• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜୀବନ ବଞ୍ଚାଇବାକୁ ଯାହା ମୌଳିକ ଆବଶ୍ୟକତା ତାହା ନାହିଁ...ନା ରହିବାକୁ ଘର, ନା ଖାଇବାକୁ ଦି ମୁଠା ଖାଦ୍ୟ । ଶେଷରେ ବାଧ୍ୟ ହୋଇ ଗାଁ ଛାଡ଼ି ଜଙ୍ଗଲରେ କନ୍ଦା ଖାଇ ଜୀବନ କାଟୁଛନ୍ତି ନଅ ପ୍ରାଣୀ କୁଟୁମ୍ବ । ଦାରିଦ୍ର୍ୟର ଚରମ ସୀମାରେ ଜୀବନ କାଟୁଛନ୍ତି ଗଜପତି ମୋହନା ବ୍ଳକର ରାମ ମଲ୍ଲିକ।

୭ ବର୍ଷ ହେଲାଣି ରାମ ମଲ୍ଲିକ ତାଙ୍କ ପତ୍ନୀ କଳାବତି ମଲ୍ଲିକ ଓ ୬ ଗୋଟି ଝିଅ ଓ ଗୋଟିଏ ପୁଅକୁ ନେଇ ପାହାଡ଼ ଶିଖରେ ଏକ ପଲଥିନ କୁଡିଆ କରି ଅସହାୟ ଜୀବନ ବିତାଉଛନ୍ତି । ଘର ଖଣ୍ଡେ ପାଇଁ ପଞ୍ଚାୟତ ପ୍ରତିନିଧିଙ୍କ ନିକଟରେ ବହୁବାର ଗୁହାରି କରିବା ପରେ ମଧ୍ୟ ତାଙ୍କୁ ଘର ଖଣ୍ଡେ ମିଳିଲା ନାହିଁ ।

ଦାରିଦ୍ର୍ୟ ମଧ୍ୟରେ ରାମ ମଲ୍ଲିକ ତାଙ୍କ ୪ ପୁଅଙ୍କୁ ହରାଇବା ପରେ ସେ ଦୁଃଖରେ ଭାଙ୍ଗି ପଡ଼ିଲେ । ସେତେବେଳେ ତାଙ୍କର ଘର ମଧ୍ୟ ଭାଙ୍ଗିଯାଇଥିଲା । ଫଳରେ ରାମଙ୍କ ପରିବାର ପାଖରେ ମୁଣ୍ଡ ଗୁଞ୍ଜିବାକୁ ଘର ନ ଥିଲା କି ଖାଇବାକୁ ଦାନା ନ ଥିଲା । ଶେଷରେ ବାଧ୍ୟ ହୋଇ ରାମ ଗାଁ ଛାଡି ତାଙ୍କ ପରିବାରକୁ ଧରି ଘଞ୍ଚ ଜଙ୍ଗଲ ମଧ୍ୟକୁ ଚାଲି ଗଲେ । ୭ ବର୍ଷ ହେଲା, ଏବେ ପାହାଡ଼ ଉପରେ ଏକ ପଲଥିନ କୁଡିଆ ଘରେ ଅତି ଦୟନୀୟ ସ୍ଥିତିରେ ଜଙ୍ଗଲରୁ କନ୍ଦା ସଂଗ୍ରହ କରି ଖାଇ ଜୀବନ ବିତାଉଛନ୍ତି ।

ବହୁବାର ଗୁହାରି ପରେ ଏବେ ୩ ବର୍ଷ ହେଲା ପରିବାରଙ୍କୁ ସରକାର ତରଫରୁ ମାତ୍ର ୨୫ କେଜି ଚାଉଳ ମିଳୁଛି । ପାହାଡ଼ରୁ ସ୍କୁଲ୍ ଯିବା ସମ୍ଭବ ନ ହେବାରୁ ବଡ ଝିଅ ମଇନା ପଞ୍ଚମ ଶ୍ରେଣୀରୁ ପାଠ ଛାଡି ଭାଇ ଭଉଣୀଙ୍କ ଯତ୍ନ ନେଉଛି ।

ସେପଟେ ନିଜ ଗାଁକୁ ଫେରି ଆସିବାକୁ ଗ୍ରାମବାସୀ ରାମଙ୍କୁ ବୁଝାଉଛନ୍ତି । ହେଲେ ଗାଁରେ ରାମଙ୍କର ଘର ନ ଥିବାରୁ ସେ ଗାଁକୁ ଫେରିପାରୁ ନାହାଁନ୍ତି । ରାମଙ୍କ ପରିବାର ଜଙ୍ଗଲରେ ରହିଲେ, କୁନି କୁନି ପିଲାଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବା । ତେଣୁ ରାମଙ୍କ ପରିବାରକୁ ଘର ଖଣ୍ଡେ ଯୋଗାଇ ଦେବା ସହ ପିଲାଙ୍କ ପାଠ ପଢା ସହାୟତା ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ଗ୍ରାମବାସୀ ।

ସେପଟେ ସରପଞ୍ଚ କହିଛନ୍ତି, ଆବାସ ଯୋଜନା ତାଲିକାରେ ରାମଙ୍କର ନାଁ ନାହିଁ । ତେଣୁ ଏ ସମ୍ପର୍କରେ ସେ ବିଡ଼ିଓ ଓ ପିଲାଙ୍କ ପାଠ ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରିବେ ।

ସରକାର ବିକାଶର ନାରା ଦେଉଥିବା ବେଳେ ରାମଙ୍କ ପରିବାର ପାଇଁ ସରକାରୀ ଯୋଜନା ସାତ ସପନ । ଆବାସ ଘର ଖଣ୍ଡିଏ ମିଳିଲେ ସୁଧୁରି ଯାଆନ୍ତା ୯ ପ୍ରାଣୀ କୁଟୁମ୍ବଙ୍କ ଜୀବନ । ଜନପ୍ରତିନିଧି ରାମଙ୍କୁ ଅନେକବାର ଚିରାଚରିତ ଢଙ୍ଗରେ ପ୍ରତିଶ୍ରୁତି ଦେଇଛନ୍ତି, ତେବେ ତାହା କେବେ କାର୍ଯ୍ୟକାରୀ ହେବ ତାହା ହିଁ ଦେଖିବାକୁ ବାକି ରହିଲା ।

  • Reported by:
  • Mihir Jati