ରାଉରକେଲାରେ ବ୍ୟାପୁଛି ଡାଇରିଆ; ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପରେ ବଢ଼ିଲା ଚିନ୍ତା

ହଠାତ ରୋଗ ବ୍ୟାପିବାରୁ ପ୍ରଶାସନ ବି ଅକଳରେ । ହସପିଟାଲରେ ବେଡ୍ ମିଳୁନଥିବାରୁ ରୋଗୀଙ୍କୁ ତଳେ ରଖି ଚିକିତ୍ସା କରାଯାଉଥିବା ଅଭିଯୋଗ ବି ଉଠିଛି । ସ୍ମାର୍ଟସିଟି କାମବେଳେ ଫାଟିଥିବା ପାଣି ପାଇପର ଠିକ୍ରେ ମରାମତି ହୋଇନଥିବାରୁ ଏଥିରେ ଡ୍ରେନ୍ ପାଣି ମିଶି ପିଇବା ପାଣି ଦୂଷିତ ହୋଇଥିବା କୁହାଯାଉଛି ।

ରାଉରକେଲାରେ ବ୍ୟାପୁଛି ଡାଇରିଆ

ସ୍ମାର୍ଟସିଟି ରାଉରକେଲାରେ ଡାଇରିଆ ଆତଙ୍କ । ପୂରା ଇସ୍ପାତ ନଗରୀକୁ ମାଡ଼ି ବସିଲାଣି ଅଦିନିଆ ରୋଗ । ୫ ଜଣଙ୍କ ଜୀବନ ବି ଗଲାଣି । ଡେଲି ମାର୍କେଟ, ନାଲାରୋଡ୍, କିସାନଟୋଲା, ବାସନ୍ତୀ କଲୋନୀ, ଉଦିତ ନଗର ଓ ପାନପୋଷ ଅଞ୍ଚଳ ଡାଇରିଆ ହଟସ୍ପଟ ପାଲଟିଛି । ଗତ ୧୦ ତାରିଖରୁ ଆଜି ଯାଏଁ ୧୧୧ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ।

ହଠାତ ରୋଗ ବ୍ୟାପିବାରୁ ପ୍ରଶାସନ ବି ଅକଳରେ । ହସପିଟାଲରେ ବେଡ୍ ମିଳୁନଥିବାରୁ ରୋଗୀଙ୍କୁ ତଳେ ରଖି ଚିକିତ୍ସା କରାଯାଉଥିବା ଅଭିଯୋଗ ବି ଉଠିଛି । ସ୍ମାର୍ଟସିଟି କାମବେଳେ ଫାଟିଥିବା ପାଣି ପାଇପର ଠିକ୍ରେ ମରାମତି ହୋଇନଥିବାରୁ ଏଥିରେ ଡ୍ରେନ୍ ପାଣି ମିଶି ପିଇବା ପାଣି ଦୂଷିତ ହୋଇଥିବା କୁହାଯାଉଛି । ତେବେ ଚୋର ଗଲା ପରେ ବୁଦ୍ଧି ଆସିଲା ଭଳି ଏବେ ପାଣି ନମୁନା ପରୀକ୍ଷା ଲାଗି ପଠାଯାଇଛି ।

୫ ଜଣଙ୍କ ଜୀବନ ଗଲା ପରେ ସଂକ୍ରମଣରେ ରୋକିବାକୁ ତତ୍ପର ହୋଇଛି ପ୍ରଶାସନ । ସୁନ୍ଦରଗଡ଼ ଓ ଭୁବନେଶ୍ୱରରୁ ବିଶେଷଜ୍ଞ ଟିମ୍‌କୁ ରାଉରକେଲା ପଠାଯାଇଛି । ସୁନ୍ଦରଗଡ଼ ଜିଲ୍ଲାପାଳ ଓ ସିଡିଏମ୍ଓ ଡାକ୍ତରଖାନାକୁ ଯାଇ ରୋଗୀଙ୍କ ଚିକତ୍ସା ସଂପର୍କରେ ଅନୁଧ୍ୟାନ କରିଛନ୍ତି । ମହାନଗର ନିଗମ ପକ୍ଷରୁ ୬ଟି ରାପିଡ୍ ରେସ୍ପନ୍ସ ଟିମ୍ ଗଠନ କରାଯାଇ ରୋଗୀଙ୍କୁ ତୁରନ୍ତ ହସପିଟାଲରେ ପହଞ୍ଚାଇବା ଓ ଉପଯୁକ୍ତ ଚିକିତ୍ସା ମିଳିବା କାମରେ ନିୟୋଜିତ କରାଯାଇଛି ।

ସରକାରୀ ଭାବେ ମୃତ୍ୟୁସଂଖ୍ୟା ୫ କୁହାଯାଉଥିଲେ ବି ଏହା ଅଧିକ ହେବ ବୋଲି ଅଭିଯୋଗ ହୋଇଛି । ତେଣେ ସ୍ମାଟ ସିଟି ତାହା ପୁଣି ଶୀତ ଦିନ । କେମିତି ବ୍ୟାପିଲା ଝାଡ଼ାବାନ୍ତି, ସିଭିକ ଅଥରିଟି କରୁଥିଲେ କଣ ତାକୁ ନେଇ ପ୍ରଶ୍ନ ଉଠିଛି ।