• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବରଗଡ଼( ଦୀପକ ଶର୍ମା ) : ଚାଷୀଙ୍କୁ କଲବଲ କରୁଛି ଚକଡ଼ା । କେତେବେଳେ ପ୍ରାକୃତିକ ଦୁର୍ବିପାକ ତ ଆଉ କେତେବେଳେ ରୋଗପୋକର ପ୍ରାଦୁର୍ଭାବ ଯୋଗୁ ଫସଲହାନୀ ସହୁଥିବା ବରଗଡ଼ ଜିଲ୍ଲା ଚାଷୀଙ୍କ ପାଇଁ ଧାନରେ ଚକଡ଼ା ପୋକ ଏବେ ଦାଉ ସାଧିଛି । ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କଟାପାଲି ଅଂଚଳରେ ଚକଡ଼ା ପୋକ ଯୋଗୁ ଶତାଧିକ ଧାନ ଫସଲ ନଷ୍ଟ ହେବାକୁ ବସିଥିବା ବେଳେ ଏହାର ପ୍ରତିକାର ସହ କ୍ଷତିପୂରଣ ଦାବି କରିଛି ଚାଷୀ ।

ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲାରେ ଏବେ ଖରିଫ ରୁତୁ ଧାନ ଅମଳ ସମୟ ଆସିଯାଇଛି । ତେବେ ଅମଳ ସମୟରେ ଚକଡ଼ା ପୋକର ପ୍ରାଦୁର୍ଭାବ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ବରଗଡ଼ ବିଜେପୁର ବ୍ଲକ କଟାପାଲି ଅଂଚଳରେ ଚକଡ଼ା ପୋକ ଲାଗି ଶତାଧିକ ଏକର ଧାନ ଫସଲ ନଷ୍ଟ ହୋଇ ଅଗାଡି ହୋଇଯାଇଛି । ଚାଷୀ ଚକଡ଼ା ରୋଗକୁ ଦମନ କରିବା ପାଇଁ ବାରମ୍ବାର କୀଟନାଶକ ଔଷଧ ସିଞ୍ଚନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଧାନର ମୂଳକୁ ଚକଡ଼ା ପୋକ ସମ୍ପୂର୍ଣ ଶୋଷି ନେଉଛନ୍ତି । ଏନେଇ ଚାଷୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିବା ବେଳେ ଯଥାଶୀଘ୍ର ଚାଷୀଙ୍କୁ ଇନପୁଟ ସବ୍ସିଡି ସହ କ୍ଷତିପୂରଣ ଯୋଗାଇଦେବାକୁ ଦାବି କରିଛନ୍ତି ।

ଚଳିତ ବର୍ଷ ଖରିଫ ଋତୁରେ ଧାନ ଫସଲ ଭଲ ହୋଇଥିଲା । ଚାଷୀ ଆଶା କରିଥିଲା ଧାନ ଭଲ ଅମଳ ହେଲେ, ନିଜର ଋଣ ପରିଶୋଧ କରିବ । ହେଲେ ଠିକଣା ସମୟରେ ଚକଡ଼ା ରୋଗ ଚାଷୀଙ୍କ ଆର୍ଥିକ ମାନଦଣ୍ଡକୁ ଦୋହଲାଇ ଦେଇଛି । ତେବେ ଏନେଇ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ନବୀନ ପଟେଲଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଫସଲ କ୍ଷୟକ୍ଷତି ପାଇଁ ଜିଲ୍ଲା କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଥିବା ଓ ରିପୋର୍ଟ ଆସିବ ପରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି । ଚକଡ଼ା ଯୋଗୁ କ୍ଷତି ସହିଥିବା ଚାଷୀ ଏବେ ସରକାରୀ ସହାୟତାକୁ ଚାହିଁ ରହିଥିବା ବେଳେ ଚାଷୀଙ୍କୁ କେବେ କ୍ଷତିପୂରଣ ମିଳୁଛି ତାହା ଦେଖିବାକୁ ବାକି ରହିଲା ।