ୍ରତିଶ୍ରୁତି ଦେଇ ପୁଣି ବାଟହୁଡ଼ି ଚାଲି ଯାଆନ୍ତି । ଏବେ ତହସିଲ ଅଫସରେ ଘର ପାଇଁ  ସୁକାନ୍ତୀଙ୍କ କାଗଜପତ୍ର ପଡ଼ିଛି । ସବୁ କର୍ପୋରେଟରଙ୍କୁ ଘର ଦେବା ପାଇଁ କୁହାଯାଇଛି । ତଥାପି ଘର ମିଳୁନି । 

ଅନ୍ୟପଟେ କର୍ପୋରେଟର୍ ଥିବା ସମୟର ତାଙ୍କ କାମକୁ ଭୁଲି ନାହାନ୍ତି ଲୋକେ । ଏବେ ବି ଅସୁବିଧା ନେଇ ତାଙ୍କ ପାଖକୁ ଆସନ୍ତି । ହେଲେ ଦୁଃଖର ବିଷୟ ଇଚ୍ଛା ଥିଲେ ସୁଦ୍ଧା ନିଜର ଅସହାୟତା ପ୍ରକାଶ କରନ୍ତି ସୁକାନ୍ତୀ । ନିଜ ପାଇଁ ଦାନା ମୁଠାଏ ଯୋଗାଡ଼ କରିବା ତାଙ୍କ ପାଇଁ କଷ୍ଟକର ହୋଇ ପଡ଼ୁଥିବା ବେଳେ ଲୋକଙ୍କ କଥା ବୁଝିବେ ବା କ’ଣ । ଲୋକଙ୍କୁ ସହାୟ ହେଉଥିବା ମଣିଷଟି ଆଜି ନିଜେ ଅସହାୟ ହୋଇଯାଇଛି । 

Special Story
Advertisment
Advertisment