ସାରଥୀ ଆଶ୍ରମରେ ଅନୁଗାମୀଙ୍କ ଭିଡ଼, ପୂଜାର୍ଚ୍ଚନା ସହ ଉତ୍ସବ ପାଳନ

ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ଅବସରରେ ତାଙ୍କର କିଛି ଅନୁଗାମୀ ଓ ସମର୍ଥକ ଆଶ୍ରମ ଭିତରେ ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ଫଟୋକୁ ଆସ୍ଥାନରେ ରଖି ପୂଜାର୍ଚ୍ଚନା କରିଛନ୍ତି ।

Sarathi

ସାରଥୀ ଆଶ୍ରମରେ ଦେଖା ଦେଲାଣି ଗହଳି । ଆରମ୍ଭ ହେଲାଣି ପୂଜାର୍ଚ୍ଚନା । କେନ୍ଦ୍ରାପଡା ଜିଲ୍ଲା ବାରିମୂଳର ବହୁ ଚର୍ଚ୍ଚିତ ସାରଥୀ ଆଶ୍ରମରେ ପୁଣି ଥରେ ଗହଳି ଚହଳି ଦେଖିବାକୁ ମିଳିଥିବା ବେଳେ ସେଠାରେ ପୂଜାର୍ଚ୍ଚନା ହୋଇଥିବା ଦେଖିବାକୁ ମିଳିଛି । ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ଅବସରରେ ତାଙ୍କର କିଛି ଅନୁଗାମୀ ଓ ସମର୍ଥକ ଆଶ୍ରମ ଭିତରେ ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ଫଟୋକୁ ଆସ୍ଥାନରେ ରଖି ପୂଜାର୍ଚ୍ଚନା କରିଛନ୍ତି । ଏହାର ଭିଡିଓ ଏବେ ଭାଇରାଲ ହୋଇଛି ।

ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ଦିନ କିଛି ସମର୍ଥକ ସାରଥୀ ଆଶ୍ରମ ଭିତରେ ପଶି ହୋମ ଯଜ୍ଞ କରିବା ସହ ଆସ୍ଥାନରେ ଫଟୋ ରଖି ଫୁଲ ଧୂପ ଚନ୍ଦନ ଦେଇ ପୂଜାର୍ଚ୍ଚନା କରିଥିଲେ । ଏହାସହ ଆଶ୍ରମରେ ପାର୍ଥନା ମଧ୍ୟ କରିଛନ୍ତି ସମର୍ଥକ । ସାରଥି ଆଶ୍ରମ ସମ୍ପତ୍ତିକୁ ୨୦୧୯ ଜୁଲାଇ ୨୭ ତାରିଖରେ ଇଡି ନିଜ କବଜାକୁ ନେଇଥିଲା । ତେବେ କିଭଳି ଭାବରେ ଲୋକ ସେଠାରେ ପ୍ରବେଶ କଲେ । ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ହେଲେ ସ୍ଥାନୀୟ ପ୍ରଶାସନ ଏନେଇ କୌଣସି ପ୍ରତିକ୍ରିୟା ରଖିନାହିଁ ।