ହୀରାକୁଦ ବନ୍ଧର ବିଭନ୍ନ ସ୍ଥାନରେ ଫାଟ, ୨୩ ବର୍ଷ ହେଲା ଯାଞ୍ଚର ନାଁ ଗନ୍ଧ ନାହିଁ

ସ୍ପିଲ୍‌ୱେର ତଳମୁଣ୍ଡରେ ଆଉ କିଛି ଫାଟ ଅଛି କି ନାହିଁ, ଡ୍ରୋନ୍ ସାହାଯ୍ୟରେ ଅନୁସନ୍ଧାନ କରିବାକୁ ପରାମର୍ଶ ଦିଆଯାଇଥିଲା ।

Hirakud Dam

ବିପଦରେ ହୀରାକୁଦ ଡ୍ୟାମ୍‌ । ଡ୍ୟାମର ଅନେକ ସ୍ଥାନରେ ଦେଖାଦେଇଛି ଫାଟ । ଅପରେସନ ଗ୍ୟାଲେରି, ଫାଉଣ୍ଡେସନ ଗ୍ୟାଲେରି, ଉଭୟ ଦକ୍ଷିଣ ଓ ବାମ ପାର୍ଶ୍ୱରେ ଫାଟ ରହିଥିବା ଦେଖାଯାଇଛି । ୨୦୨୦ ଜାନୁଆରିରେ DSRP ଟିମ୍ ଏହାର ଯାଞ୍ଚ କରିବା ପରେ ଅଧିକ ଅନୁଧ୍ୟାନ ପାଇଁ ପରାମର୍ଶ ଦେଇଥିଲେ । ସ୍ପିଲ୍‌ୱେର ତଳମୁଣ୍ଡରେ ଆଉ କିଛି ଫାଟ ଅଛି କି ନାହିଁ, ଡ୍ରୋନ୍ ସାହାଯ୍ୟରେ ଅନୁସନ୍ଧାନ କରିବାକୁ ପରାମର୍ଶ ଦିଆଯାଇଥିଲା ।

ସେହିପରି ଅଣ୍ଡର ଓ୍ୱାଟର ଭିଡିଓଗ୍ରାଫି ମଧ୍ୟ କରାଯିବା କଥା । ଗେଟ୍ ଅପରେସନ ଗ୍ୟାଲେରି ପ୍ରତି ଧ୍ୟାନ ଦେବାକୁ କୁହାଯାଇଥିଲା । ଅଧିକ ଫାଟ ହୋଇଛି କି ନାହିଁ, ତାର ମଧ୍ୟ ଅନୁଧ୍ୟାନ କରାଯିବା କଥା । କିନ୍ତୁ ଏପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯାଇନଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି । ପ୍ରତି ୫ ବର୍ଷରେ ଥରେ ପୁରୁଣା ଫାଟ ସହିତ ନୂଆ ଫାଟ ଅଛି କି ନାହିଁ, ତାର ମଧ୍ୟ ସର୍ଭେ ହେବା କଥା । କିନ୍ତୁ ୧୯୯୯ ପରଠୁ ୨୩ ବର୍ଷ ହେଲା ଏହା କରାଯାଇନାହିଁ । ତେଣୁ ତୁରନ୍ତ ଏକ ବିଶେଷଜ୍ଞ କମିଟି ଦ୍ୱାରା ସ୍ୱତନ୍ତ୍ର ନୀରିକ୍ଷଣ କରିବାକୁ ଡ୍ୟାମ୍ ସେଫ୍ଟି ମୁଖ୍ୟଯନ୍ତ୍ରୀ ବୁର୍ଲାରେ ଥିବା ମହନଦୀ ଅବବାହିକାର ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

 

 

ସୂଚନାଯୋଗ୍ୟ, ୨୦୧୪ ମସିହାରେ ହୀରାକୁଦ ନଦୀବନ୍ଧର ବୁର୍ଲା ପାୱାର ହାଉସ ଗ୍ୟାଲେରିରେ ବଡ଼ବଡ଼ ଫାଟ ଦୃଶ୍ୟମାନ ହୋଇଥିଲା । ସେଥିରୁ ଯେତେ ପରିମାଣର ସିପେଜ୍ ହେଉଥିଲା ତାହା ନଦୀ ବନ୍ଧର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଏହାର ପ୍ରତିକାର ପାଇଁ ଏବେ ସୁଦ୍ଧା ସେଭଳି କୌଣସି ପ୍ରଭାବୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇନଥିବାରୁ ନଦୀବନ୍ଧର ସ୍ଥାୟୀତ୍ୱ ଏବେ ବଡ଼ ଚ୍ୟାଲେଞ୍ଜ ହୋଇଛି ।