• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମାସକରେ ୩୦ରୁ ଅଧିକ ବାବୁଙ୍କୁ ବାନ୍ଧିଲାଣି ଭିଜିଲାନ୍ସ

  • ମାର୍ଚ୍ଚରୁ ଆଜି ଯାଏଁ ୧୩ ଇଂଜିନିୟର ଗିରଫ ହେଲେଣି

ଭିଜିଲାନ୍ସ ଜାଲରେ ବଡ଼ ମାଛ । ତାପୁଣି କ୍ଷୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀ ପଡ଼ିଛନ୍ତି ହାବୁଡ଼ରେ । ବିଡ଼ା ବିଡ଼ା ଟଙ୍କା, ମାଳ ମାଳ କୋଠାବାଡ଼ି । ଗଞ୍ଜାମ ଭଂଜନଗରର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ସମ୍ପତ୍ତି ଦେଖି ସମସ୍ତଙ୍କ ଆଖି ଖୋସି ହୋଇଯାଉଛି । ଗତକାଲି ରାତି ତମାମ ୨ଟି ମେସିନ୍ ଲଗାଇ ୧୨ ଜଣ ଭିଜିଲାନ୍ସ ଅଧିକାରୀ ଟଙ୍କା ଗଣି ଗଣି ହାଲିଆ ହୋଇଛନ୍ତି ।

ଭୁବନେଶ୍ୱର କଳିଙ୍ଗନଗର ଅଞ୍ଚଳର ଟାଟା ଏରିନାରେ ଥିବା ତାଙ୍କ ଫ୍ଲାଟରେ ଚଢ଼ାଉ କରି ନଗଦ ୨ କୋଟିରୁ ଅଧିକ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ । ଦୁଇ ଦିନର ଚଢ଼ାଉ ଭିତରେ କାର୍ତ୍ତିକେଶ୍ୱରଙ୍କ ଘରୁ ୨ କୋଟି ୫୦ ଲକ୍ଷର ନଗଦ କ୍ୟାସ ସହ ୨୦ଟି ସୁନା ବିସ୍କୁଟ ଓ ୪ କୋଟି ୭୬ ଲକ୍ଷର ସମ୍ପତ୍ତି ଠାବ ହୋଇଛି । ଯାହା ଆୟର ୭୦୦ ପ୍ରତିଶତରୁ ଅଧିକ ବୋଲି ଭିଜିଲାନ୍ସ କହିଛି । ତାଙ୍କୁ ଗିରଫ କରି ଭିଜିଲାନ୍ସ କୋର୍ଟଚାଲାଣ କରିଛି ।

ପୂର୍ବରୁ କିରାଣୀ ନଚେତ ତଳତଳିଆ କର୍ମଚାରୀ ପଡୁଥିଲେ ଭିଜିଲାନସ ଜାଲରେ । ଏବେ କିନ୍ତୁ ପାଳି ପଡିଛି ବଡ଼ବଡ଼ିଆ ବାବୁଙ୍କର । ଗତ କିଛିଦିନ ମଧ୍ୟରେ ଏମିତି ଅନେକ ବଡ଼ମାଡ଼ ଭିଜିଲାନ୍ସ ଜାଲରେ ପଡ଼ିଲେଣି । ତାଲିକା ଉପରେ ନଜର ପକାଇବା . .

ପୁରୀ ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସୁକାନ୍ତ ଜେନା । ରାଜଧାନୀରେ ଆଖିଦୃଶିଆ ଆଲିସାନ୍ କୋଠା ଆଉ ତାହାରି ଭିତରେ ଠୁଳ ହୋଇଥିଲା ୧୨ ଲକ୍ଷରୁ ଅଧିକ ଟଙ୍କା । ନଗଦ ଟଙ୍କାକୁ ଗଣି ଗଣି ହାଲିଆ ହୋଇଗଲା ଭିଜିଲାନ୍ସ ଟିମ୍ ।

ଆଡିସନାଲ ଏସପି ତ୍ରିନାଥ ମିଶ୍ର । ତାଙ୍କର ଥାଟବାଟ ଦେଖି ଜଳକା ହୋଇଗଲା ଭିଜିଲାନ୍ସ । ନାମୀ ଦାମୀ ବାଇକ୍, କାର ସହ ମାଳ ମାଳ ଫ୍ଲାଟ ଆଉ ପ୍ଲଟ । ଚାକିରୀରୁ ଅବସର ନେବାର ମାତ୍ର ୨ ମାସ ପୂର୍ବରୁ ପଡ଼ିଗଲେ ଭିଜିଲାନ୍ସ ଜାଲରେ ।

ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ ଫେୟାର୍ କର୍ପୋରେସନ୍ ଡେପୁଟୀ ମ୍ୟାନେଜର ପ୍ରତାପ ସାମଲ । ବାବୁଙ୍କ ଘରୁ ମିଳିଥିଲା ନଗଦ ୩୮ ଲକ୍ଷ । ପତ୍ନୀ ନାଁରେ ଥିଲା ମାଳ ମାଳ କୋଠାବାଡ଼ି ।

କେବଳ ଏତିକି ନୁହଁନ୍ତି, ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ ମହାପାତ୍ରଙ୍କଠୁ ଆରମ୍ଭ କରି ବହୁ ଅଧିକାରୀ ଏଭଳି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଛନ୍ତି ସରକାରୀ ଚାକିରି କରି । ତାହାରି ଭିତରେ କିନ୍ତୁ ଯନ୍ତ୍ରୀଙ୍କ ଲମ୍ବା ତାଲିକା । ସେ ପଲ୍ୟସନ କଣ୍ଟ୍ରୋଲ ବୋର୍ଡର ମୁଖ୍ୟଯନ୍ତ୍ରୀ ରବିନାରାୟଣ ପୃଷ୍ଟି ହୁଅନ୍ତୁ କିମ୍ବା ଦୁଇଦିନ ତଳେ ଗିରଫ ହୋଇଥିବା ମାଲକାନଗିରି RW ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସ ।

ଗତ ମାର୍ଚ୍ଚରୁ ଆଜି ଯାଏଁ ୩୦ ଜଣ ସରକାରୀ ଅଧିକାରୀ ଧରା ପଡ଼ିଥିବାବେଳେ ତାହାରି ଭିତରେ ରହିଛନ୍ତି ଜଣେ ଅଧିକ୍ଷଣ ଯନ୍ତ୍ରୀ, ୫ ସହକାରୀ ଯନ୍ତ୍ରୀ, ୩ ସହକାରୀ କାର୍ଯ୍ୟନିବାହୀ ଯନ୍ତ୍ରୀ ଏବଂ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ମିଶାଇ ୧୩ ଜଣ । ବିଶେଷ କରି ଜଳସେଚନ, ନିର୍ମାଣ, ବିଦ୍ୟୁତ ବିଭାଗର ଯନ୍ତ୍ରୀଙ୍କ ସର୍ବାଧିକ ଦୁର୍ନୀତି ସାମ୍ନାକୁ ଆସୁଛି । ଏଥିପାଇଁ ରାଜନୈତିକ ଛତ୍ରଛାୟାରେ ଚାଲୁଥିବା ଉତ୍କଟ ପିସି କାରବାରକୁ ଦାୟୀ କରିଛନ୍ତି ପୂର୍ବତନ ଯନ୍ତ୍ରୀ ।

ବର୍ଷକୁ ଥରେ ଦୁର୍ନୀତି ବିରୋଧରେ ଶପଥ ପାଠ ହୁଏ, ସପ୍ତାହ ସାରା କାର୍ଯ୍ୟକ୍ରମ ଚାଲେ । ହେଲେ ବର୍ଷକୁ ୧୨ ମାସ କିନ୍ତୁ ଦୁର୍ନୀତିରେ ଲିପ୍ତ ସରକାରୀ ବାବୁ । ଭିଜିଲାନ୍ସ ଜାଲରେ ଗଣ୍ଡା ଗଣ୍ଡା ସରକାରୀ ଅଧିକାରୀ ପଡୁଥିବାବେଳେ କେମିତି ହଟିବ ଦୁର୍ନୀତି ? 5Tର ନାରା ଭିତରେ ସରକାରୀ ବ୍ୟବସ୍ଥାରେ କେବେ ଆସିବ ସ୍ୱଚ୍ଛତା ? ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ।

ଆଠଗଡ଼ରୁ ନୀଳକଣ୍ଠ ଦୋରାଙ୍କ ସହ ଭୁବନେଶ୍ୱରରୁ ଆଲୋକ ମହାନ୍ତିଙ୍କ ରିପୋର୍ଟ