• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନବରଙ୍ଗପୁର ଜିଲ୍ଲା ଝରୀଗାଁ ବିଜେଡି ବିଧାୟକ ପ୍ରକାଶ ମାଝୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଜଣେ ଯୁବତୀଙ୍କୁ ଯୌନ ଶୋଷଣ ଓ ହତ୍ୟା ଧମକ ଦେବା ନେଇ ରାଜଧାନୀର ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ ସତ୍ତ୍ୱେ ପୋଲିସ ଏତଲା ଗ୍ରହଣ କରୁନଥିବା କଂଗ୍ରେସ ଅଭିଯୋଗ କରିଛି । ଏହି ଘଟଣାରେ ଆଜି ବିଧାୟକ ପ୍ରକାଶ ମାଝୀଙ୍କ କୁଶପୁତଳିକା ଦାହ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଜିଲ୍ଲା କଂଗ୍ରେସ l ପୀଡିତାଙ୍କୁ ନ୍ୟାୟ ନ ମିଳିଲେ ଜିଲ୍ଲାର ସବୁ ଥାନା ଘେରାଉ ସହ ଜିଲ୍ଲା ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।

ଆଜି ଜିଲ୍ଲା କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ ମାଝୀଙ୍କ କଳା କାରନାମାକୁ ନେଇ ତୀବ୍ର ବିରୋଧ କରିଛି କଂଗ୍ରେସ । ଦୀର୍ଘ ତିନି ବର୍ଷ ହେଲା ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ଭ୍ରୁଣହତ୍ୟା ଭଳି ଜଘନ୍ୟ ଅପରାଧ ସହ ଯୁବତୀଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ବିଧାୟକ ପ୍ରକାଶଙ୍କୁ ଘଣ୍ଟ ଘୋଡାଇବା ପରିବର୍ତ୍ତେ ରାଜ୍ୟ ସରକାର ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କଂଗ୍ରେସ କହିଛି ।

ସେପଟେ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ୱରେ ଉମରକୋଟ ବ୍ଲକ ସମ୍ମୁଖରେ ଦଳ ଆଜି ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରକାଶ ମାଝୀଙ୍କ କୁଶପୁତ୍ତଳିକା ଦାହ କରିଛି । ପ୍ରକାଶ ମାଝୀଙ୍କ ଇସ୍ତଫା ସହ ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ବିଜେପି ଦାବି କରିଛି । ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ସାନ ଭାଇ ହେଉଛନ୍ତି ପ୍ରକାଶ ମାଝୀ । ତେବେ ଏହି ଘଟଣା ନେଇ ପ୍ରକାଶ ମାଝୀ, ବିଜେଡି କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।