Advertisment

ପ୍ରହସନ ପାଲଟିଛି ହାତୀ ସୁରକ୍ଷା

ଖୋର୍ଦ୍ଧା ଭୁଷଣ୍ଡପୁରରେ ହାତୀ ଅଘଟଣ ଅଚାନକ ନ ଥିଲା। ବନବିଭାଗ ପାଖରେ ଆଗରୁ ଖବର ଥିଲା, ହେଲେ ତତ୍ପରତା ନ ଥିଲା। ଯେଉଁ କାରଣରୁ ୨ ହତୀଙ୍କ ଜୀବନ ଚାଲିଗଲା।

author-image
Pramod Behera
Elephant death tension

Elephant death tension

ଆମେ ପରା ହାତୀ, ମଣିଷତ ନୁହେଁ ନା, ଆମେ କଥା କହିପାରୁନା, ଆନ୍ଦୋଳନ ବି କରିପାରୁନା ସେଇଥିପାଇଁ ତ ଆମ ମୃତ୍ୟୁ ତୁମ ପାଇଁ କେବଳ ସଂଖ୍ୟା ଗଣନା... ସୁରକ୍ଷା ଚିନ୍ତା ତ ଖାଲି ବାହାନା । କାହିଁକି ନା, ଆମେ ପରା ହାତୀ, ତୁମ ଭଳି ମଣିଷ ନୁହେଁ ନା, ହୁଏତ ସ୍ୱର୍ଗରେ ଥାଇ ମାନବଜାତିକୁ କିଛି ଏମିତି ବିଦ୍ରୁପ କରୁଥିବେ ୨ ମୃତହାତୀର ଆତ୍ମା। କାରଣ ଅଭିଯୋଗ ହେଉଛି, ଖୋର୍ଦ୍ଧା ଭୁଷଣ୍ଡପୁରରେ କାଲିର ଅଘଟଣ ଅଚାନକ ନ ଥିଲା। ବନବିଭାଗ ପାଖରେ ଆଗରୁ ଖବର ଥିଲା, ହେଲେ ତତ୍ପରତା ଜମା ବି ନ ଥିଲା।

Advertisment

ସନ୍ଧ୍ୟା ପ୍ରାୟ ୭ଟା, ଖୋର୍ଦ୍ଧା ଟାଙ୍ଗି ରେଞ୍ଜ୍ ଭୁଷଣ୍ଡପୁର ଲେବଲ୍‌ କ୍ରସିଂ ନିକଟରେ ରେଳଧାରଣା ପାରିହେବା ବେଳେ ୧୦ ଟିକିଆ ହାତୀପଲକୁ ଲୋକଙ୍କ ଆଖି ସାମ୍ନାରେ ଧକ୍କା ଦେଇଥିଲା ମାଲ୍‌ହାହୀ ଟ୍ରେନ୍। ୨ଟି ଆହତ ହାତୀ ରାତି ତମାମ୍ ଛଟପଟ ହେଲେ, ଆଉ ରାତି ପାହିଲା ବେଳକୁ ଆଖି ବୁଜିସାରିଥିଲେ। ଗୋଟିଏ ୪ ବର୍ଷର ଦନ୍ତା, ଆରଟି ୧୦ ବର୍ଷର ମାଈହାତୀ। ଲୋକଙ୍କ କହିବା କଥା, ସେ ଅଞ୍ଚଳରେ ବେଶ କିଛିଦିନ ହେବ ପ୍ରାୟ ୩୦ଟି ହାତୀ ଉପଦ୍ରବ କରୁଥିବା ଏବଂ ଗତକାଲି ହାତୀପଲ ରେଳଧାରଣା ପାଖରେ ବୁଲୁଥିବା ବନବିଭାଗକୁ ଖବର ଦିଆଯାଇଥିଲା । ହେଲେ ବନବିଭାଗ ଓ ରେଳବିଭାଗ ମଧ୍ୟରେ ସମନ୍ୱୟର ଅଭାବରୁ ହିଁ ଏତେ ବଡ଼ ଅଘଟଣ ଘଟିଗଲା । ସେପଟେ ହାତୀ ମୃତଦେହକୁ ବ୍ୟବଚ୍ଛେଦ ପରେ ପୋତି ଦେଇ, ଦୁର୍ଘଟଣାର କାରଣ ଖୋଜୁଛନ୍ତି ଉଭୟ ବିଭାଗ।

ଆମ ରାଜ୍ୟରେ ହାତୀକୁ ପୂଜା କରାଯାଏ, ରାଜ୍ୟ ପଶୁର ମାନ୍ୟତା ବି ଦିଆଯାଏ। ହେଲେ ଏହି ବିରାଟକାୟ ଜନ୍ତୁର ଦୁର୍ଦ୍ଦଶା କଥା କହିଲେ ନସରେ। ସରକାରୀ ତଥ୍ୟ କହୁଛି, ୨୦୧୬-୧୭ ରୁ ୨୦-୨୧, ଅର୍ଥାତ୍ ୫ ବର୍ଷ ଭିତରେ ୪୦୬ ହାତୀଙ୍କ ଜୀବନ ଯାଇଛି। ସେଥିରୁ ୧୬୨ଟି ଦୁର୍ଘଟଣାଜନିତ, ଯେଉଁଥିରୁ ୧୪ଟି ରେଳ ଦୁର୍ଘଟଣା ସଂପର୍କିତ।

Advertisment

ପ୍ରକାଶଥାଉ ଯେ ୨୦୧୨ ଡିସେମ୍ବରରେ ଗଞ୍ଜାମ ସୁବଳୟାରେ ୬ଟି ହାତୀକୁ ଧକ୍କା ଦେଇ ମାରିଥିଲା କରମଣ୍ଡଳ ଏକ୍ସପ୍ରେସ୍। ଖାଲି ରେଳ ଦୁର୍ଘଟଣା ନୁହେଁ, ବିଭିନ୍ନ କାରଣରୁ ଆଜି ସଂକଟରେ ଗଜରାଜ। ଗତ ଶୁକ୍ରବାର ଢେଙ୍କାନାଳ ବଈଲୋ ଟାଙ୍ଗର ଜଙ୍ଗଲରେ ଗର୍ଭବତୀ ହାତୀର ମୃତଦେହ ମିଳିଥିବା ବେଳେ, ଗତକାଲି ସୁବର୍ଣ୍ଣପୁର ବିନିକା ଅଞ୍ଚଳରେ ଏକ ଗୁଳିବିଦ୍ଧ ହାତୀ ଛୋଟେଇ ଛୋଟେଇ ଚାଲୁଥିବା ଦେଖିବାକୁ ମିଳିଛି।

Odisha News
Advertisment
Advertisment