• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ବଜାରରେ ପିଆଜ ଦର କେଜି ପିଛା ୭୦ ଟପିଲାଣି । ମହାରାଷ୍ଟ୍ର ନାସିକରୁ ପର୍ଯ୍ୟାପ୍ତ ପିଆଜ ଆସୁନି ବୋଲି ଏପରି ଅବସ୍ଥା । ହେଲେ ଓଡ଼ିଶାରେ କ'ଣ ପିଆଜ ହେଉନି ? ଉତ୍ପାଦିତ ପିଆଜ ଯାଉଛି କୁଆଡ଼େ ? ବଲାଙ୍ଗୀର ଓ ଗଜପତିର ଚାଷୀ ଏବେ କାନ୍ଦୁଛନ୍ତି, କାରଣ ଯେଉଁଠି କିଛି ମାସ ତଳେ ସେମାନେ କେଜି ପିଛା ପିଆଜ ମାତ୍ର ୪/୫ ଟଙ୍କାରେ ବିକି ଦେଇଥିଲେ, ଏବେ ନିଜେ ଖାଇବା ପାଇଁ ୬୦-୭୦ ଟଙ୍କାରେ କିଣୁଛନ୍ତି ।

କ୍ଷେତରେ ହାଡ଼ ଭଙ୍ଗା ପରିଶ୍ରମ କରି ପିଆଜ ଫଳାଉଥିବା ଚାଷୀଙ୍କ କଥା ଶୁଣିଲେ ଆଖିରେ ଲୁହ ଆସିଯିବ । ପାଣି କାଦୁଅରେ ଖଟି 
ଖଟି ପିଆଜ ଚାଷ କରୁଥିବା ଚାଷୀ ସଂରକ୍ଷଣର ସୁବିଧା ନଥିବାରୁ, କିଲୋ ପିଛା ୪ରୁ ୫ ଟଙ୍କାରେ ବିକ୍ରି କରନ୍ତି। ଆଉ ପଖାଳ ଗଣ୍ଡେ ଖାଇବା ପାଇଁ ନିଜେ କିଣିଲା ବେଳକୁ ୭୦ରୁ ୮୦ ଟଙ୍କାରେ କିଣୁଛନ୍ତି । ଏ ହେଉଛନ୍ତି ବଲାଙ୍ଗିର ଜିଲ୍ଳାର ବିଡମ୍ବନା । ଜିଲ୍ଲାରେ ପ୍ରଚୁର ମାତ୍ରାରେ ପିଆଜ ଚାଷ ହୁଏ । ଟିଟିଲାଗଡ଼ କୁହନ୍ତୁ ବା ତୁରେକେଲା, ବଙ୍ଗୋମୁଣ୍ଡା ହେଉ କି ମୁରିବାହାଲ । ପିଆଜ ଚାଷ ପାଇଁ ପ୍ରସିଦ୍ଧ ଏସବୁ ଇଲାକା । କିନ୍ତୁ, ପିଆଜ ସଂରକ୍ଷଣ ପାଇଁ ବ୍ୟବସ୍ଥା ନାହିଁ ।

ଯେଉଁ ଜିଲ୍ଳାରେ ପ୍ରଚୁର ପରିମାଣର ପିଆଜ ଉତ୍ପାଦନ ହୁଏ, ସେହି ଜିଲ୍ଲାର ଚାଷୀ ବିକିଲା ବେଳକୁ ୪ରୁ ୫ ଟଙ୍କାରେ ବିକ୍ରି କରେ, ଆଉ ଏବେ ଖାଇବା ପାଇଁ କିଣୁଛି ୬୦ରୁ ୭୦ ଟଙ୍କାରେ । ଏନେଇ ଉଦ୍ୟାନ କୃଷି ବିଭାଗର କହିବା କଥା, ବଲାଙ୍ଗିର ଜିଲ୍ଳାରେ ୩ ହଜାର ହେକଟର ଜମିରେ ପିଆଜ ଚାଷ ହୋଇଥାଏ । ୩୦ ହଜାର ମେଟ୍ରିକ ଟନରୁ ଅଧିକ ପିଆଜ ଉତ୍ପାଦନ ହୁଏ । ହେଲେ ଏତେ ପରିମାଣର ପିଆଜକୁ ରଖିବା ପାଇଁ ନା ଶୀତଳ ଭଣ୍ଡାର ଅଛି, ନା ପିଆଜ ସଂରକ୍ଷଣର ବ୍ୟବସ୍ଥା ଅଛି ।

ନାସିକ୍ ମଡେଲରେ ଟିଟିଲାଗଡ ଅଂଚଳରେ ୪ଟି ପିଆଜ ସାଇତା ଘର ଖୋଲିଥିଲା, କିନ୍ତୁ ତା’ର ଅବସ୍ଥା ନ କହିଲେ ଭଲ । ମୁରିବାହାଲ ସାଇତା ଘରେ ତାଲା ପଡିଛି । ଅନ୍ୟ ୩ଟି ବି କାମ କରୁନଥିବା କହିଛନ୍ତି ଅଧିକାରୀ । ତେଣୁ ବିଡମ୍ବନା, ଉତ୍ପାଦିତ ପିଆଜକୁ ୪/୫ ଟଙ୍କାରେ କିଣି ବ୍ୟବସାୟୀ ରାୟପୁରରେ ସଂରକ୍ଷଣ କରନ୍ତି । ଆଉ ମଉକା ଦେଖି, ଚଢ଼ାଦରରେ ବଜାରକୁ ଛାଡନ୍ତି ।ପରିଣାମ ସ୍ୱରୂପ ୫ଟଙ୍କାର ପିଆଜ ୭୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଅଧିକାରୀ କହିଛନ୍ତି, ସବୁ ବ୍ୟବସ୍ଥା କରିଛୁ, ଅବସ୍ଥା ଠିକ୍ ଠାକ୍ ଅଛି । 

ପିଆଜର ଏଭଳି ଲୁହଭରା କାହାଣୀ ଭିତରେ ଗଜପତି ମୋହନା ଅଞ୍ଚଳରେ ଆହୁରି ସଙ୍ଗୀନ ସ୍ଥିତି । ମାଳ ମାଳ ହୋଇ ଓହଳିଛି ହାଣ୍ଡିଶାଳର ମହଙ୍ଗା ପରିବା । ଶୀତଳ ଭଣ୍ଡାର କିମ୍ବା ସଂରକ୍ଷଣ ସୁବିଧା ଅଭାବରୁ ଝୁଲି ଝୁଲି ଗଜା ବାହାରି ଯାଉଛି । ମୋହନା 
ବ୍ଲକର ବାଲିବାଡ, କମ୍ପାଗୁଡ଼ା ଭଳି ବହୁ ଆଦିବାସୀ ଗାଁରେ ଏଭଳି ପଚିଷଢ଼ି ନଷ୍ଟ ହେଉଛି ପିଆଜ । ଏକଥା ଆଜିର ନୁହେଁ, ପ୍ରତିବର୍ଷ ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ପିଆଜ ଚାଷୀ । ଚାଷୀ ହୁଅନ୍ତୁ ବା ସାଧାରଣ ଖାଉଟୀ । ପ୍ରତିବର୍ଷ ମହଙ୍ଗା ପିଆଜ ପାଇଁ ଆଖିରୁ ଲୁହ ଝରାଉଥିବାବେଳେ କେବେ ସରକାରଙ୍କ ଚୈତନ୍ୟ ଉଦୟ ହେବ ଏବଂ କେବେ ହେବ ସଂରକ୍ଷଣ ବ୍ୟବସ୍ଥା, ତାକୁ ନେଇ ପ୍ରଶ୍ନ।

  • Reported by:
  • MANARANJAN JOSHI , Mihir Jati , Ghateswar Mishra , Antim Panigrahi