/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670035805.jpg)
Father Son and daughter trio from Jeypore win gold medal in weight lifting
ସୁନା ବାପା, ସୁନା ପୁଅ ଆଉ ଝିଅ ତ୍ ସବୁଠୁ ବେଷ୍ଟ୍। କୋରାପୁଟ ଜିଲ୍ଲା ଜୟପୁରର ବିଶ୍ୱନାଥ ନାୟକଙ୍କ ଘରେ ତିନି ତିନିଟି ଗୋଲ୍ଡ ମେଡାଲିଷ୍ଟ। ବାପା ଚାମ୍ପିଅନ୍, ପୁଅ ବି ଚାମ୍ପିଅନ୍ ଏବଂ ଝିଅ ତ ସୁପର ଚାମ୍ପିଅନ୍। କିଏ କାହାଠୁ କମ୍ ନୁହନ୍ତି। ବାପାଙ୍କ ପଥକୁ ଅନୁସରଣ କରି ପୁଅ ଓ ଝିଅ ବି ଏବେ ୱେଟ୍ ଲିଫ୍ଟିଂକୁ ଆପଣାଇଛନ୍ତି।
ୱେଟ୍ ଲିଫ୍ଟିଂ(Weight Lifting)ରେ ମାଷ୍ଟର ହେଉଛନ୍ତି ବାପା, ଝିଅ ଏବଂ ପୁଅ। ରାୟଗଡ଼ାରେ ଆୟୋଜିତ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ତିନି ଜଣ ଯାକ ବାଜି ମାରିଛନ୍ତି। ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ନିଜ ବିଭାଗରେ ହୋଇଛନ୍ତି ୧ ନମ୍ବର। ନିଜ ପିଲାଙ୍କ ସହ ଗୋଟିଏ ଷ୍ଟେଜ୍ରେ ପ୍ରଦର୍ଶନ କରିଥିବାରୁ ବିଶ୍ୱନାଥ ଏବେ ବେଶ୍ ଖୁସି ।
ବିଶ୍ୱନାଥଙ୍କ ପୁଅ ବିବେକ(୧୮) ଓ ୧୧ ବର୍ଷର ଝିଅ ବୈଭବୀ ବାପାଙ୍କ ସହ ଅଭ୍ୟାସ କରନ୍ତି। ପ୍ରତିଦିନ ସକାଳେ ବାପାଙ୍କ ସହ ମିଶି ଏକାଠି ହୁଏ ୱେଟ୍ ଲିଫ୍ଟିଂ ଅଭ୍ୟାସ। ଘରେ ବାପା କିନ୍ତୁ ଅଭ୍ୟାସ ବେଳେ ଗୁରୁ। ବିଶ୍ୱନାଥଙ୍କ ସହ ଅନ୍ୟ ଖେଳାଳି ବି ଘଣ୍ଟା ଘଣ୍ଟାର ପରିଶ୍ରମ କରନ୍ତି ଯାହା ଏବେ ଫଳପ୍ରଦ ହୋଇଛି। ପୂର୍ବରୁ ବିଶ୍ୱନାଥ ଓ ଝିଅ ବୈଭବୀ ଅନେକ ମେଡାଲ୍ ଆଣିଛନ୍ତି।
ଗତ ଅଗଷ୍ଟରେ ଭୁବନେଶ୍ୱରରେ ଆୟୋଜିତ ରେଲ୍ୱେ ଓଡ଼ିଶା ଷ୍ଟେଟ୍ ଚାମ୍ପିଅନ୍ଶିପ୍ରେ ବି ବାଜି ମାରିଥିଲେ ଉଭୟ ବାପା ଓ ଝିଅ। ଆଉ ଏବେ ପୁଅ ବି ଡେବ୍ୟୁ ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ୍ ଜିତିଛନ୍ତି। ଆଗାମୀ ଦିନରେ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗର୍ବ ଆଣିବାକୁ ସେ ଆଶା ରଖିଛନ୍ତି। ଖେଳ ଓ ଅଭ୍ୟାସ ବାପା ଶିଖାଇଥିଲେ। କିନ୍ତୁ ପଦକ ଜିତେଇବାର ଅଭ୍ୟାସ ଏବେ ପିଲାମାନେ ଆଣି ଦେଇଛନ୍ତି।
(ରିପୋର୍ଟ- ଟି ଗୌରୀ ଶଙ୍କର, ଜୟପୁର)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)