ନିଜ ହାତରେ ସେ ଗଢ଼ିଛନ୍ତି ଶହ ଶହ ଛାତ୍ରଛାତ୍ରୀ। କିନ୍ତୁ ଏବେ ସେ ଆଶ୍ରୟ ନେଇଛନ୍ତି ଗୁହାଳ ଘରେ। ଭାଙ୍ଗିରୁଜି ଯାଇଥିବା ତାଙ୍କ ଚାଟ୍ଟଶାଳୀରେ ଏବେ ଗୋରୁ ବନ୍ଧା ଯାଉଛନ୍ତି। ଆଖିକୁ ଦିଶୁଛି, ହେଲେ ଦେହ ପା ଆଉ ଭଲ ରହୁନି। ୮୫ ବର୍ଷୀୟା ବୃଦ୍ଧା ମାଳତୀ ଦାସଙ୍କ ପାଇଁ ଏବେ ଏଇ ବାଡ଼ି ଖଣ୍ଡିକ ଭରସା। ନହେଲେ ବାଟ ଚାଲିବା କଷ୍ଟ।
ଦିନ ଥିଲା ମାଳତୀ ବେଶ୍ ଚଳଚଞ୍ଚଳ ଥିଲେ। ଗୁହାଳ ପାଲଟି ଯାଇଥିବା ତାଙ୍କର ଘରଟି ମଧ୍ୟ ଖୁବ୍ ଗହଗହ ଥିଲା। ସାରା ଅଞ୍ଚଳରେ ସେ ସମସ୍ତଙ୍କର ମାଳତୀ ଗୁରୁମାଆ। ହଜାର ହଜାର ପିଲାଙ୍କୁ ଖଡ଼ି ଛୁଆଁଇଛନ୍ତି, ପାଠ ପଢ଼େଇ ବଡ଼ ମଣିଷ କରିଛନ୍ତି।
ତିନି ପିଢ଼ିର ଗୁରୁମା ମାଳତୀ ଦାସ। ବାପପୁଅ ଆଉ ପୁଅର ପୁଅଝିଅଙ୍କୁ ମଧ୍ୟ ସେ ପାଠ ପଢ଼ାଇଛନ୍ତି। ଆଖପାଖ ଗାଁମାନଙ୍କରୁ ଏହି ଚାଟଶାଳୀକୁ କେତେକେତେ ପିଲା ପାଠ ପଢିବାକୁ ଆସୁଥିଲେ ତାର ହିସାବ ନାହିଁ। ତାଙ୍କ ଚାଟ୍ଟଶାଳୀରେ ଖଡ଼ି ଛୁଇଁ ଆଜି ଅନେକ ପିଲା ବଡ଼ ଅଫିସର ଡାକ୍ତର ଇଞ୍ଜିନିୟର ହୋଇଛନ୍ତି।
ମାଳତୀଙ୍କ ଚାଟଶାଳୀରେ କେତେଯେ ପିଲାଙ୍କର ଭାଗ୍ୟ ଭବିଷ୍ୟତର ମୂଳଦୁଆ ପଡିଛି। ହେଲେ ଚାଟଶାଳୀ ଘରଟି କିନ୍ତୁ ଆଜି ଗୋରୁ ଗୁହାଳରେ ପରିଣତ ହୋଇଛି। ଚାଳ ବାଟଦେଇ ସୂର୍ଯ୍ୟକିରଣ ପଡୁଛି। କାନ୍ଥ ସବୁ ଭାଙ୍ଗି ଗଲାଣି। ଆଉ ଏଭଳି ଘରେ ରହିବା ସମ୍ଭବ ହେଉନି ମାଳତୀ ଗୁରୁମାଙ୍କ ପାଇଁ। ସେଥିପାଇଁ ଅନ୍ୟ ଜଣଙ୍କ ଘରେ ସେ ଆଶ୍ରୟ ନେଉଛନ୍ତି।
ବୟସାଧିକ ହେତୁ ଦେହପା ବି ଭଲ ରହୁନି। ୭ ବର୍ଷ ହେଲାଣି ସେ ଆଉ ଚାଟଶାଳୀ ଚଳାଇ ପାରୁନାହାନ୍ତି। ତାଙ୍କ ଶେଷ ଜୀବନ ଅନ୍ତତଃ ପକ୍ଷେ ଭଲରେ କଟିଯାଉ ସେଥିପାଇଁ ସହାୟତା ଯୋଗାଇ ଦେବାକୁ ତାଙ୍କ ଛାତ୍ରଛାତ୍ରୀମାନେ ନିବେଦନ କରିଛନ୍ତି ।