• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଚାରି ଆଡେ ଘଂଚ ଜଙ୍ଗଲ । ଆଉ ତା’ରି ଭିତରେ ବିଶାଳକାୟ ପାହାଡ , ଆଉ ସେହି ପାହାଡର ଶିଖରରେ ରହିଛି ପଥରର ତୋରଣ ସଦୃଶ୍ୟ ପ୍ରାକୃତିକ ଭୂ-ଐତିହ୍ୟ । ଉଚ୍ଚତା ୧୨ମିଟର ହୋଇଥିବା ବେଳେ ବ୍ୟାସାର୍ଦ୍ଧ୍ୟ ୩୦ ମିଟର । ଦେଖିବାକୁ ଯେତେକି ସୁନ୍ଦର ସେତିକି ଆକର୍ଷଣୀୟ ମଧ୍ୟ ।

ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ ଗର୍ଜବଜୋର ରିର୍ଜଭ ଫରେଷ୍ଟରେ ଥିବା ଛେଙ୍ଗା ପାହାଡ । ପାହାଡ ମଧ୍ୟରେ ହୋଇଥିବା ହୋଲରୁ ଜଙ୍ଗଲର ଉଭୟ ପଟକୁ ଥରେ ଯିଏ ଦେଖିଛି ବାରମ୍ବାର ଦେଖିବାକୁ ମନେ କରିଛି । ଜିଓ-ଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ଏହାକୁ ଭୂ-ଐତିହ୍ୟର ମାନ୍ୟତା ବି ଦିଆଯାଇଛି । ଜାଣିଆଶ୍ଚର୍ଯ୍ୟ ହେବେ କି, ୧୮୪ ରୁ ୧୬୦ ମିଲିୟନ ବର୍ଷର ଏବଂ ଏହା ନିମ୍ନ ଓ ମଧ୍ୟ ଜୁରାସିକ୍ ଯୁଗର ବୋଲି ସର୍ଭେରୁ ଜଣାପଡିଛି । ତେଣୁ ସର୍ଭେ ପରେ ଦେଶରେ ୯୦ ଟି ଜିଇଓ ହରିଟେଜ୍ ମଧ୍ୟରେ ଛେଙ୍ଗା ପାହାଡକୁ ସାମିଲ କରାଯାଇଛି ।

ସର୍ଭେ ସମୟରେ ଜଣାପଡିଛି ଏହି ଅଚଂଳ ଜଳମଗ୍ନ ହୋଇରହିଥିଲା । ଛେଙ୍ଗା ପାହାଡ ମଧ୍ୟ ଦେଇ ପ୍ରଖର ସ୍ରୋତ ପ୍ରବାହିତ ହେବା ଯୋଗୁଁ ଏହାର ଆକୃତି ଏଭଳି ରହିଛି । ସମୟକ୍ରମେ ପଥର ଘୋରି ହୋଇ ହୋଇ ଏମିତି ପାହାଡର ସ୍ଥିତି ବୋଲି କୁହାଯାଉଛି । ଛେଙ୍ଗା ପାହାଡରେ ପହଞ୍ଚିବା ହେଲେ ଆପଣଙ୍କୁ ହେମଗିରି –କନିକା ମୁଖ୍ୟ ରାସ୍ତାରୁ ପ୍ରାୟ ୫ କିଲୋମିଟର ଜଙ୍ଗଲ ରାସ୍ତାଦେଇ ଯିବାକୁ ପଡ଼ିବ । ବାସ୍‌ ଏଠାରେ ପହଞ୍ଚିବା ପରେ ସବୁଜ ଜଙ୍ଗଲର ଥଣ୍ଡା ପବନ ସାଙ୍ଗକୁ ସବୁଜ ବନାନୀର ଭରପୂର ଆନନ୍ଦ ନେଇପାରିବେ ଆପଣ ।

ଏହି ଛେଙ୍ଗା ପାହାଡକୁ ଭୂ-ଐତିହ୍ୟ ଘୋଷଣା ପରେ ବର୍ତ୍ତମାନ ଏହାର ରକ୍ଷଣାବେକ୍ଷଣ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଏମିତିକି ବନବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସଚେତନ ବି କରାଯାଉଛି । କାରଣ ଏହାକୁ ସୁରକ୍ଷା ଦେବାରେ ଗ୍ରାମବାସୀଙ୍କ ପ୍ରମୁଖ ଭୂମିକା ରହିବ । ସେପଟେ ଆଗାମୀ ଦିନରେ ଏହି ସ୍ଥାନକୁ ପର୍ଯ୍ୟଟକଙ୍କର ଗହଳି ଲାଗିବା ବୋଲି କୁହାଯାଉଥିବାରୁ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ କହିଛନ୍ତି ।

 

  • Reported by:
  • Bijaya Barua