• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଝିଅଙ୍କ କାନ୍ଧରେ ମା’ର ଶବ । ଚିରାଚରିତ ପ୍ରଥା ଭାଙ୍ଗି ଉଦାହରଣ ସାଜିଲେ । କୋକେଇରେ ସାତ ଛୁଆର ମା’ । ହେଲେ ମା’ର ମୃତ୍ୟୁ ପରେ ବି ଦେଖିବାକୁ ଆସିଲାନି କି ଅନ୍ତିମ ସଂସ୍କାରରେ ସାମିଲ ହେଲାନି ଏକମାତ୍ର ଇଞ୍ଜିନିୟର ପୁଅ । ପୁଅ ସିନା ପଚାରିଲାନି, ଝିଅ ତ ଜନ୍ମ କରିଥିଲା ମା’ । ରକ୍ଷଣଶୀଳତାର ବାଡ଼ ଭାଙ୍ଗି କାନ୍ଧରେ କାନ୍ଧେଇ ମଶାଣି ନେବା ସହ ସମାଜ ପାଇଁ ଭିନ୍ନ ଉଦାହରଣ ସୃଷ୍ଟି କଲେ ଛଅ ଝିଅ ।

ହୀରାକୁଦର ହିଣ୍ଡାଲକୋ ଅଫିସ କଲୋନୀରେ ଦୀର୍ଘ ବର୍ଷ ଧରି ରହୁଥିଲେ ବୃଦ୍ଧା ଶ୍ରୀମ । ୮୦ ବର୍ଷ ବୟସରେ ବୁଧବାର ଦିନ ତାଙ୍କର ପରଲୋକ ହୋଇଛି । ୨୦୦୫ ମସିହାରେ ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଥିଲା । ଆଉ ତା’ପର ଠାରୁ ଦୀର୍ଘ ୧୭ବର୍ଷ ଧରି ଝିଅମାନଙ୍କ ଘରେ ରହୁଥିଲେ ଶ୍ରୀମତି ଦେବୀ । ସମ୍ବଲପୁର ଗୁଜୁରାତି କଲୋନିର ରହୁଥିବା ତୃତୀୟ ନମ୍ବର ଝିଅ ଉର୍ମିଳାଙ୍କ ଘରେ ତାଙ୍କର ମୃତ୍ୟୁ ହୋଇଛି । ବିଗତ ସାତଦିନ ଧରି ସେ ଶଯ୍ୟାଶାୟୀ ଥାଇ ଘରେ ଚିକିତ୍ସାଧିନ ଥିଲେ ।

ତାଙ୍କର ଶେଷ ସମୟରେ ଛଅ ଝିଅ ସୁଶୀଳା,ନିର୍ମଳା,ଉର୍ମିଳା,ଶର୍ମିଳା,ପ୍ରମିଳା ଓ ସୁନୀଳାଙ୍କ ସହ ଜ୍ୱାଇଁ ଅଲେଖ ଦାଶ,ପ୍ରହଲ୍ଲାଦ ସାହୁ,ମାଧବାନନ୍ଦ ବେହୁରା,ଦେବେଶ ଧଳ ଓ ବେଣୁଧର ପ୍ରଧାନ ଏବଂ ନାତିନାତୁଣୀମାନେ ଉପସ୍ଥିତ ଥିଲେ । ଆଜି ସକାଳେ ମହାନଦୀର ରାଜଘାଟ ଶ୍ମଶାନରେ ତାଙ୍କରି ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ହେଲେ ବିଡମ୍ବନାର ବିଷୟ ଶ୍ରୀମତି ସାହୁଙ୍କର ଏକମାତ୍ର ଉଚ୍ଚ ଶିକ୍ଷିତ ତଥା ନବରତ୍ନ କମ୍ପାନୀରେ ଇଞିନିୟର ଭାବେ ଚାକିରି କରି ଅବସର ନେଇଥିବା ପୁଅ ଥିଲେ ବି ସେ ମା’ର ଶେଷ ସମୟରେ ପାଖରେ ନଥିଲେ । ଅନେକ ବର୍ଷ ହେବ ସେ ନିଜଠୁ ମା'କୁ ଦୂରେଇ ରଖିଥିଲେ ।

ହେଲେ ଶ୍ରୀମତିଙ୍କ ଝିଅମାନେ ପୁଅର ସମସ୍ତ କର୍ତ୍ତବ୍ୟ କରିଛନ୍ତି । ଆଜି ଛଅ ଝିଅ ଶବରୁ ଉଠାଇ ଶବ ବୋହିବା ସହ ଶ୍ମଶାନରେ ମୁଖାଗ୍ନି ଦେଇଛନ୍ତି । ରାଜଘାଟ ଶ୍ମଶାନ ଘାଟରେ ଅନୁଷ୍ଠିତ ଅନ୍ତେଷ୍ଟି କ୍ରିୟା ପର୍ବରେ ସମ୍ବଲପୁର ଚଷା ସମାଜର ମାନ୍ୟଗନ୍ୟ ବ୍ୟକ୍ତିଙ୍କ ସହ ବଂଧୁ ସ୍ୱଜନ ଶ୍ରୀମତି ଦେବୀଙ୍କୁ ଅଶ୍ରୁଳ ବିଦାୟ ଦେଇ ଦିବଂଗତ ଆତ୍ମାର ସଦଗତି କାମନା କରିଛନ୍ତି ।

ଖାଲି ସେତିକି ନୁହେଁ ଆମରି ସମାଜ ବ୍ୟବସ୍ଥା ଓ କୁଳ ରୀତିମତେ ସମସ୍ତ ଛଅ ଭଉଣୀ ଏକାଠି ମା' ର ଶୁଦ୍ଧିକ୍ରିୟା ମଧ୍ୟ କରିବେ । ଏହି ଘଟଣାଟି ଆଜିର ଦିନରେ ସମ୍ବଲପୁର ସହରରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଝିଅମାନଙ୍କର କର୍ତ୍ତବ୍ୟନିଷ୍ଠା ଓ ସାମାଜିକ ଦାୟିତ୍ୱବୋଧକୁ ସବୁ ସ୍ତରର ଲୋକେ ପ୍ରଶଂସା କରିଛନ୍ତି ।