Advertisment

ଅଦିନିଆ ବର୍ଷା ଭାଙ୍ଗିଦେଲା ଚାଷୀର ଅଣ୍ଟା, ପାଣିରେ ଭାସୁଛି ଅମଳ ଫସଲ

ବାତ୍ୟା ମିଗଜୋମ୍ ତ ଚାଲି ଯାଇଛି, ପାଗ ପୁରାପୁରି ସଫା ହୋଇ ନଥିଲେ ମଧ୍ୟ ବର୍ଷା ପରିମାଣ କମିଯାଇଛି। ଏଇଠୁ ଆରମ୍ଭ ହୋଇଛି ଚାଷୀଙ୍କ ଦୁର୍ଦ୍ଦଶା। କି ଧାନ, କି ପରିବା, ସବୁ କିଛି ବରବାଦ।

undefined

Farmers affected after heavy rain

Advertisment

ରାଜ୍ୟକୁ ବାତ୍ୟା ଆସିଲାନି ସତ, ହେଲେ ବର୍ଷା ଅଜାଡ଼ିଲା। ଆଉ ସେଥିରେ ଭାସିଗଲା ଚାଷୀର ସ୍ୱପ୍ନ । ଉଜୁଡ଼ି ଗଲା ବର୍ଷ ଯାକର ପରିଶ୍ରମ। ବିଲ ଭିତରେ ପାଣିରେ ଭାସୁଛି ସୁନାର ଧାନ ଫସଲ। ଲଗାଣ ବର୍ଷା ଯୋଗୁଁ ଏବେ ବି ବିଲରେ ଜମି ରହିଛି ପାଣି। ଏକର ଏକର ଧାନ ଏମିତି ଭିଜି ଯାଇଛି, ସେଥିରୁ ଦାନା ବାହାରିବ କି ନାହିଁ ସନ୍ଦେହ । ତଥାପି ବାଧ୍ୟ ହୋଇ ବିଲରୁ ପାଣି ଭିତରୁ ଧାନ ଛାଣିବାକୁ ପଡୁଛି । କେଉଁଠି ବର୍ଷା ପବନରେ ଧାନ ଗଛ ଏମିତି ପଡ଼ି ଯାଇଛି, କେମିତି ଧାନ କାଟିବ ଚାଷୀ, ମୁଣ୍ଡକୁ ବୁଦ୍ଧି ଆସୁନି । ବାଧ୍ୟ ହୋଇ ଆଖୁ ଭେଳା ପରି ଧାନ ଭେଳା କରୁଛି ଚାଷୀ। ରାଜ୍ୟର କୌଣସି ଅଞ୍ଚଳ ବାଦ୍ ପଡ଼ିନି। ତଲେଇରେ ଚାଷୀ ନିଜର ମୁଣ୍ଡକୁ ସିନା ବର୍ଷା ଦାଉରୁ ରକ୍ଷା କଲା, ଏକର ଏକର ଚାଷକୁ ଆଉ କେମିତି ତଲେଇ ପିନ୍ଧାଇବ ? ଏବେ ସେମାନେ ସରକାରୀ ସାହାଯ୍ୟକୁ ଅନେଇ ରହିଛନ୍ତି।

Advertisment

ବର୍ଷା ପବନରେ କେବଳ ଯେ ଧାନ ଫସଲ ନଷ୍ଟ ହୋଇଛି, ତାହା ନୁହେଁ। ପରିବା ଚାଷର ଅବସ୍ଥା କହିଲେ ନ ସରେ। ରାୟଗଡ଼ା ଅଞ୍ଚଳରେ ବ୍ୟାପକ ପରିବା ଫସଲ ନଷ୍ଟ ହୋଇଛି। ଟମାଟୋ ପୁରା ପଚି ଯାଇଥିବା ବେଳେ ମେଘୁଆ ପାଗ ଯୋଗୁଁ କୋବିରେ ପୋକ। ବାଇଗଣ, ଜହ୍ନି, ଲଙ୍କାର ଅବସ୍ଥା ବି ତଦ୍ରୁପ। ଝୁଡ଼ଙ୍ଗ, ପୋଟଳର ଭାଡ଼ି ଭାଙ୍ଗିବା ସହିତ ଚାଷୀର ଅଣ୍ଟା ବି ଭାଙ୍ଗିଛି। ଠିକ୍ ଫଳିବା ବେଳକୁ ପରିବା ପୁରା ବରବାଦ୍। ଆଉ ପିଆଜ ଚାଷ କଥା ନ କହିବା ଭଲ। ସବୁ ପଚି ଗଲାଣି। କୃଷି ଅଧିକାରୀ କହିଛନ୍ତି, କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦିଆଯିବ।

ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ। ରାଜ୍ୟର କୌଣସି ଅଞ୍ଚଳ ବାଦ୍ ଯାଇ ନାହିଁ। ବାତ୍ୟା ଯୋଗୁଁ ସାରା ରାଜ୍ୟରେ ହୋଇଥିବା ଲଗାଣ ବର୍ଷା, କେବଳ ଫସଲ ତ ଉଜାଡ଼ି ନାହିଁ, ଚାଷୀଙ୍କ ଆର୍ଥିକ ସ୍ଥିତିକୁ ଉଜାଡ଼ି ଦେଇଛି। ଏମିତି ତ ଡିସେମ୍ବରରେ ବାତ୍ୟା ପ୍ରାୟତଃ ହୁଏନି, ଏଥର କିନ୍ତୁ ଶୀତ ଦିନେ ବାତ୍ୟା ଆସି ଓଡ଼ିଶାର ଚାଷୀଙ୍କ ଉପରେ ଦାଉ ସାଧିଛି।

Advertisment
Heavy Rainfall Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ