ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜିଠୁ ଦେବ ନିମନ୍ତ୍ରଣ

ପ୍ରଥମେ ଶ୍ରୀଜିଉଙ୍କ କରାଯାଇଥିଲା ନିମନ୍ତ୍ରଣ । ନୀଳାଦ୍ରୀ ଭକ୍ତ ନିବାସଠାରୁ ଶ୍ରୀମନ୍ଦିରର ସେବାୟତ ଓ ଅଧିକାରୀମାନଙ୍କର ଏକ ଟିମ୍ ବାହାରିବ । ଲିଙ୍ଗରାଜ ମନ୍ଦିର ଦର୍ଶନ କରି ଯାତ୍ରା କରିବେ ସେବାୟତ ଓ ଅଧିକାରୀ ।

ଆଜିଠୁ ଦେବ ନିମନ୍ତ୍ରଣ

ଆସନ୍ତା ଜାନୁୟାରୀ ୧୭ରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ପ୍ରକଳ୍ପ ଲାଗି ଆଜିଠୁ ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ । ଭାରତବର୍ଷର ବିଭିନ୍ନ ମନ୍ଦିର, ୪ ଧାମ ଓ ୧୨ଟି ଜ୍ୟୋତିଲିଙ୍ଗ, ଦାରୁ ଆସିଥିବା ବିଭିନ୍ନ ସ୍ଥାନକୁ ଯାତ୍ରା କରିବେ ଶ୍ରୀମନ୍ଦିରର ସେବାୟତ ଓ ଅଧିକାରୀ । ଏନେଇ ଆଜି ସକାଳ ୮ଟା ୩୦ ମିନିଟରେ ଦେଶ ତଥା ଦେଶ ବାହାର ବିଭିନ୍ନ ମୁଖ୍ୟ ମନ୍ଦିରର ପ୍ରମୁଖ ସ୍ଥାନକୁ ନିମନ୍ତ୍ରଣ ପତ୍ର ନେଇଯିବେ ।

ପ୍ରଥମେ ଶ୍ରୀଜିଉଙ୍କ କରାଯାଇଥିଲା ନିମନ୍ତ୍ରଣ । ନୀଳାଦ୍ରୀ ଭକ୍ତ ନିବାସଠାରୁ ଶ୍ରୀମନ୍ଦିରର ସେବାୟତ ଓ ଅଧିକାରୀମାନଙ୍କର ଏକ ଟିମ୍ ବାହାରିବ । ଲିଙ୍ଗରାଜ ମନ୍ଦିର ଦର୍ଶନ କରି ଯାତ୍ରା କରିବେ ସେବାୟତ ଓ ଅଧିକାରୀ । ପରିଚାଳନା କମିଟି ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବେ ।

ସେପଟେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବି ହାତକୁ ନେଇଛନ୍ତି ଉଭୟ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ । ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ- ବାହାରୁ ଭକ୍ତମାନେ ଆସି ଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚିବା ପରେ ସେଠି ଏକ ଅଭ୍ୟର୍ଥନା କକ୍ଷ ସହ ପ୍ରଦର୍ଶନୀ ମଣ୍ଡପ ନିର୍ମାଣ ହେବ ।

ସେଠାରେ ଶ୍ରୀମନ୍ଦିରର ସ୍ୱର୍ଣ୍ଣିମ ଇତିହାସ, ମହାପ୍ରଭୁଙ୍କ ଲୀଳା, ବେଶ ଓ ଯାନିଯାତର ପ୍ରତିକୃତି ପ୍ରଦର୍ଶନ କରାଯିବ। ଏଥିସହ ମ୍ୟୁନିସିପାଲିଟି ମାର୍କେଟରେ ଏକ ଲେଜର ସୋ’ ଚାଲିବ, ସେଥିରେ ଗଜପତି ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଅଭିଯାନର ଗାଥା ପ୍ରଦର୍ଶନ ହେବ ।

ତା’ ସହ ଉତ୍ସବ ସମୟରେ ସମଗ୍ର ପୁରୀ ସହରକୁ ଆଲୋକୀକରଣ କରାଯିବ ଓ ଅନ୍ୟ ସମସ୍ତ ଛୋଟବଡ଼ ମଠ ମନ୍ଦିରକୁ ସଜ୍ଜିତ କରାଯିବ । ପୁରୀ ସହରବାସୀଙ୍କୁ ନିଜ ଘରେ ଦୀପ ଜାଳି ଅତିଥିଙ୍କୁ ସ୍ୱାଗତ ପାଇଁ ବି ନିବେଦନ କରିଛି ଜିଲ୍ଲା ପ୍ରଶାସନ । ତେଣେ ଲୋକାର୍ପଣ ଉତ୍ସବ ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ, ସେମାନଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସହ ଠାକୁରଙ୍କ ନୀତିକାନ୍ତି ଉପରେ ଜୋର ଦେଇଛନ୍ତି ଭକ୍ତ ଓ ସେବାୟତ । ଏଣେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଯେତିକି ପାଖୋଉଛି-ଯଜ୍ଞସ୍ଥଳ, ଦେବ ମଣ୍ଡପ ଓ ମଞ୍ଚସ୍ଥଳ ପାଇଁ ଗ୍ରାଉଣ୍ଡ ଜିରୋରେ ପ୍ରସ୍ତୁତି ମଧ୍ୟ ସେତିକି ତୀବ୍ର ହୋଇଛି ।