Advertisment

ଯାତ୍ରା ଛାଡ଼ିଲେଣି ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ! ବଦଳିଯାଇଛି ଦାମ ପଣ୍ଡାଙ୍କ ଜୀବନଶୈଳୀ

ଓଡ଼ିଆ ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ଦାମ ପଣ୍ଡା ଏବେ କ୍ୟାନସର ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ। ପୂର୍ବଭଳି ସେ ଆଉ ଯାତ୍ରା କରୁ ନାହାନ୍ତି, ବରଂ ସିନେମା କରୁଛନ୍ତି। ଦାମ ପଣ୍ଡାଙ୍କ ଜୀବନ ଶୈଳୀ ବଦଳି ଯାଇଛି।

author-image
Prangyan Parimita
ଅଦ୍ୟତନ ହୋଇଛି
special report

special report

ଓଡ଼ିଆ ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ । ଯିଏ ଯାତ୍ରା ପେଣ୍ଡାଲରେ ଛିଡ଼ା ହେଲେ ଖେଳିଯାଏ ଭୟ ସୃଷ୍ଟି ହୁଏ ଆତଙ୍କ । ସାରା ପରିବେଶ ରୋମାଞ୍ଚିତ ହୋଇ ଉଠେ। ଓଡ଼ିଆ ଯାତ୍ରାଜଗତର ଜବରଦସ୍ତ ଭିଲେନ୍ ଦାମ ପଣ୍ଡା। ହେଲେ ତାଙ୍କ ଜୀବନ ଯାତ୍ରାରେ କେତେ ଯେ ଭୂମିକାରେ ଅବତୀର୍ଣ୍ଣ ହୋଇ ସାରିଲେଣି ସେ ନିଜେ ବି ଜାଣି ନାହାନ୍ତି।

Advertisment

ତେବେ ସମୟ ବଦଳିବା ସଙ୍ଗେ ସଙ୍ଗେ ଆଜି ସେ ବି ବଦଳିଛନ୍ତି । ବୀର ବଜରଙ୍ଗବାଲିଙ୍କୁ ପୂଜା କରୁଛନ୍ତି ସାଷ୍ଟାଙ୍ଗ ପ୍ରଣିପାତ କରୁଛନ୍ତି । ଘଣ୍ଟି ବଜାଇ ମନ୍ତ୍ର ଉଚାରଣ କରି ସୂର୍ଯ୍ୟ ଦେବକୁ ସମର୍ପଣ କରୁଛନ୍ତି । ଗଳାରେ ରୁଦ୍ରାକ୍ଷ ମାଳ, ପରିପାଟିରେ ସମ୍ପୂର୍ଣ୍ଣ ଗୃହସ୍ତ ଜୀବନ। ପୂଜା ପାଠ କରି ସକାଳ ଦିନ ଆରମ୍ଭ କରୁଛନ୍ତି ଦାମ ପଣ୍ଡା। ବୋଧ ହୁଏ ଯାତ୍ରା ଖଳନାୟକଙ୍କର ଏଭଳି ରୂପ ଆପଣ ପୂର୍ବରୁ କେବେ ଦେଖି ନଥିବେ।

ଏହାରି ଭିତରେ ଦାମପଣ୍ଡାଙ୍କ ଜୀବନରେ ଢେର୍ କିଛି ପରିବର୍ତ୍ତନ ହୋଇଯାଇଛି। ଗୋଟେ ପ୍ରକାରର କହିବାକୁ ଗଲେ ଦାମ ପଣ୍ଡା ଯାତ୍ରା ମଞ୍ଚରୁ ଓହ୍ଲାଇ ଆସିଲେଣି । ଆଉ ଯାତ୍ରା କରୁ ନାହାନ୍ତି। ରାତି ରାତି ଅନିଦ୍ରା ରହୁ ନାହାନ୍ତି କି ଏ ସହରରୁ ସେ ସହର ବୁଲି ବୁଲି ଭିଲେନ ହେଉ ନାହାନ୍ତି । ସତରେ ଦାମ ପଣ୍ଡାଙ୍କ ଜୀବନଶୈଳୀ ବଦଳିଗଲାଣି । ଏବେ ସେ ସିନେମା କଲେଣି । ଏହାସହିତ ପରିବାର ପ୍ରତିପୋଷଣ ପାଇଁ ଅନ୍ୟାନ୍ୟ କାମ ମଧ୍ୟ କରୁଛନ୍ତି । 

Advertisment

ସବୁଠାରୁ ବଡ଼କଥା ହେଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କୃପାରୁ ଦାମ ପଣ୍ଡା କ୍ୟାନସର ଭଳି ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି। ଏବେ ସେ ସୁସ୍ଥ ଅଛନ୍ତି। କରୋନା କାଳରେ ଯାତ୍ରା ବନ୍ଦ ହୋଇଯିବା ଫଳରେ ଘରଠାରୁ କିଛି ଦୂରରେ ରାସ୍ତାକଡ଼ରେ ଝାଟି ମାଟି ଦୋକାନଟିଏ କରି ସମୟ ଅତିବାହିତ କରୁଛନ୍ତି। ଯାହି ଦୁଇ ପଇସା ରୋଜଗାର କରୁଛନ୍ତି। ତାଙ୍କ ଦୋକାନରେ ପାନ ଠାରୁ ପେଟ୍ରୋଲ୍ ପର୍ଯ୍ୟନ୍ତ ସବୁ କିଛି ଅଛି। ଗୋଟେ ଯାତ୍ରା କଳାକାରର ଖିଆଲି ମନ ଅଛି। ବେଳ ଅବେଳରେ ଲୋକଙ୍କ ମନରେ ରୋମାଞ୍ଚ ଭରି ଦେବା ପାଇଁ ତାଙ୍କ ତୁଣ୍ଡରେ ଜବରଦସ୍ତ ଡାଏଲଗ୍ ବି ଅଛି । 

ଜୀବନ କେତେବେଳେ କେଉଁ ମୋଡ଼ ନିଏ ତାହା କେହି ଜାଣେନା, ଦାମ ପଣ୍ଡାଙ୍କ ଜୀବନର ମୋଡ଼ ବେଶ୍ ଅଙ୍କାବଙ୍କା ସର୍ପିଳ... ପିଲା ଦିନେ ଗାଁ ପାଖ ଶିବ ମନ୍ଦିରରେ ଓପନ ପେଣ୍ଡାଲ୍ ନାଚ ହେଉଥିଲା। ବହିର ନାଁ ଥିଲା ମରଣର ଆର୍ତ୍ତନାଦ। ଆଉ ସେହି ବହିରୁ ହିଁ ଦାମ ପଣ୍ଡା ପ୍ରଥମେ ମଞ୍ଚ ଚଢ଼ିଥିଲେ । 

ବିଏ ପାସ୍ କଲା ପରେ ବାପା କହୁଥିଲେ, ମୋ ପୁଅ IAS ହେବ... ଦାମ ପଣ୍ଡା ବି ଚାହୁଁଥିଲେ ବାପାଙ୍କ ଆଶା ପୂରଣ କରିବେ। ହେଲେ ପରିସ୍ଥିତି କରେଇ ଦେଲାନି। ଅନେକ ଥର ଦାମ କହିଛନ୍ତି, ତାଙ୍କ ପରିସ୍ଥିତି ଏମିତି ଥିଲା, ମୁଠେ ଭାତ ଆଉ ଖଣ୍ଡେ ରୁଟି ପାଇଁ ତାଙ୍କୁ ସଙ୍ଘର୍ଷ କରିବାକୁ ପଡ଼ୁଥିଲା।

ଜୀବନ ଜମୁନାରେ ଅନେକ ଜୁଆର ଆସିଛି, ସେ ଶିକ୍ଷକ ହୋଇଛନ୍ତି, କଲେଜରେ ଚାକିରି କରିଛନ୍ତି, ଶହ ଶହ ଯାତ୍ରାରେ ଦୁର୍ଦ୍ଦାନ୍ତ ଖଳନାୟକ ହୋଇଛନ୍ତି। ଆଉ ଏବେ ସିନେମା ମଧ୍ୟ କଲେଣି। ପରିସ୍ଥିତି ଏମିତି ମୋଡ଼କୁ ନେଇ ଯାଇଛି ଯେ, ସେ ଦୋକାନରେ ବସି ପାନ ଭାଙ୍ଗିବାକୁ ବି କୁଣ୍ଠାବୋଧ କରି ନାହାନ୍ତି। ବରଂ ତାକୁ ବି ହସି ହସି ଗ୍ରହଣ କରି ନେଇଛନ୍ତି।

ସେ ଯାହା ହେଉ ପଛେ, ଆମ ଯାତ୍ରା ଜଗତର ଏଭଳି ଖଳନାୟକ କ୍ୟାନସର ଭଳି ରୋଗରୁ ସୁସ୍ଥ ହୋଇ ନିଜ ପରିବାର ସହ ସୁଖରେ କାଳାତିପାତ କରୁଛନ୍ତି, ତାହି ହିଁ ଆମ ପାଇଁ ଏକ ବଡ଼ ଖବର। ଭଗବାନ କରନ୍ତୁ ତାଙ୍କ ଜୀବନ ଯାତ୍ରା ଅସରନ୍ତି ହେଉ । ଜୀବନ ଜମୁନାରେ ଯେତେ ଜୁଆର ଆସିଲେ ଆସୁ ପଛେ ଦାମ ପଣ୍ଡା ସବୁ ବେଳେ ନୂଆ ନୂଆ ରୂପରେ ଲୋକଙ୍କ ସାମ୍ନାରେ ଉଭା ହେଉ ଥାଆନ୍ତୁ ।

ସୋରରୁ ନିରଞ୍ଜନ ବେହେରାଙ୍କ ରିପୋର୍ଟ

Special Story Dama Panda
Advertisment
Advertisment