• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିର୍ଦ୍ଧୁମ୍ ଛେଚୁଛି, ଢୁ ଢୁ ଢାଳୁଛି । ନଈ ନାଳ ଏମିତି ଫୁଲୁଛି ଯେ, ପୋଲ କିଏ ରାସ୍ତା କିଏ ଠଉରେଇ ହେଉନି । ତିନି ଦିନ ଧରି ଚାଲିଥିବା ଅବିଶ୍ରାନ୍ତ ବର୍ଷାରେ ବେହାଲ୍ ଦକ୍ଷିଣ ଓଡ଼ିଶା । ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ବନ୍ୟା ପରିସ୍ଥିତି । ବନ୍ଧ ବାଡ଼ ଡେଇଁ ପ୍ରଖର ସୁଅ କାଟି ମାଡ଼ି ଚାଲିଛି ପାହାଡ଼ି ବର୍ଷା ପାଣି ।

ମାଲକାନଗିରି ଝାପ୍ରା ପୋଲର ବ୍ରିଜ୍ ଉପରେ ୮ରୁ ୧୦ ଫୁଟ୍‌ର ପାଣି । ରାସ୍ତାଘାଟ, ବିଲବାଡ଼ି ସବୁ ଏକକାର । ମାଲକାନଗିରିରୁ ଛତିଶଗଡ଼ର ସୁକ୍‌ମା ଓ ତେଲଙ୍ଗାନାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ୍ । ଗୋଦାବରୀ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ସାବେରୀ ନଦୀର ଜଳ ନିଷ୍କାସନ ହୋଇପାରୁନି । ଫଳରେ ଝାପ୍ରା ପୋଲ ଏବେ ଜଳମୟ । ସେମିତି ୩୨୬ ନମ୍ବର ଜାତୀୟ ରାଜପଥ କଙ୍କରୁଗୁଣ୍ଡା ପୋଲ ଉପରେ ବି ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି । ମାଲକାନଗିରିରୁ ମୋଟୁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶହ ଶହ ଗାଡ଼ି ମୋଟର ।

ନବରଙ୍ଗପୁର ଜିଲ୍ଲାରେ ସ୍ଥିତି ଗମ୍ଭୀର । ଲଗାଣ ବର୍ଷା ଯୋଗୁଁ ଇନ୍ଦ୍ରାବତୀ, ଭାସ୍କେଲ, ଚୁରି ଓ ଅଙ୍ଗି ଭଳି ସବୁ ଛୋଟବଡ଼ ନଦୀର ଜଳସ୍ତର ବଢ଼ି ଚାଲିଛି । ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀର ସଂଗମସ୍ଥଳ କୋଷାଗୁମୁ଼ଡା ବ୍ଲକ୍ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି । ୬ଟି ପଞ୍ଚାୟତର ୧୪ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇରହିଛି । ୧୬୫ ମିଲିମିଟର ବର୍ଷା ପରେ ଘରେ ଘରେ ପାଣି ପଶିଲାଣି । ଯଦିଓ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି । ତେବେ ବେସରକାରୀ ଭାବେ ଶହେରୁ ଅଧିକ କଚାଘର କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି । ରାଇଘର ବ୍ଲକ୍ କୁବଢ଼ାଡିହି ଗାଁରେ ଆଜି ସକାଳେ କାନ୍ଥ ପଡ଼ି ଜଣେ ୯ ବର୍ଷର ବାଳକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।

ସେମିତି ଅବିଶ୍ରାନ୍ତ ବର୍ଷା ପରେ ଗଜପତି ଜିଲ୍ଲାର ହରଭଙ୍ଗି ନଦୀ ଫୁଲିବାରେ ଲାଗିଛି । ଫଳରେ ମୋହନାରୁ ସଂଯୋଗ କରୁଥିବା ବାେଇପୁର ସମେତ ଗୁଣ୍ଡିରିଗୁଡା, ଧନୁପଙ୍କ ଓ ନୂଆସାହି ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଏମିତିକି ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନିଆଯାଇନପାରିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ସେପଟେ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଫଳରେ ଘାଟମାଲ ପଞ୍ଚାୟତ ସାଲେପଡ଼ା ବ୍ରିଜର ଆପ୍ରୋଚ ରୋଡ୍ ଧୋଇଯିବାରୁ ଗମନାଗମନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ରାୟଗଡ଼ା ଜିଲ୍ଲାରେ ଝଂଜାବତୀ ନଦୀରେ ବଢି ପାଣି ଆସି ପାଡ଼ୋମାରୀ-କୁମ୍ଭୀକଟା ଅସ୍ଥାୟୀ ପୋଲ ଭାସିଯାଇଛି । ନାଗାବଳୀ ନଦୀରେ ମଧ୍ୟ ଜଳସ୍ତର ବଢ଼ି ଚାଲିଛି ।

ଏଣେ ଅବପାତରେ ପରିଣତ ହୋଇଛି ଲଘୁଚାପ । ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଅତିପ୍ରବଳ ବର୍ଷାର ବି ସମ୍ଭାବନା ରହିଛି । ଏହା କ୍ରମେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡିଶା ଛତିଶଗଡ଼ ଉପକୂଳ ଆଡେ ମୁଁହାଇବ । ଏଥିପାଇଁ ଓଡ଼ିଶାର ସମସ୍ତ ବନ୍ଦର ପାରାଦୀପ, ଧାମରା ଓ ଗୋପାଳପୁରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯିବା ସହ ୪ ଜିଲ୍ଲା ବରଗଡ଼, ସମ୍ବଲପୁର, ଅନୁଗୁଳ ଓ କେନ୍ଦୁଝରକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି ହୋଇଛି ।

 

ପାଣିପାଗ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଗଂଜାମ ଜିଲ୍ଲାର ଚିକିଟିରେ ସର୍ବାଧିକ ୧୮୫ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ଚମ୍ପୁଆରେ ୧୪୨ ମିଲିମିଟର ଏବଂ ଭୁବନେଶ୍ୱର ଓ ଢେଙ୍କାନାଳରେ ୭୬ ମିଲିମିଟର ବର୍ଷା ହୋଇଛି । ୧୨ ତାରିଖ ବେଳକୁ ବର୍ଷାର ପରିମାଣ ସାମାନ୍ୟ କମି ୧୩ରୁ ପୁଣି ବଢିବ । ତେଣେ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ସମେତ ବିଭିନ୍ନ ଶାଖା ନଦୀରେ ବନ୍ୟା ଆଶଙ୍କା ରହିଛି ।