/odishatv-khabar/media/post_attachments/uploadimage/library/16_9/16_9_0/deogarh_1653313502.jpg)
deogarh
ବିପଦରେ ସଂରକ୍ଷିତ ଜଙ୍ଗଲ। ଶହ ଶହ ଏକର ଜଙ୍ଗଲ ସଫା କରି ହେଉଛି ଚାଷ ଜମି। ଦିନେ କି ଦୁଇ ଦିନ ନୁହେଁ ମାସ ମାସ ଧରି ଜଙ୍ଗଲକୁ ପଦା କରିବାରେ ଲାଗିଛନ୍ତି କିଛି ଗୋଷ୍ଠୀ। ଗଛ କାଟିବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର କାଠରେ ନିଆଁ ଲଗାଇ ଦେଉଛନ୍ତି। ଦେବଗଡ ଜିଲ୍ଲାର ବାରକୋଟ ବନାଂଚଳ ପାଉଡି-ପାଙ୍ଗୁଳି ସଂରକ୍ଷିତ ଜଙ୍ଗଲ ନଷ୍ଟ ହେବା ସହ ପାଚେରିପାଣି–ବାଲିଡିହି ରାସ୍ତା ମଝିରେ ଥିବା ସଂରକ୍ଷିତ ଜଙ୍ଗଲର ପଦା ହୋଇଗଲାଣି।
ଦେବଗଡ ଜିଲ୍ଲାର ପ୍ରାୟ ୫୪ ପ୍ରତିଶତ ଅଂଚଳ ଜଙ୍ଗଲ ଜମି। ଏବେ କିନ୍ତୁ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି ଏହି ଜଙ୍ଗଲ ଜମି ଉପରେ। ଶହ ଶହ ଏକର ସଂରକ୍ଷିତ ଜଙ୍ଗଲକୁ ନଷ୍ଟ କରି ଚାଷ ଜମି କରିବାରେ ଲାଗି ପଡିଛନ୍ତି। ସକାଳ ହେଲା ମାତ୍ରେ ସ୍ଥାନୀୟ ଲୋକଙ୍କୁ ଲଗାଇ ଗଛ କାଟି ଚାଲିଛନ୍ତି। ଏତେ ସବୁ ପରେବି ଚୁପ ବସିଛି ବନ ବିଭାଗ।
ଦୁର୍ଗମ ଅଂଚଳରେ ବନ ବିଭାଗ ପାଦ ପକାଉ ନାହିଁ। ଯାହାର ଫାଇଦା ଉଠାଉଛନ୍ତି ମାଫିଆ ଓ ସ୍ଥାନୀୟ ଲୋକ। ରାତାରାତି ଗଛ କାଟି ତାହାକୁ ଚାଷ ଜମି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି। ବିଭାଗୀୟ ଅବହେଳା ପାଇଁ ଜଙ୍ଗଲ ସଂପଦ ନଷ୍ଟ ହେଉଥିବା କୁହାଯାଉଛି। ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିଏଫଓ।
ଜଙ୍ଗଲ ସୃଷ୍ଟି ନାଁରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ଗୋଟିଏ ପଟେ ବନୀକରଣ କରାଯାଉଥିବା ବେଳେ ଅନ୍ୟପଟେ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି।
ଦେବଗଡରୁ ସିଦ୍ଧାର୍ଥ ଗୁରୁଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)