ଦୁଃଖ ବୁଝିବ କିଏ ? କ’ଣ କରୁଛନ୍ତି ସରକାର ? ଧାନ ବଦଳରେ ଅଗାଡ଼ି କାଟୁଛନ୍ତି ଚାଷୀ !

ଜଳସେଚନ ବ୍ୟବସ୍ଥା ନଥିବାରୁ ଶୁଖିଯାଉଛି ଫସଲ । ଅମଳ ସମୟରେ ଚାଷୀଙ୍କୁ ଘାରୁଛି ଫସଲ ଚିନ୍ତା ।

Irrigation

ସରକାର କୃଷି କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କେଉଁଠି ମେଗା ଜଳସେଚନ ପ୍ରକଳ୍ପ ତ କେଉଁଠି କେନାଲ ଖୋଳି ଜଳସେଚନର ବ୍ୟବସ୍ଥା କରୁଛନ୍ତି । ହେଲେ ସେହି ସବୁ କେତେ କାର୍ଯ୍ୟକାରୀ ହେଉଛି ତାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ରାଜକନିକା ବ୍ଲକ୍ ହାଟସାହି ପଞ୍ଚାୟତରେ । ଶହ ଶହ ହେକ୍ଟର ଚାଷ ଜମି ଶୁଖି ନଷ୍ଟ ହୋଇଥିବାରୁ ଚିନ୍ତାରେ ଚାଷୀ ।

ଧାନ ବଦଳରେ ଅଗାଡି କାଟୁଛି ଚାଷୀ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀ ଧାନ ଅମଳ କରି ଘରକୁ ନେଉଥିବା ବେଳେ ଜଳସେଚନ ବ୍ୟବସ୍ଥା ନଥିବାରୁ ଚାଷ ଜମି ଫାଟି ଆଁ କରିଛି । କେନ୍ଦ୍ରପଡା ଜିଲ୍ଲା ରାଜକନିକା ବ୍ଲକ୍ ହାଟସାହି ପଞ୍ଚାୟତର ଶହ ଶହ ହେକ୍ଟର ଚାଷ ଜମିରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଗତ ୨ ରୁ ୩ ମାସ ହେବ ବର୍ଷା ନହେବାରୁ ଜମିରେ ଧାନ ଫସଲ ନଷ୍ଟ ହେବା ସହ ମରୁଡ଼ି ପରିସ୍ଥିତି ଉପୁଜିଛି । ଗୋଟିଏ ପଟେ ଚାଷୀଙ୍କ ଲାଗି ବର୍ଷା ଅଭାବ ଦାଉ ସାଜିଥିବା ବେଳେ ଜଳସେଚନ ସୁବିଧା ନଥିବାରୁ ଏବେ ଏହି ସ୍ଥିତି ଉପୁଜିଛି ।

ପ୍ରତିବର୍ଷ ଏହିଭଳି ମରୁଡି ପରିସ୍ଥିତି ଉପୁଜୁଥିବାରୁ ଚିନ୍ତାରେ ଅଂଚଳର ଶହ ଶହ ଚାଷୀ । ତେଣୁ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇବାକୁ ଦାବି ହୋଇଛି । ସେପଟେ ସମସ୍ୟା ସଂପର୍କରେ ଅବଗତ ଅଛୁ । ଜଳସେଚନ ନେଇ କୌଣସି ଅବ୍ୟବସ୍ଥା ଥିଲେ ତୁରନ୍ତ ସମାଧାନ କରାଯିବ ବୋଲି କେନ୍ଦ୍ରାପଡା ଜିଲ୍ଲାପାଳ କହିଛନ୍ତି ।

ହାଟସାହି ପଞ୍ଚାୟତର ଚାଷୀଙ୍କ ଦୁଖଃ କେବେ ବୁଝିବ ପ୍ରଶାସନ ? ଏଥିସହ ଜଳସେଚନ ବ୍ୟବସ୍ଥା କେବେ ହେବ ? କେବେ ଚାଷୀଙ୍କୁ ସହାୟତା ମିଳିବ ସେ ଅପେକ୍ଷାରେ ଅଂଚଳର ହଜାର ହଜାର ଚାଷୀ ।

 

(ରିପୋର୍ଟ-ବନମାଳି ସାହୁ, ଆଳି)