• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାସୁଦେବପୁରରୁ(କିରୀଟି ଦାସ) : ଗୋଟିଏ ନଳକୂପ ପାଖରେ ଶହ ଶହ ଲୋକଙ୍କ ଭିଡ । ପାଣି ନେବା ପାଇଁ ହାତରେ ଗରା, ବାଲଟି ଧରି ଘଂଟା ଘଂଟା ଲମ୍ବା ଧାଡିରେ ଛିଡାହେବାକୁ ପଡୁଛି । ପୁଣି ତାହା ଭିତରେ ବି ପାଟିତୁଣ୍ଡ ଲାଗିଯାଉଛି, କିଏ ଆଗ ପାଣି ନେବ ପ୍ରତିଯୋଗିତା ଚାଲୁଛି । ଗୋଟିଏ ନଳକୂପ ଉପରେ ୬୦ରୁ ଅଧିକ ପରିବାର ନିର୍ଭର କରୁଛନ୍ତି । ସବୁଠାରୁ ବଡ କଥା ହେଉଛି ନଳକୂପର ମାତ୍ର ୫୦ମିଟର ଦୂରରେ ବସିଛି ପାନୀୟ ଜଳ ପ୍ରକଳ୍ପର ପାଣି ଟାଙ୍କି । ହେଲେ ଏହି ପ୍ରକଳ୍ପ ଦୀର୍ଘମାସ ଧରି ଅଚଳ ହୋଇ ପଡି ରହିଛି ।

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନୂଆଗାଁ ପଂଚାୟତରେ ପଂଚାୟତିରାଜ ଓ ପାନୀୟଜଳ ପ୍ରକଳ୍ପ ବିଭାଗ ପକ୍ଷରୁ ବସୁଧା ଯୋଜନାରେ ୨୦୧୯ମସିହାରେ ବସିଥିଲା ପାଣି ପ୍ରକଳ୍ପ । ୧ଲକ୍ଷ ଲିଟର ପାଣି ଧରିବା କ୍ଷମତା ବିଶିଷ୍ଠ ସୁଉଚ୍ଚ ପାଣି ଟାଙ୍କି ନିର୍ମାଣ ହୋଇଥିଲା । ଏହି ପଂଚାୟତର ୫ନମ୍ବର ୱାର୍ଡରୁ ୯ନମ୍ବର ୱାର୍ଡ ପର୍ଯ୍ୟନ୍ତ ପାଇପ ବିଛାଯାଇ ପାଣି ଯୋଗାଇ ଦେବାର ବ୍ୟବସ୍ଥା ହୋଇଥିଲା । ଏଥିସହ ଗାଁର କେତେକ ପରିବାର ମଧ୍ୟ ବ୍ୟକ୍ତିଗତ ଭାବେ ପାଇପ ପାଣି ପାଇଁ ସଂଯୋଗ ମଧ୍ୟ ନେଇଥିଲେ । ଗାଁରେ ପିଇବା ପାଣିର ସମସ୍ୟା ଥିବାରୁ ଏହି ପାଣି ପ୍ରକଳ୍ପ ବସିବା ପରେ ପଂଚାୟତବାସୀଙ୍କ ମନେ ବେସ ଖୁସି ଦେଖା ଦେଇଥିଲେ । ଗାଁରେ ଥିବା ନଳକୂପ ପାଣିସହ ଏହି ପ୍ରକଳ୍ପ ପାଣି ନିଶ୍ଚିତ ପାଣିର ଅଭାବକୁ ମେଂଟାଇବ ବୋଲି ଗାଁଲୋକ ଆଶାବାଦୀ ଥିଲେ । ମାତ୍ର ପ୍ରକଳ୍ପ ଚାଲିବା କିଛିଦିନ ଭିତରେ ତାହା ଅଚଳ ହୋଇଗଲା ।

ତିନି ମାସରୁ ଅଧିକ ସମୟ ଧରି ବସୁଧା ପାଣି ପ୍ରକଳ୍ପ ଅଚଳ ହୋଇପଡିଛି । ପିଇବା ପାଣି ପାଇଁ ଗ୍ରାମବାସୀ ବହୁ ହଇରାଣ ହେଉଛନ୍ତି । ଗାଁଲୋକ ବାଧ୍ୟହୋଇ ପୁଣି ସେହି ନଳକୂପ ଉପରେ ନିର୍ଭର କରୁଛନ୍ତି । ୬୦ରୁ ଅଧିକ ପରିବାର ଗୋଟିଏ ନଳକୂପ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । ପାଣି ପାଇଁ ନଳକୂଅ ପାଖରେ ସବୁ ସମୟରେ ଭିଡ ଲାଗୁଛି । ଗାଁରେ ବସିଥିବା ଆଉ ଗୋଟିଏ କଳକୂପ ଦୀର୍ଘବର୍ଷ ଧରି ଅଚଳ ହୋଇ ପଡି ରହିଛି । ଲୋକମାନେ ଏକ କିଲୋମିଟରରୁ ଉର୍ଦ୍ଧ ଦୂରରୁ ଆସି ପାଣି ନେବାକୁ ବାଧ୍ୟ ହେଉଛନ୍ତି ।

ଅନ୍ୟପଟେ ପନୀୟ ଜଳ ପ୍ରକଳ୍ପ ଅଚଳ ସମ୍ପର୍କରେ ବ୍ଲକ ଆର୍‌ଡବ୍ଲୁଏସ୍‌ଏସ୍‌ର ସହକାରୀ ଯନ୍ତ୍ରୀ କହିଛନ୍ତି, ପ୍ରକଳ୍ପ ନିର୍ମାଣ ପରେ ଆମେ ପଂଚାୟତକୁ ହସ୍ତାନ୍ତର କରିଦେଉ । ତାହା କିପରି ଚାଲିବ ସେ କଥା ପଂଚାୟତ ବୁଝିବ । ତେବେ ଏହି ପ୍ରକଳ୍ପର ବିଦ୍ୟୁତ ଦେୟ ପୈଠ ହୋଇନଥିବାରୁ ତା’ର ସଂଯୋଗ କାଟି ଦିଆଯାଇଛି । ଆମେ ବିଦ୍ୟୁତ ବିଭାଗକୁ ଅନୁରୋଧ କରିଛୁ ଖୁବ ଶିଘ୍ର ସମସ୍ୟାର ସମାଧାନ ହୋଇଯିବ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସରକାରଙ୍କ ପକ୍ଷରୁ ନିର୍ମାଣ କରା ଯାଇଥିବା ଏହି ପାନୀୟ ଜଳ ପ୍ରକଳ୍ପ ଲୋକଙ୍କ ଶୋଷ ମେଂଟାଇ ପାରୁନି, ଯାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।