• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଚୀନ ପ୍ରତ୍ୟେକ କ୍ଷେତ୍ରରେ କିଛି ବଡ କରିବା ପାଇଁ ସବୁବେଳେ ଚେଷ୍ଟା ଚଲାଇଥାଏ। ସେ ରାସ୍ତା ହେଉ କି ଜନସଂଖ୍ୟା ଓ ନୂତନ ଟେକ୍ନୋଲୋଜି ସବୁ ଜିନିଷରେ ଚୀନ ଆଗୁଆ। ବର୍ତ୍ତମାନ ଚୀନ ଦୁନିଆର ସବୁଠାରୁ ବଡ ମହାକାଶଯାନ ନିର୍ମାଣ କରିବାକୁ ଯାଉଛି ଏବଂ ଏଥିପ୍ରତି ସେ ସମସ୍ତ ଆୟୋଜନ କରିବାରେ ଲାଗିଛି।

ତେବେ ଏଠାରେ ପ୍ରଶ୍ନ ଉଠେ ଯେ ଚୀନ ଏତେ ବଡ ମହାକାଶଯାନ କାହିଁକି ତିଆରି କରୁଛି? ଶତ୍ରୁ ଦେଶମାନଙ୍କରେ କ୍ଷେପଣାସ୍ତ୍ର ନିକ୍ଷେପ କରିବ କି? ଏଭଳି କିଛି ପ୍ରଶ୍ନ ସମସ୍ତଙ୍କ ମନରେ ସୃଷ୍ଟି ହେବାରେ ଲାଗିଛି। ଆସନ୍ତୁ ଜାଣିବା ଚାଇନାର ଏହି ଆଶ୍ଚର୍ଯ୍ୟଜନକ ଧାରଣା ପଛରେ ଥିବା କାହାଣୀ।

ଚୀନ୍‌ ତରଫରୁ ଜାତୀୟ ପ୍ରାକୃତିକ ବିଜ୍ଞାନ ଫାଉଣ୍ଡେସନ୍ (NNSFC) ଏହାର ବୈଜ୍ଞାନିକମାନଙ୍କୁ ଏ ବାବଦରେ ଅନୁସନ୍ଧାନ କରିବାକୁ କୁହାଯାଇଛି। ଏହାର ଭିତ୍ତିଭୂମିକୁ ଚାଇନାର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ସମର୍ଥିତ କରାଯାଏ। ଏହି ଅନୁସନ୍ଧାନର ଏକ ଛୋଟ ଝଲକ NNSFC ର ଏକ ରିପୋର୍ଟରେ ମିଳିଛି, ଯେଉଁଥିରେ ଏହା ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ଆମେ ଏପରି ଏକ ବିଶାଳ ମହାକାଶଯାନ ନିର୍ମାଣ ଦିଗରେ ଯିବା ଉଚିତ ଯାହାର ରଣନୈତିକ ଗୁରୁତ୍ୱ ରହିଛି।

ଫାଉଣ୍ତେସନ୍ ତରଫରୁ ଚୀନ ବୈଜ୍ଞାନିକଙ୍କୁ ସୂଚାଇ ଦିଆଯାଇଛି ଯେ କି ଯାନଟି ହାଲୁକା ହେବା ଉଚିତ ଏବଂ ଏହାର ଡିଜାଇନ୍ ଓ ତିଆରି କରିବାର ମୂଲ୍ୟ ମଧ୍ୟ କମ ରହିବା ଦରକାର। ମୁଖ୍ୟତଃ ଏହା ପୃଥିବୀର କକ୍ଷପଥରେ ଆରାମରେ ଗତିକରିବା ସହ ଅନ୍ତରୀକ୍ଷରେ ବହୁତ ସମୟ ଧରି ତିଷ୍ଠି ରହିବା ପ୍ରତି ଧ୍ୟାନ ଦେବାକୁ କହିଛନ୍ତି। ଏହି ଯାନଟିକୁ ସମ୍ପୂର୍ଣ୍ଣ କରିବା ପାଇଁ ଫାଉଣ୍ତେସନ୍ ପାଖରେ ୫ ବର୍ଷ ସମୟ ସହ ୧୬.୭୯ କୋଟିର ବଜେଟ୍‌ ମଧ୍ୟ ରହିଛି।

“ନାସା”ର ପୂର୍ବ ବୈଜ୍ଞାନିକ ମେସନ୍ ପେକ୍ କହିଛନ୍ତି ଯେ ଏହା ତେବେ ସମ୍ଭବ ହେବ ଯେବେ ଇଞ୍ଜିନିୟରିଂ ଏବଂ ମୌଳିକ ବିଜ୍ଞାନର ମିଳନ ହେବ। ଚୀନ ଦୁନିଆର ସବୁଠୁ ବଡ ଜିନିଷ ତିଆରି କରିବାରେ ମନ ବଳେଇଥାଏ। କିନ୍ତୁ ଏହା ହେଉଛି ସ୍ପେସ୍ ସାଇନ୍ସ, ଏଥିରେ ସାମାନ୍ୟ ତ୍ରୁଟି ହଜାର ହଜାର କୋଟି ଟଙ୍କାର କ୍ଷତି ହୋଇପାରେ।

ମେସନଙ୍କ କହିବା ଅନୁଯାୟୀ ଏହା ଅସମ୍ଭବ ନୁହେଁ କିନ୍ତୁ ଏହାକୁ ନିର୍ମାଣ ପାଇଁ ପ୍ରଚୁର ଅର୍ଥ ସହିତ ଉପସ୍ଥିତ ବୁଦ୍ଧି ଓ ନୂତନ ଟେକ୍ନୋଲୋଜି ନିହାତି ଆବଶ୍ୟକ। ପାରମ୍ପରିକ ଉପାୟ ହେଉଛି ପୃଥିବୀରେ ଏହାର ଅଂଶ ତିଆରି କରିବା ଏବଂ ପରେ ଏହାକୁ ମହାକାଶକୁ ନେଇ ସଂଯୋଗ କରିବା। କିନ୍ତୁ ଏବେ 3D ପ୍ରିଣ୍ଟିଙ୍ଗ୍ ଟେକ୍ନୋଲୋଜିରେ ଏହି କାର୍ଯ୍ୟ ଚାଲୁ ରହିଛି ଯାହା ଦ୍ୱାରା ଏହା ଶୀଘ୍ର ଓ ସୁନ୍ଦର ଡିଜାଇନ ପ୍ରସ୍ତୁତ ହୋଇପାରିବ। ସେ କହିଛନ୍ତି ଯେ ମହାକାଶଯାନ ଯେତେ ବଡ଼ ହେବ ସେତେ ଅଧିକ ସମସ୍ୟା ରହିବ। କାରଣ ମହାକାଶଯାନ ମହାକାଶରେ ଉଡେ ବାୟୁରେ ନୁହଁ। ଅନ୍ତରୀକ୍ଷରେ ରେଡିଏସନ୍ ବହୁତ ଥିବାରୁ ଏହାକୁ ସଠିକ ଟେକନିକ୍ ଦ୍ୱାରା ତିଆରି କରିବା ସହ ଏହାର ଗତିବିଧି ଉପରେ ମଧ୍ୟ ଧ୍ୟାନ ଦିଆଯାଉ।