• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପଡ଼ିଆରେ ଲଗାଯାଇଥିଲା ଲିଚୁ ଗଛ । ଖର୍ଚ୍ଚ ହୋଇଥିଲା ସାଢେ ୪ ଲକ୍ଷ ଟଙ୍କା । ଆଶାଥିଲା ଚରା ଭୂଇଁରେ ଗଛ ଲାଗିବ, ଫଳ ଫଳିବ ଆଉ ଲାଭବାନ ହେବେ ଚାଷୀ । ହେଲେ ସବୁ ସ୍ୱପ୍ନ ଏବେ ସ୍ୱପ୍ନରେ ରହିଯାଇଛି । ସବୁ ଆଶା ଆଶାରେ ରହିଯାଇଛି । ଆଉ ପଦାରେ ପଡିଛି ସରକାର ମିଛରେ କେମିତି ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦନ୍ତି ।

କାଗଜପତ୍ରରେ ଗଛ ଲାଗିଛି ହେଲେ ଗ୍ରାଉଣ୍ଡ ଜିରୋର ଦୃଶ୍ୟ ଦେଖିଲେ ମୁଣ୍ଡ ଝାଇଁ ମାରିଦେବ । କନ୍ଧମାଳ ସଦର ମହକୁମା ଫୁଲବାଣୀ ବ୍ଲକରେ ୪ ଲକ୍ଷ ପାଞ୍ଚ ହଜାର ଟଙ୍କାରେ କରାଯାଇଥିବା ଲିଚୁ ବଗିଚା ବର୍ତ୍ତମାନ ଗାଈଗୋରୁଙ୍କ ଚରାଭୂଇଁ ପାଲଟିଯାଇଛି । ଗୋଟିଏ କି ଦୁଇଟି ନୁହେଁ ବରଂ ହଜାର ହଜାର ଲିଚୁ ଗଛରୁ ଗୋଟିଏ ବି ବଞ୍ଚିଲା ନାହିଁ । ବଗିଚାର ଦାୟିତ୍ୱ ନେଇଥିବା ସଂସ୍ଥା କେବଳ ଫଳକ ମାରି ନାହିରେ ତେଲ ମାରି ଶୋଇଛି । ଆଉ କାନ୍ଦି କାନ୍ଦି ଦିନ କାଟୁଛନ୍ତି ଚାଷୀ । ଖାଲି ଏତିକି ନୁହେଁ ବରଂ ଲିଚୁ ବଗିଚାରେ ସାଙ୍ଘାତିକ ଦୁର୍ନୀତି ହୋଇଥିବା ଚାଷୀମାନେ ଅଭିଯୋଗ କରିବା ସହିତ ତଦନ୍ତ କରିବାକୁ ଦାବି କରିଛନ୍ତି ।

ଫୁଲବାଣୀ ତୁଡ଼ିପାଜୁ ଜି.ପିର ମଜୁରିବିଡ଼ା ଗାଁରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଓଡ଼ିଶା ସରକାରଙ୍କ ୱାଡ଼ି ପ୍ରୋଗ୍ରାମରେ ମଜୁରିବିଡ଼ା ଗାଁର ୪ ଜଣ ଚାଷୀ ୨ ହେକ୍ଟର ଜମିରେ ଲିଚୁ ବଗିଚା କରିଥିଲେ । ୨୦୧୮-୧୯ ଆର୍ଥିକ ବର୍ଷରେ ୪ ଲକ୍ଷ ୫ ହଜାର ଟଙ୍କାରେ ଏହି ପ୍ରକଳ୍ପ କରାଯାଇଥିଲା । ୫/୭/୨୦୧୮ ରେ ବଗିଚାର କାମ ଆରମ୍ଭ ହୋଇ ୫/୭/୨୦୨୧ ରେ ଶେଷ ହୋଇଥିଲା । ପ୍ରକଳ୍ପରେ ଅଣ-କୁଶଳୀ ଶ୍ରମିକ ବାବଦରେ ୨,୫୧,୧୬୦ ଟଙ୍କା ଏବଂ ସାମଗ୍ରୀ ଅଂଶ ବାବଦରେ ୧,୫୪,୮୪୦ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଫଳକରେ ଦର୍ଶାଯାଇଛି । ହେଲେ ମୋଟ୍‌ ହିସାବରେ ପ୍ରକଳ୍ପ ଅଟକଳ ପରିମାଣଠାରୁ ୧ ହଜାର ଟଙ୍କା ଅଧିକ ହେଉଛି । ଏବଂ ଏହି କାର୍ଯ୍ୟକୁ ଫୁଲବାଣୀ ITDA ପକ୍ଷରୁ କରାଯାଇଥିବା ଫଳକରେ ଲେଖା ହୋଇରହିଛି ।

ହେଲେ ଏବେ କେବଳ ଫଳକ ଥିବା ବେଳେ ଗଛ ଗୋଟିଏ ହେଲେ ନାହିଁ । ଯୁଆଡେ ଦେଖିବେ ସିଆଡେ କେବଳ ଘାସ ଆଉ ଘାସ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଲିଚୁ ବଗିଚାରେ ଯେଉଁ ଚାଷୀଙ୍କ ନାଁରେ ଟଙ୍କା ଅନୁମୋଦନ ହୋଇଛି ସେମାନେ ବି ଜାଣିନାହାନ୍ତି କେଉଁଠି କେତେ ଟଙ୍କା ଖର୍ଚ୍ଚ ହେଲା ? ଏଠାରେ ପ୍ରଶ୍ନ ଉଠୁଛି, ଲିଚୁ ବଗିଚା କାର୍ଯ୍ୟନିର୍ବାହୀ ସଂସ୍ଥା ITDA ପ୍ରକୃତରେ ଚାଷୀଙ୍କୁ ନିମ୍ନମାନର ଲିଚୁ ଚାରା ଦେଇଥିଲା କି ? ଗଛ ଲାଗିବା ପରେ କାହିଁକି ତା’ର ଅନୁଧ୍ୟାନ କରାଗଲା ନାହିଁ ? ବର୍ତ୍ତମାନ ସ୍ଥିତି ପାଇଁ କିଏ ଦାୟୀ ? ତେବେ ଏନେଇ ବିଭାଗୀୟ ଅଧିକାରୀ କହିଛନ୍ତି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

 

  • Reported by:
  • Trinath Sahoo