• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କୃଷି ହିଁ ଆମ ସମାଜ ଓ ସଭ୍ୟତାର ମୂଳପିଣ୍ଡ । କୃଷି ହୋଉଛି ଆମର ଅନ୍ନଦାତା । ନିଜ ତଥା ସମାଜ ମୁଖରେ ଆହାର ଯୋଗାଇବା, ଜୀବନ ଜୀବିକା ସୁଦୃଢିକରଣ କରିବାରେ ଏହି କୃଷିକୁ ହିଁ ଯିଏ ମୂଳ ମନ୍ତ୍ର କରିଥାଏ, ସେ ଆଉ କେହି ନୁହେଁ ଆାମ ସଭ୍ୟତାର ମାପକାଠି, ଏ ସମାଜର ମଙ୍ଗୁଆଳ ଚାଷୀ ।

ସାରା ଦେଶରେ ଅନେକ ଚାଷୀ ରହିଛନ୍ତି । ହେଲେ ଆଜି ଆମେ ଏଭଳି ଏକ ଚାଷୀ କଥା କହୁଛୁ, ଯିଏ ବି-ଟେକ ପାଠ ପଢି ସାରିଲା ପରେ ଏଲଆନ୍‌ଟି ଭଳି କଂପାନୀର ଚାକିରି ଛାଡି ଗାଁକୁ ଆସି ଚାଷ କାମରେ ମାତିଛନ୍ତି । ଆଜି ସେ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ସାନପତ୍ରାପାଲି ଗାଁର ମହେଶ୍ୱର ନାଏକ, ବୟସ ୩୨ ବର୍ଷ । ସେ ୨୦୧୯ ରେ ବାରିପଦାରେ ବି-ଟେକ ପାଠ ସଂପୂର୍ଣ୍ଣ କରିଥିଲେ । ପାଠପଢା ସରିବା ପରେ ଏଲ ଆନ୍‌ଟି ଭଳି କଂପାନୀରେ ଚାକିରି ସାଙ୍ଗକୁ ଦରମା ମାସକୁ ୧୬ ହଜାର ମିଳେ । ଗୋଟିଏ ବର୍ଷ ଚାକିରି କରି ୨୦୨୦ ରେ କରୋନା ଲକଡାଉନ୍ ବେଳେ ଚାକିରୀ ଛାଡ଼ି ନିଜ ଗାଁକୁ ଚାଲି ଆସନ୍ତି ମହେଶ୍ୱର ।

ମହେଶ୍ୱରଙ୍କ ଘର ଲୋକଙ୍କ ମୁଖ୍ୟ ଜୀବିକା ଚାଷ । ଆଉ ଏହି ଚାଷ ପ୍ରତି ନିଜ ମନ ବଳାଇଥିଲେ ମହେଶ୍ୱର । ସେହି ସମୟରେ ଗାଁକୁ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ବନ ଉନ୍ନୟନ ପ୍ରକଳ୍ପକୁ ତାଲିମ ଓ ମଞ୍ଜି ବିତରଣ କରିବା ପାଇଁ ଆସିଥାନ୍ତି ସ୍ଥାନୀୟ ଅଧିକାରୀ । ଆଉ ସେମାନଙ୍କଠୁ ବିଲାତି ମଞ୍ଜି ନେଇ ଚାଷ ଆରମ୍ଭ କରନ୍ତି ମହେଶ୍ୱର ।

ତିନି ମାସରେ ତିନିକେଜି ବିଲାତି ମଞ୍ଜି ଚାଷ କରି ଉପାର୍ଜନ କରନ୍ତି ଦେଢ ଲକ୍ଷ ଟଙ୍କା । ଏଥରୁ ସେ ଦେଖନ୍ତି ଯେ ଚାକିରି କଲେ କିଛି ଲାଭ ନାହିଁ । ତେଣୁ ନିଜ ଘରର ୬ ଏକର ଜମିରେ ସେ ପନିପରିବା ଚାଷ ଆରମ୍ଭ କରିଦିଅନ୍ତି । ଆଉ ବାର୍ଷିକ ରୋଜଗାର କରୁଛନ୍ତି ୭ରୁ୮ ଲକ୍ଷ ଟଙ୍କା । ବିଗତ ୪୫ ଦିନ ରେ ଝୁଡଙ୍ଗ , ବାଇଗଣ , ଭେଣ୍ଡି , ଲାଉ ଓ କାକୁଡି ବିକ୍ରି କରି ସେ ୨ ଲକ୍ଷ ୭୦ ହଜାର ଟଙ୍କା ରୋଜଗାର କରିଛନ୍ତି ମହଶ୍ୱର ।

ମହେଶ୍ୱର ଏକ ଫର୍ମୁଲାକୁ ନେଇ କାମ କରନ୍ତି, ଯେଉଁ ଋତୁରେ ଯେଉଁ ପରିବା ଚାଷ । ସବୁ ଋତୁରେ ସମସ୍ତ ପରିବା ସାଧାରଣତଃ ମିଳେ ନାହିଁ । ତାହାକୁ କିଭଳି ଅମଳ କରିହେବ ସେ ନେଇ ସେ ଅଧ୍ୟୟନ କରି ତାହାକୁ ଅମଳ କଲେ । ଆଉ ବେଶ ଲାଭବାନ ମଧ୍ୟ ହେଲେ । କେବଳ ସେ ନିଜେ ଏହି ଫର୍ମୁଲା ଆପଣାଇନାହାନ୍ତି, ଏହା ସହ ନିକଟସ୍ତ ଚାଷୀ ମାନଙ୍କୁ ମଧ୍ୟ ସେ ଏହି ତାଲିମ ପ୍ରଦାନ କରି ଅଚଂଳର ଏକ ବିଶିଷ୍ଟ ଯୁବ ଚାଷୀ ହୋଇ ପାରିଛନ୍ତି ।