• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୁବର୍ଣ୍ଣପୁର(ରବିନ୍ଦ୍ର ହୋତା) : ଦୁର୍ନୀତିର ନୂଆ ଫଣ୍ଡା । ଗୋଟିଏ ରାସ୍ତାକୁ ଦୁଇଥର କାମ । ସରକାରୀ ଅର୍ଥ ଆତ୍ମସାତ କରିବାର ଏକ ଅଭିନୟ ଉପାୟ । ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାଁରେ ରାସ୍ତା ତିଆରି ନାଆଁରେ ଲୁଟ ହୋଇଛି ଲକ୍ଷାଧିକ ଟଙ୍କା । ଆଉ ଏଥିରେ ସାମିଲ ଅଛନ୍ତି ଠିକାଦାରଠୁ ଯନ୍ତ୍ରୀ ।

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ହରଡଖୋଲ ପଂଚାୟତ ଅଧିନରେ ଏକ ରାସ୍ତା କିଛିଦିନ ତଳେ ତିଆରି ହୋଇଥିଲା । କିନ୍ତୁ ରାସ୍ତାଟି ବଙ୍କା ଥିବା ବୋଲି ପୁଣି ଥରେ ତିଆରି କରାଯାଉଛି । ଗତ ଫେବୃୟାରୀ ୨୦୨୧ ଅର୍ଥାତ ୯ମାସ ତଳେ ତିଆରି ହୋଇଥିଲା ଏହି ରାସ୍ତା । ସୋନପୁର-ବଲାଙ୍ଗୀର ଜାତୀୟ ରାଜପଥ କଡରୁ କୁଲିପାଲିରୁ ମାଝିମୁଣ୍ଡାକୁ ଯିବାପାଇଁ ନୂଆ କରି ତିଆରି କରାଯାଇଥିଲା ଏହି ରାସ୍ତା । ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୧୨୪୦ ଶ୍ରମ ଦିବସ ସୃଷ୍ଟି ଓ ୩୪୭ ଶ୍ରମିକଙ୍କୁ ନିୟୋଜିତ କରି ଏହି ରାସ୍ତା ତିଆରିରେ ୨ଲକ୍ଷ ୬୬ ହଜାର ୬ଶହ ଟଙ୍କା ଖର୍ଚ୍ଚ ହୋଇଥିବା ରେକର୍ଡ କହୁଛି ।

କିନ୍ତୁ ନିୟମ ଅମୁସାରେ ରାସ୍ତା ତିଆରି ପୂର୍ବରୁ ବିଭାଗୀୟ ଅଧିକାରୀ ଡିମାରକେସନ ନକରି ଖାମଖିଆଲି ଭାବେ ରାସ୍ତାଟି ତିଆରି କରିଦେଲେ । ଆଉ ରାସ୍ତା ନିର୍ମାଣ ହେବାପରେ ସ୍ଥାନୀୟ ଲୋକଙ୍କ ରୟତି ଜମି ଉପରେ ରାସ୍ତାଟି ନିର୍ମାଣ ହୋଇଥିବା ଅଭିଯୋଗ ପରେ ପୁଣିଥରେ ନୂତନ ରାସ୍ତା ତିଆରି ଚାଲିଛି । ପୁର୍ବରୁ ଟଙ୍କା ଖର୍ଚ୍ଚ କରି ଯେଉଁ ପିଟ ଖୋଳା ଯାଇଥିଲା ଏବେ ସେହି ପିଟକୁ ଢାଙ୍କିବାକୁ ପୁଣିଥରେ ସରକାରୀ ଅର୍ଥର ଅପବ୍ୟବହାର କରାଯାଉଛି ।

ଲୋକଙ୍କ ଗମନା ଗମନ ସହ ଶ୍ରମିକଙ୍କୁ ନିଶ୍ଚିତ କର୍ମ ନିଯୁକ୍ତି ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କ ମନେରଗା ଯୋଜନା । ଯୋଜନା ନାଁରେ ଟଙ୍କା ଆସୁଛି କିନ୍ତୁ ଦୁର୍ନୀତିଖୋର ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ବାଟମାରଣ ହୋଇଯାଉଛି ସରକାରୀ ଅର୍ଥ । ଏହି ରାସ୍ତାଟି ହେଉଛି ତାର ଜ୍ୱଳନ୍ତ ଉଦାହରଣ । ରାସ୍ତା ତିଆରିରେ ଶ୍ରମିକମାନେ କର୍ମନିଯୁକ୍ତି ପାଇଲେ ଏହା ଭଲକଥା । କିନ୍ତୁ ଦୁରଦୃଷ୍ଟିର ଅଭାବରୁ ସରକାରୀ ଅର୍ଥକୁ ଅପବ୍ୟୟ କରି ଗୋଟିଏ ରାସ୍ତାକୁ ଦୁଇଥର ଯେଉଁ ତିଆରି କରାଗଲା ସେଥିପାଇଁ କିଏ ଉତରଦାୟୀ ?

ସରକାରୀ ଅର୍ଥ ଅଭାବରୁ ଅନେକ ସ୍ଥାନରେ ଭଲ ରାସ୍ତାଟିଏ ତିଆରି ହୋଇପାରୁନଥିବାବେଳେ ଏଠି ଗୋଟିଏ ରାସ୍ତାକୁ ଦୁଇଦୁଥର ତିଆରିକରି ଠିକାଦାର ଓ ଯନ୍ତ୍ରୀ ମାଲେମାଲ ହୋଇଛନ୍ତି ଏହା ସ୍ପଷ୍ଟ ଜଣାପଡୁଛି । ଆଉ ଏସବୁ ପଚାରିଲେ ଜେଇ କେତେବେଳେ ଦିର୍ଘ ନିଶ୍ୱାସ ମାରୁଥିବାବେଳେ ଆଉ କେତେବେଳେ କହୁଛନ୍ତି ଏହା ଛୋଟ ଘଟଣା ଏହାକୁ ଧରିଲେ ଆଉ କଣ ଚଳିବ । ସେପଟେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି ଉଭୟ ବିଡିଓ ଓ ପିଡି ଡିଆରଡିଏ କହିଛନ୍ତି ।