Advertisment

ପ୍ରଶାସନର ବାରଣ ସତ୍ତ୍ୱେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ଅପରାଜିତା

ପଦଯାତ୍ରାକୁ ପ୍ରଶାସନର ବାରଣ ସତ୍ତ୍ୱେ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ତେବେ ତାଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଛି ରାଜନୈତିକ ଝଡ଼।

author-image
Pramod Behera
Despite prohibition, Aparajita went to see the Lord Jagannath

Despite prohibition, Aparajita went to see the Lord Jagannath

ଶ୍ରୀମନ୍ଦିର ଆଗରେ ଶ୍ରୀଜୀଉଙ୍କୁ ସାଷ୍ଟାଙ୍ଗ ପ୍ରଣାମ। ପଦଯାତ୍ରାକୁ ପ୍ରଶାସନର ବାରଣ ସତ୍ତ୍ୱେ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ତେବେ ତାଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଛି ରାଜନୈତିକ ଝଡ଼। ଉଠିଲା-ପଡିଲା ଶ୍ରୀକ୍ଷେତ୍ର। ପୋଲିସକୁ ବି ନାକେଦମ୍ ହେବାକୁ ପଡିଲା।

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ପାର୍ଲାମେଣ୍ଟରେ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ ଅପରାଜିତା। ତେବେ ଆଜି ସେ ଶ୍ରୀଜୀଉଙ୍କ ଦର୍ଶନ ଲାଗି ଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ତାଙ୍କୁ ଚନ୍ଦନପୁର କାଠପୋଲ ନିକଟରେ ଅଟକାଇଥିଲା। ଫଳରେ ସେ ମାଳତିପାଟପୁର ପର୍ଯ୍ୟନ୍ତ ଚାଲିଚାଲି ଯାଇଥିଲେ। ପରେ ପ୍ରଶାସନର ଅନୁମତି ମିଳିବାରୁ ଗାଡିରେ ପୁରୀ ମେଡିକାଲ୍ ଛକ ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ସେ ଓ ତାଙ୍କ ସମର୍ଥକ ବଡ଼ ଦାଣ୍ଡରେ ଚାଲି ଚାଲି ଶ୍ରୀମନ୍ଦିର ଯାଏଁ ଯାଇଥିଲେ।

ବହୁ ସାଧାରଣ ଲୋକ ବି ତାଙ୍କ ସହ ସାମିଲ ହୋଇଥିଲେ। ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ ଅପରାଜିତା। ନିଷିଦ୍ଧାଞ୍ଚଳରେ ଜେସିବି ଲଗାଇ ୩୦ ଫୁଟ ଗାତ ଖୋଳିବାକୁ କେଉଁ ଇଞ୍ଜିନିୟର୍ ଓ ବିଶେଷଜ୍ଞ ଅନୁମତି ଦେଇଥିଲେ ବୋଲି ପ୍ରଶ୍ନ କରିଥିଲେ। ଏଥିପାଇଁ ASI ଅନୁମତି ଦେଇଛି କି ବୋଲି ସେ ଜାଣିବାକୁ ଚାହିଁଥିଲେ

Advertisment

ଯଦି ସରକାର ସତ୍‌ମାର୍ଗରେ ଅଛନ୍ତି ତେବେ ଏତେ ଡର କାହିଁକି ବୋଲି ପଚାରିଥିଲେ ଅପରାଜିତା। ବିଧାନସଭା ହାଉସ୍ କମିଟି ଏଯାଏଁ ପ୍ରକଳ୍ପ ଅନୁଧ୍ୟାନ ଲାଗି ଯାଇ ନ ଥିବାରୁ ଅପରାଜିତା ତା’ର ସମାଲୋଚନା ବି କରିଛନ୍ତି।

ଏହାର ଜବାବରେ କୌଣସି ବେଆଇନ କାମ ହୋଇନାହିଁ ବୋଲି ବିଜେଡି କହିଛି। ଏହାକୁ ନେଇ ବିଜେଡି ସାଂସଦ ମୁନା ଖାଁ ଉତ୍ତର ରଖିଛନ୍ତି।

ସେପଟେ ଅପରାଜିତାଙ୍କ ପଦଯାତ୍ରାକୁ ନେଇ ଥାନାରେ ରୁଜୁ ହୋଇଛି ଏତଲା। ଜିଲ୍ଲା ପ୍ରଶାଶନର ଅନୁମତି ନଥିବା ବେଳେ ସାଂସଦ ପଦଯାତ୍ରା କରିଥିବା ଦର୍ଶାଇ ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ପକ୍ଷରୁ ପୁରୀ ଟାଉନଥାନା ଓ ସିଂହଦ୍ୱାର ଥାନାରେ ଏଫ୍‌ଆଇଆର୍‌ ଦିଆଯିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ଶ୍ରୀମନ୍ଦିର ପ୍ରକଳ୍ପ ନିର୍ମାଣ ପ୍ରକଳ୍ପକୁ ନେଇ ତୀବ୍ର ହେବାର ଲାଗିଛି ବିବାଦ। ପାର୍ଲାମେଣ୍ଟ, ବିଧାନସଭାରେ ଏହି ପ୍ରସଙ୍ଗ ଉଠିଥିବା ବେଳେ ବିରୋଧୀ ଦଳ ଓ ବିଭିନ୍ନ ସାମାଜିକ ସଙ୍ଗଠନ ବି ବେଆଇନ ନିର୍ମାଣକୁ ବିରୋଧ କରୁଛନ୍ତି। ତା’ ସତ୍ତ୍ୱେ ବିକାଶ ପ୍ରକଳ୍ପ ଲାଗି କାହାର ଅନୁମତି ଅଛି ରାଜ୍ୟ ସରକାର ତାହା ଏଯାଏଁ ସ୍ପଷ୍ଟ କରୁନାହାନ୍ତି।

(ରିପୋର୍ଟ : ପୁରୀରୁ ପ୍ରଦୀପ ମହାନ୍ତି, ମଧୁସୂଦନ ମିଶ୍ର ଓ ଭୁବନେଶ୍ୱରରୁ ହରିହର ଚାନ୍ଦ)

Odisha News Puri Temple Issue
Advertisment
Advertisment