• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପିଆଜ କେଜି ୪ ଟଙ୍କା । ଇଚ୍ଛା ନଥିଲେ ବି ଉପାୟ କିଛି ନାହିଁ । ସେଇଥି ଲାଗି ତ ଏତେ କମ୍ ଦାମରେ ସାହୁକାର ଓ ଦଲାଲଙ୍କୁ ପିଆଜ ବିକ୍ରି କରୁଛନ୍ତି ଚାଷୀ । ପ୍ରଚୁର ପରିମାଣରେ ପିଆଜ ଅମଳ ହେବା ଓ ଏହାକୁ ସଂରକ୍ଷଣ କରିବା ପାଇଁ ଟିଟିଲାଗଡ଼ରେ ଆବଶ୍ୟକ ଶୀତଳଭଣ୍ଡାର ନଥିବାରୁ ଚାଷୀ ଏବେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ପ୍ରତିବର୍ଷ ପରି ଚଳିତବର୍ଷ ବି ଭଲ ପିଆଜ ଅମଳ ହୋଇଛି । ଚାହିଦା ବି ଭଲ ଅଛି । ଖାଲି ରାଜ୍ୟ ନୁହେଁ ବରଂ ବାହାର ରାଜ୍ୟରେ ବି ଏଇ ପିଆଜର ଭଲ ଚାହିଦା ରହିଛି । କିନ୍ତୁ ଶୀତଳଭଣ୍ଡାର ନଥିବାରୁ ବାଧ୍ୟ ହୋଇ ଏତେ କମ୍‌ ଦାମରେ ପିଆଜ ବିକ୍ରି କରୁଛନ୍ତି ଚାଷୀ ।

ଚାଷୀଙ୍କ ଅଭିଯୋଗ ଅନୁସାରେ, ପିଆଜ ସାଇତି ରଖିବା ପାଇଁ ଶୀତଳଭଣ୍ଡାର କିମ୍ବା ଗୋଦାମ ଘର ନାହିଁ । ତେଣୁ ଖୁବ୍ କମ୍ ଦାମରେ ସାହୁକାର ଓ ବାହାର ରାଜ୍ୟର ଦଲାଲଙ୍କୁ ଅମଳ ପିଆଜ ବିକ୍ରି କରୁଛନ୍ତି ଚାଷୀ । ସ୍ଥିତି ଏମିତି ହେଉଛି ଯେ ନିଜେ ବିକ୍ରି କରୁଥିବା ପିଆଜକୁ ୨ ମାସ ପରେ କିଣିଛନ୍ତି ଚାଷୀ ତାହା ପୁଣି ଅଧିକ ଦାମ୍‌ରେ । ବାରମ୍ବାର ଶୀତଳଭଣ୍ଡାର ଓ ସଂରକ୍ଷଣ ବ୍ୟବସ୍ଥା କରିବାକୁ ନେଇ ପ୍ରଶାସନ ପାଖରେ ଗୁହାରି କରିଛନ୍ତି ସତ ହେଲେ ଲାଭ କିଛି ମିଳିନି ।

ସମସ୍ୟା ଏତିକିରେ ସରିନି ବରଂ ଚାଷୀ ଅଭିଯୋଗ କରିଛନ୍ତି, ପିଆଜ ବିକ୍ରି କରିବାକୁ ସରକାର କୌଣସି ସ୍ଥାନରେ ମଣ୍ଡି ବି କରୁନାହାନ୍ତି । ଏବେ ଦଲାଲମାନେ ଚାଷୀଙ୍କ ପାଖରୁ ପିଆଜ କୁଇଣ୍ଟାଲ ପିଛା ୪୦୦ରୁ ୫୦୦ ଟଙ୍କା କିଣି ନେବାକୁ ପ୍ରସ୍ତାବ ଦେଉଛନ୍ତି। କିଛି ଫସଲ ବିକ୍ରି ହୋଇଛି, ଆଉ କିଛି ଦର ବଢ଼ିଲେ ବିକ୍ରି କରିବାକୁ ଆଶା ରହିଛି । ପାଣିପାଗକୁ ଦେଖି ଭୟ ରହିଥିବାରୁ ଚାଷ ଜମିକୁ ହରଦମ ଜଗି ବସିବାକୁ ପଡ଼ୁଛି ଚାଷୀ ପୁଅକୁ । ପରିଶ୍ରମ ମୁତାବକ ଖର୍ଚ୍ଚ ମିଳୁ ନ ଥିବାରୁ ଦୁଃଖ ବି ଲାଗୁଛି । ଏମିତିକି ଋଣ କରି ଚାଷ କରିଥିବା ଚାଷୀ ଭାଇ କେମିତି ଟଙ୍କା ସୁଝିବ ସେନେଇ କିଛି ଉପାୟ ବି ଦିଶୁନି ।

ପିଆଜ ଚାଷ ପାଇଁ ସର୍ବଭାରତୀୟସ୍ତରରେ ଦୁଇ ନମ୍ବର ସ୍ଥାନରେ ରହିଛି ଟିଟିଲାଗଡ ଅଞ୍ଚଳ । ନାସିକ ଅଞ୍ଚଳର ପିଆଜ ପରେ ଟିଟିଲାଗଡ ଅଞ୍ଚଳର ପିଆଜର ସବୁଠି ବେଶ୍ ଚାହିଦା ରହିଛି । ଟିଟିଲାଗଡ଼ର ଚାଷୀମାନେ ଧାନ ଅମଳ ହେବା ପରେ ପରେ ଜମିରେ ପିଆଜ ଚାଷ କରନ୍ତି । ହେଲେ ସରକାରୀ ଉଦସନୀୟତା ଲାଗି ଏବେ ଅନେକ ଅସୁବିଧାର ସାମ୍ନା କରୁଛନ୍ତି ପିଆଜ ଚାଷୀ । ତେବେ ଦେଖିବାକୁ ବାକି ରହିଲା କେବେ ପିଆଜ ଚାଷୀଙ୍କ ଦୁଃଖ ଦୂର ହେବ ।

 

  • Reported by:
  • Manas Ranjan Mohanty