Advertisment

ଶିକ୍ଷା ତାଙ୍କର ଏମ୍‌ଫିଲ୍‌; ନିଶା କିନ୍ତୁ ମାଛଚାଷ

ପାରମ୍ପରିକ ପଦ୍ଧତିରେ ମାଛ ଚାଷ କରି ଚାଷୀମାନେ କ୍ଷତିରେ ପଡୁଥିବା ବେଳେ ଦିବ୍ୟରାଜ ଏହି ଅତ୍ୟାଧୁନିକ ପଦ୍ଧତିରେ ଚାଷ କରି ଲାଭବାନ ହେଉଥିବା କୁହନ୍ତି। ତାଙ୍କର ଏହି ଯୋଜନା କେବଳ ତାଙ୍କରି ପେଟ ପୋଷୁନି, ଏହା ସହ ଦିବ୍ୟରାଜ କେତେକ ସ୍ଥାନୀୟ ଲୋକଙ୍କୁ ନିଜ ଫାର୍ମ ହାଉସ୍‌ରେ ନିଯୁକ୍ତି ମଧ୍ୟ ଦେଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Fish farming in bio flucks techniqe

Fish farming in bio flucks techniqe

ଆଜିକାଲି ଶିକ୍ଷିତ ପିଲାମାନେ ଚାଷ ପ୍ରତି ଆଗ୍ରହ ଦେଖେଇବା ତ ଦୂର କଥା ମାଟି ଜମିରେ ବି ତାଙ୍କ ପାଦ ପଡେନି। ସମସ୍ତେ ଚାହାନ୍ତି ସରକାରୀ ଚାକିରୀ ନଚେତ ମୋଟା ଅଙ୍କର ମିଳୁଥିବା ଅନ୍ୟ କୌଣସି କମ୍ପାନୀ ଚାକିରୀ।

Advertisment

ବର୍ତ୍ତମାନ ମଧ୍ୟ ଏମିତି ଅନେକ ଯୁବକ ଅଛନ୍ତି ଯେଉଁମାନେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ପର ଅଧିନରେ କାମ କରିବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ଆତ୍ମନିର୍ଭରଶୀଳ ହେବାକୁ ପସନ୍ଦ କରନ୍ତି। ସେମିତି ଜଣେ ଯୁବକ ହେଲେ ସମ୍ବଲପୁରର ଦିବ୍ୟରାଜ ବେରିହା। ସେ ଏମ୍‌ଫିଲ୍‌ ଯୋଗ୍ୟତା ହାସଲ କରିଥିଲେ ମଧ୍ୟ ଚାକିରୀ ନକରି ଅତ୍ୟାଧୁନିକ ବାୟୋଫ୍ଲକ୍ସ ଓ ସେମି ବାୟୋଫ୍ଲକ୍ସ ପଦ୍ଧତିରେ ମାଛ ଚାଷ କରିବା ସହ ୧୨ ପ୍ରକାର ମାଛକୁ ନେଇ ରିସର୍ଚ୍ଚ ମଧ୍ୟ କରୁଛନ୍ତି।

ଦିବ୍ୟରାଜ ବିଜ୍ଞାନରେ ଏମ୍‌ଫିଲ୍‌ କରିଥିଲେ ବି ତାଙ୍କର ପେଶା ହେଉଛି ମାଛ ଚାଷ। କିନ୍ତୁ ଏହି ମାଛ ଚାଷ ପାଇଁ ପାରମ୍ପରିକ ପଦ୍ଧତିକୁ ନ ଆପଣେଇ ସେ ଅତ୍ୟାଧୁନିକ ବାୟୋଫ୍ଲକ୍ସ ଓ ସେମି ବାୟୋଫ୍ଲକ୍ସ ପଦ୍ଧତିରେ ମାଛ ଚାଷ କରୁଛନ୍ତି। ୩ ଟି କୁଣ୍ଡରେ ବାୟୋଫ୍ଲକ୍ସ ଚାଷ ହେଉଥିବାବେଳେ ନିଜ ଫାର୍ମହାଉସ୍‌ରେ ୨ ଟି ଟ୍ରେନ୍‌ଜ ଖୋଲି ସେଠାରେ ପୋଖରୀ ପାଣି ଜରିଆରେ ସେମି ବାୟୋଫ୍ଲକ୍ସ ମାଛ ଚାଷ ମଧ୍ୟ କରୁଛନ୍ତି।

Advertisment

ଖାଲି ଏତିକି ନୁହେଁ, ସେ ୧୨ ପ୍ରକାରର ମାଛ ଉପରେ ରିସର୍ଚ୍ଚ ମଧ୍ୟ କରୁଛନ୍ତି। ଏହି ଚାଷ ପାଇଁ ସେ ନିଜର ଶିକ୍ଷା ସହ ଇଣ୍ଟରନେଟ୍‌ର ସାହାଯ୍ୟ ନେଇଥିଲେ। ଇଣ୍ଟର୍‌ନେଟ୍‌ ମାଧ୍ୟମରେ କିଛି ଜ୍ଞାନ ସଂଗ୍ରହ କରି ସେ ନିଜର ଫାର୍ମ ହାଉସ୍‌ରେ ଏକ ପୋଖରୀ ଖୋଳି ଏହି ମାଛ ଚାଷ ଆରମ୍ଭ କରିଥିଲେ।

ପାରମ୍ପରିକ ପଦ୍ଧତିରେ ମାଛ ଚାଷ କରି ଚାଷୀମାନେ କ୍ଷତିରେ ପଡୁଥିବା ବେଳେ ଦିବ୍ୟରାଜ ଏହି ଅତ୍ୟାଧୁନିକ ପଦ୍ଧତିରେ ଚାଷ କରି ଲାଭବାନ ହେଉଥିବା କୁହନ୍ତି। ତାଙ୍କର ଏହି ଯୋଜନା କେବଳ ତାଙ୍କରି ପେଟ ପୋଷୁନି, ଏହା ସହ ଦିବ୍ୟରାଜ କେତେକ ସ୍ଥାନୀୟ ଲୋକଙ୍କୁ ନିଜ ଫାର୍ମ ହାଉସ୍‌ରେ ନିଯୁକ୍ତି ମଧ୍ୟ ଦେଇଛନ୍ତି।

ଆଗକୁ ଦିବ୍ୟରାଜ ଏହି ବ୍ୟବସାୟକୁ ବଢାଇବା ପାଇଁ ଅନେକ ନୂଆ ନୂଆ ଜ୍ଞାନକୌଶଳ ପ୍ରସ୍ତୁତ କରିଥିବା ମଧ୍ୟ କୁହନ୍ତି। ତାଙ୍କର ଏହି ଉଦ୍ୟମ ସ୍ଥାନୀୟ ଯୁବକଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛି।

Fish Farming
Advertisment
Advertisment