Advertisment

'ରେଞ୍ଜର ବାବୁ ହାତୀ ଆମ ଘର ଭାଙ୍ଗିଦେଲା, ମୁଁ ତୁମ ଅଫିସ୍‌ରେ ରହିବି'

ରାତି ଅଧରେ ଘର ଭାଙ୍ଗିଦେଲା ଦନ୍ତା। ଝୋ ଝୋ ବର୍ଷାରେ କୁଆଡେ ଯିବେ ପରିବାର? କିଛି ବୁଦ୍ଧିବାଟ ପାଇଲେନି...ସିଧା ରେଂଜରଙ୍କ କାର୍ଯ୍ୟାଳୟ ସାମ୍ନାରେ ବସିଲେ। କହିଲେ, ଆମକୁ ଘର ଦେବ ତ ଆମେ ଯିବୁ, ନହେଲେ ଏଇଠି ରହିବୁ। ସେପଟେ ପରିବାରକୁ ଦେଖି ଅଫିସ୍‌ରେ ତାଲା ପକାଇ ପଳାଇଲେ କର୍ମଚାରୀ।

author-image
Manoranjan Behera
Elephant Destroy Home

Elephant Destroy Home

ହାତୀ ଘର ଭାଙ୍ଗିଲା । ରେଞ୍ଜରଙ୍କ ଅଫିସ୍‌ରେ ବସି କ୍ଷତିଗ୍ରସ୍ତ କହିଲେ, 'ଘର ଦିଅ ନହେଲେ ଆମେ ଏଇଠି ରହିବୁ' । ଅଫିସ୍‌ ସାମ୍ନାରେ କାଟିଲେ ୧୨ ଘଂଟା । ହାତୀ ଘର ଭାଙ୍ଗି ସବୁ ଜିନିଷପତ୍ରକୁ ପୂରା ଖିନଭିନ କରିଦେଇଛି । କାନ୍ଥ ଭାଙ୍ଗି ମାଟିରେ ମିଶିଛି ଆଉ ଆଜବେଷ୍ଟସ୍‌ ତଳେ ପଡ଼ିଛି । ଖାଲି ଏତିକି ନୁହେଁ ବରଂ ଚୁଲି ଭାଙ୍ଗିଛି ଆଉ ଚାଉଳ ବିଛାଡ଼ି ହୋଇ ପଡ଼ିଛି । ଆଉ ଘର ଭାଙ୍ଗିଯିବା ପରେ ବର୍ଷାରେ କୋଉଠି ରହିବେ, ସେଇ ଚିନ୍ତାରେ ବାହାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ପୂରା ପରିବାର ।

Advertisment

ରାତି ପ୍ରାୟ ୧ଟା ବେଳେ ଖାଇପିଇ ସମସ୍ତେ ଅଚିନ୍ତା ନିଦରେ ଶୋଇଥିଲେ । ହେଲେ ହଠାତ୍‌ ଗାଁ ଭିତରକୁ ପଶିଆସିଥିଲା ଦନ୍ତା ହାତୀ । ଆଉ ରବିପାତ୍ରଙ୍କ ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଥିଲା ଦନ୍ତା । ଅଧ ରାତିରେ ରବି କଣ କରିବେ, ସେନେଇ କିଛି ମୁଣ୍ଡରେ ପଶିନଥିଲା । ଆର୍ଥିକ ଅବସ୍ଥା ଭଲ ନଥିବାରୁ ନୂଆ ଘର କରିବା ତାଙ୍କ ପକ୍ଷରେ ସମ୍ଭବ ବି ନଥିଲା । ସେଥିପାଇଁ ବନାଞ୍ଚଳ କାର୍ଯ୍ୟାଳୟ ସାମ୍ନାରେ ପୂରା ପରିବାର ସହ ବସିରହିଲେ ରବି ।

କେବଳ ରବି ନୁହେଁ ବରଂ ଦୁଇ ବର୍ଷର ଶିଶୁ ଓ ବୁଢା ବାପା ମାଙ୍କ ସହ ସ୍ଵାମୀ ସ୍ତ୍ରୀ ଏମିତି ବନାଚଂଳ କାର୍ଯ୍ୟାଳୟ ସାମ୍ନାରେ ବସିଥିଲେ । ହାତୀ ଘର ଭାଙ୍ଗିଦେଲା ବୋଲି ସହାୟତା ଆଶାରେ ସରକାରୀ ଦପ୍ତର ସାମ୍ନାରେ ବସିଥିଲେ ରବିଙ୍କ ପରିବାର । ହେଲେ ସରକାରୀ ବାବୁ ରବିଙ୍କୁ ସାହାଯ୍ୟ କଣ କରିବେ, ଓଲଟି ତାଙ୍କୁ ଦେଖି ଅଫିସ୍‌ରେ ତାଲା ମାରି ଚମ୍ପଟ ମାରିଥିଲେ ।

Advertisment

ବର୍ଷା ପାଗରେ ପୂରା ରାତି ଅଫିସ ସାମ୍ନାରେ ରବି କଟାଇ ଦେଲେ ସତ କିନ୍ତୁ କିଛି ଲାଭ ମିଳିଲାନି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ରବି । ତେବେ ହାତୀ ଘର ଭାଙ୍ଗିଲେ କ୍ଷତିଗ୍ରସ୍ତଙ୍କୁ ଅନେକ ପ୍ରକାର ସରକାରୀ ସହାୟତା ମିଳୁଛି । ହେଲେ ରବି କାହିଁକି ଏହାଠାରୁ ବାଦ୍‌ ପଡ଼ିଲେ ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ।

ରିପୋର୍ଟର- ସୁନିଲ କୁମାର ପଣ୍ଡା

Special Story Elephant Destroy Home
Advertisment
Advertisment