• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଓଡ଼ିଶାରେ ବିଦେଶୀ ଫଳ ଚାଷ । ବାଡ଼ିରେ ଫଳିଛି ଲାଲ ଟହଟହ ଡ୍ରାଗନ୍ ଫ୍ରୁଟ୍ । ବିନା ସରକାରୀ ସହାୟତାରେ ୟୁଟ୍ୟୁବ୍ ଦେଖି ଦୁଇ ଏକର ଜମିରେ ଡ୍ରାଗନ ଫ୍ରୁଟ୍ ଚାଷ କରାଯାଇଛି । ଏପରି ନୂଆ ଧରଣର ବିଦେଶୀ ଫଳ ଡ୍ରାଗନ ଫ୍ରୁଟ୍‌ ଦେଖିବାକୁ ମିଳିଛି ନନ୍ଦାହାଣ୍ଡି ବ୍ଲକ ସିନ୍ଧିଗୁଡା ପଞ୍ଚାୟତର ଡେଙ୍ଗା ତୋଟାଗୁଡା ଗ୍ରାମରେ । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟଙ୍କୁ ମଧ୍ୟ ରୋଜଗାରର ବାଟ ଦେଖାଇଛନ୍ତି ନବରଙ୍ଗପୁରର ଚାଷୀ । ଏହାସହ କୃଷି କ୍ଷେତ୍ରରେ ନୂତନ ଚାଷ ନୂତନ ସମ୍ଭାବନା ମଧ୍ୟ ଆଣିଦେଇଛି ।

ନବରଙ୍ଗପୁର ସହରର ଅଗ୍ରଣୀ ଚାଷୀ ସୁଧାଂଶୁ ପାଢ଼ୀ । ନନ୍ଦାହାଣ୍ଡି ବ୍ଲକ ଡେଙ୍ଗାତୋଟାଗୁଡା ଗ୍ରାମରେ ଥିବା ନିଜର ୨ ଏକର ଜମିରେ କରିଛନ୍ତି ଡ୍ରାଗନ ଫ୍ରୁଟ ଚାଷ । ୟୁଟ୍ୟୁବରୁ ପ୍ରେରଣା ପାଇ ସେ ନୂଆ ପ୍ରକାର ଚାଷ କରିଛନ୍ତି । ସୁଧାଂଶୁ ଏଥିପାଇଁ ଅନଲାଇନରୁ ସୁଦୂର ଇସ୍ରାଏଲରୁ ୪ ହଜାର ଚାରା ମଗାଇଥିଲେ ।

ଗୋଟିଏ ଚାରାର ମୂଲ୍ୟ ଥିଲା ୪୦ଟଙ୍କା । ଇସ୍ରାଏଲରୁ ସେ ୪ ହଜାର ଚାରା ମଗାଇ ଗତବର୍ଷ ନିଜର ୨ଏକର ଜମିରେ ଚାରା ରୋପଣ କରିଥିଲେ । ଗଛ ବଢ଼ିବା ପାଇଁ ଯେଉଁ ଟ୍ରେନଚ୍ ଆବଶ୍ୟକ ରହିଛି ତାହା ବି ଗୁଜରାଟରୁ ମଗାଇଥିଲେ । ଚାଷୀ ସୁଧାଂଶୁ ପାଢ଼ୀଙ୍କ କହିବା ମୁତାବକ ଏହି ଫଳ ୩ ବର୍ଷରୁ ଭଲ ଫଳ ଦେବ । ପ୍ରାୟ ୧୫ରୁ ୨୦ ବର୍ଷ ପର୍ଯ୍ୟନ୍ତ ଗୋଟିଏ ଗଛରେ ପ୍ରତିବର୍ଷ ୩୦ ରୁ ୫୦ଟି ଫଳ ଫଳିବ ଏବଂ ପ୍ରତି ଫଳରେ ଓଜନ ପ୍ରାୟ ୪୦୦ ଗ୍ରାମରୁ ୫୦୦ ଗ୍ରାମ ପର୍ଯ୍ୟନ୍ତ ରହିବ ।

ଚାରା ରୋପଣର ପ୍ରଥମ ବର୍ଷ ଗଛରେ ଯେଉଁ ଫୁଲ ଓ ଫଳ ହୋଇଥିଲା, ସେଗୁଡିକୁ ବାହାର କରି ଦିଆଯାଇଛି । ଚଳିତ ବର୍ଷ ଦ୍ଵିତୀୟ ବର୍ଷ ହୋଇଥିବା ବେଳେ ଏବର୍ଷ ମଧ୍ୟ ପ୍ରତି ଗଛରେ ଥିବା ଫୁଲ ଓ ୪ଟି ଲେଖାଏଁ ଫଳ ବାହାର କରି ଦିଆଯାଇଛି ।

ଡ୍ରାଗନଫଳ ଏକ ଲତା ଜାତୀୟ ଗଛ । ଏହିଫଳରେ ଭିଟାମିନ୍, ମିନେରାଲ୍, ଫାଇବର ଓ ଅଧିକ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଭରପୂର ରହିଥାଏ । ଏହା ଦେଖିବାକୁ ଯେପରି ସୁନ୍ଦର ସେପରି ସୁସ୍ୱାଦୁ ମଧ୍ୟ । ଏହାର ପୌଷ୍ଟିକତା ଗୁଣ ଯୋଗୁଁ ବ୍ୟବସାୟିକ ଭିତ୍ତିରେ ଚାଷ ଆରମ୍ଭ ହୋଇଛି ।

ସୁଧାଂଶୁ ୩ ବର୍ଷ ପରଠାରୁ ବାର୍ଷିକ ଖର୍ଚ୍ଚ ଛାଡି ପ୍ରାୟ ୭ଲକ୍ଷରୁ ଉର୍ଦ୍ଧ ଆୟ ଲକ୍ଷ ରଖିଛନ୍ତି । ବଜାରରେ ଡ୍ରାଗନ ଫ୍ରୁଟର ୩ ପ୍ରକାର ଦର ରହିଛି । ନବରଙ୍ଗପୁରର ଏହି ଫଳର ବ୍ୟବହାର ସଂକ୍ରାନ୍ତରେ ଲୋକେ କମ ଜାଣିଛନ୍ତି । କିନ୍ତୁ ପୋଡଶୀ ଛତିଶଗଡରେ ଏହାର ଚାହିଦା ରହିଛି।

ଜଗଦଲପୁରରେ ଏହି ଫଳର ଖୁବ ଚାହିଦା ରହିଥିବାରୁ ବିକ୍ରିବଟାର ସମସ୍ୟା ରହିବନାହିଁ । ଯଦି ସରକାର ଏହି ଫଳରେ ବିକ୍ରି ପାଇଁ ନବରଙ୍ଗପୁର ଅଂଚଳରେ ବଜାର ଯୋଗାଇ ଦିଅନ୍ତି, ତେବେ ସୁବିଧାରେ ବିକ୍ରି ହୋଇପାରନ୍ତା ବୋଲି ସେ କହିଛନ୍ତି । ନବରଙ୍ଗପୁର ଜିଲ୍ଲାରେ ଡ୍ରାଗନ ଚାଷ ପାଇଁ ଜଳବାୟୁ ଅନୂକଳ ରହିଛି । ଅପରପକ୍ଷରେ ନୂତନ ଏକ ଫସଲ ଚାଷ କରୁଥିବାରୁ ଜମିରେ ଦୈନିକ ୧୫ ଜଣ ଶ୍ରମିକ ଚାଷ କରି ରୋଜଗାରକ୍ଷମ ହୋଇପାରିଛନ୍ତି । ଶ୍ରମିକମାନେ ଏଭଳି ବିଦେଶୀ ଫଳ କେବେ ଦେଖି ନଥିବାରୁ ଏହାକୁ ଚାଷ କରି ବେଶ ଖୁଥି ଥିବା ଦେଖିବାକୁ ମିଳିଛି ।

ନବରଙ୍ଗପୁରରୁ ନବଘନ ବିଷୋୟୀ