Advertisment

ବାକିରେ ଖାଇଥିଲେ ବାଦାମ,୨୫ ଟଙ୍କା ଫେରାଇବା ପାଇଁ ୧୧ ବର୍ଷ ପରେ ଆମେରିକାରୁ ଆସିଲେ ଆନ୍ଧ୍ର,ଦେଲେ ୨୫ ହଜାର

ପାଖରେ ଟଙ୍କା ନଥିବାରୁ ବାକିରେ ୨୫ ଟଙ୍କାର ବାଦାମ କିଣିଥିଲେ। ୧୧ ବର୍ଷ ପରେ ଭାଇଭଉଣୀ ବାକି ଟଙ୍କା ପରିଶୋଧ କରି ମାନବିକତାର ପରିଚୟ ଦେଇଛନ୍ତି। ଆମେରିକାରୁ ଆସିଲେ ଓ ଦେଲେ ୨୫ ହଜାର ଟଙ୍କା ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Travel From USA to Return Money Owed

Travel From USA to Return Money Owed

ବିଶାଖାପାଟଣା(ଯଶୋବନ୍ତ ନାରାୟଣ ପାଢ଼ୀ): ପାଖରେ ଟଙ୍କା ନଥିବାରୁ ବାକିରେ ବାଦାମ କିଣିଥିଲେ। ଆଉ ଏହି ଟଙ୍କାକୁ ପରିଶୋଧ ପାଇଁ ସୁଦୂର ଆମେରିକାରୁ ଆନ୍ଧ୍ରପ୍ରଦେଶ ଆସିଲେ ଭାଇଭଉଣୀ। ସବୁଠାରୁ ବଡ଼ କଥା, ଦୀର୍ଘ ୧୧ ବର୍ଷ ପୂର୍ବେ ଭାଇଭଉଣୀ ବାକିରେ ୨୫ ଟଙ୍କାର ବାଦାମ କିଣିଥିଲେ। ସେତେବେଳେ ସେମାନଙ୍କ ପାଖରେ ଟଙ୍କା ନଥିଲା ଓ ବାକିରେ ବାଦାମ କିଣି ଥିଲେ। ତେବେ ୧୧ ବର୍ଷ ପରେ ଭାଇଭଉଣୀ ବାକି ଟଙ୍କା ପରିଶୋଧ କରି ମାନବିକତାର ପରିଚୟ ଦେଇଛନ୍ତି।

Advertisment

ସୂଚନା ଅନୁସାରେ, ୨୦୧୦ ମସିହାରେ ଅର୍ଥାତ୍‌ ୧୧ ପୂର୍ବେ ଆନ୍ଧ୍ରପ୍ରଦେଶର କାକିନାଡ଼ା ବାସିନ୍ଦା ଏନ୍‌. ପ୍ରଣବ ଏବଂ ତାଙ୍କ ଭଉଣୀ ସୁଚିତା ବାପା ମୋହନଙ୍କ ସହ କାକିନାଡ଼ା ନିକଟ ୟୁ.କୋଥାପାଲ୍ଲି ବେଳାଭୂମିକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ପ୍ରଣବ ଓ ସୁଚିତାଙ୍କ ବାଦାମ ଖାଇବାକୁ ଇଚ୍ଛା ହୋଇଥିଲା। ସତ୍ତାୟା ନାମକ ଜଣେ ବାଦାମ ବିକାଳୀଙ୍କ ପାଖରୁ ସେମାନେ ୨୫ ଟଙ୍କାର ବାଦାମ କିଣି ଥିଲେ। ଟଙ୍କା ଦେବାକୁ ମୋହନ ଯେତେବେଳେ ପର୍ସ ଖୋଜି ଥିଲେ, ପର୍ସ ଘରେ ଛାଡ଼ି ଚାଲି ଆସିଥିବା ଜାଣିବାକୁ ପାଇଥିଲେ। କିନ୍ତୁ ବାଦାମ ଖାଇବା ଲାଗି ପିଲାଙ୍କ ଆଗ୍ରହ ଦେଖି ସତ୍ତାୟା ବାକିରେ ସେମାନଙ୍କୁ ବାଦାମ ଦେଇଥିଲେ ଓ ପରେ ଟଙ୍କା ଦେବାକୁ କହିଥିଲେ। କିନ୍ତୁ ମୋହନ ପ୍ରତିଶ୍ରୁତି ଦେଇଥିଲେ ଯେ, ସେ ଖୁବ୍‌ଶୀଘ୍ର ବାଦାମ ଟଙ୍କା ଫେରାଇ ଦେବେ।

ଶୀଘ୍ର ଟଙ୍କା ଫେରାଇବାକୁ ମୋହନ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏହାକୁ ସେ ପୂରଣ କରିପାରିନଥିଲେ। କାରଣ ସେ ଆମେରିକାରେ ରହୁଥିଲେ ଓ କିଛିଦିନ ପରେ ସେ ଆମେରିକା ଫେରି ଯାଇଥିଲେ। ତେବେ ବାପାଙ୍କ ଏହି ପ୍ରତିଶ୍ରୁତି ଭୁଲି ନଥିଲେ ପ୍ରଣବ ଓ ସୁଚିତା। ଭାରତ ଆସି ବାଦାମ ବେପାରୀଙ୍କୁ ବାକିରେ ବାଦାମ କିଣି ଥିବା ଟଙ୍କା ଫେରାଇବାକୁ ସେମାନେ ସ୍ଥିର କରିଥିଲେ। ସେମାନେ ଯେତେବେଳେ ବି ଆନ୍ଧ୍ରପ୍ରଦେଶ ଆସୁଥିଲେ ୟୁ.କୋଥାପାଲ୍ଲି ବେଳାଭୂମିକୁ ଯାଇ ବାଦାମ ବେପାରୀ ସତ୍ତାୟାଙ୍କୁ ଖୋଜାଖୋଜି କରୁଥିଲେ। ସତ୍ତାୟାଙ୍କ ଠିକଣା ପାଇଁ ସ୍ଥାନୀୟ ବ୍ୟବସାୟୀ ଓ ବାସିନ୍ଦାଙ୍କ ସହାୟତା ଲୋଡ଼ିଥିଲେ। ହେଲେ ଏଥିରେ ସେମାନଙ୍କୁ କୌଣସି ସୁଫଳ ମିଳିନଥିଲା। 

Advertisment

ଦୀର୍ଘ ୧୧ ବର୍ଷ ଖୋଜାଖୋଜି ପରେ ସତ୍ତାୟାଙ୍କ କୌଣସି ଖୋଜଖବର ନମିଳିବାରୁ ଉଭୟ ଭାଇଭଉଣୀ ତାଙ୍କୁ ଖୋଜିବା ପାଇଁ କାକିନାଡା ସହରର ବିଧାୟକ ଚନ୍ଦ୍ରଶେଖର ରେଡ୍ଡୀଙ୍କ ସହାୟତା ଲୋଡ଼ିଥିଲେ। ମୋହନଙ୍କ ପରିବାର ସଦସ୍ୟଙ୍କ ଅନୁରୋଧ ପରେ ବିଧାୟକ ସଙ୍ଗେସଙ୍ଗେ ଫେସ୍‌ବୁକରେ ଏକ ପୋଷ୍ଟ କରିଥିଲେ। ଏହାପରେ ସତ୍ତାୟାଙ୍କ ଗାଁ ନାଗୁଲାପାଲିର କିଛି ଲୋକ ବିଧାୟକଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସତ୍ତାୟା ଆଉ ଏହି ଦୁନିଆରେ ନଥିବା ଗ୍ରାମବାସୀ କହିଥିଲେ। ସେମାନଙ୍କୁ ବାକିରେ ବାଦାମ ଖୁଆଇଥିବା ସତ୍ତାୟାଙ୍କ ମୃତ୍ୟୁ ଖବର ପାଇ ଉଭୟ ଭାଇ ଓ ଭଉଣୀ ଦୁଃଖ ପ୍ରକାଶ କରିଥିଲେ। ଖାଇଥିବା ବାଦାମ ଟଙ୍କା ସହ ସତ୍ତାୟାଙ୍କ ପରିବାରକୁ ପ୍ରଣବ ଓ ସୁଚିତା ୨୫,୦୦୦ ଟଙ୍କା ପ୍ରଦାନ କରିଥିଲେ। ଏହି ଘଟଣା ବର୍ତ୍ତମାନ ସାରା ଆନ୍ଧ୍ରପ୍ରଦେଶରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଏବେବି ମାନବ ସମାଜରେ ମାନବିକତା ବଞ୍ଚି ରହିଥିବା ନେଇ ଚର୍ଚ୍ଚା ହେଉଛି।

Otv Offbeat News
Advertisment
Advertisment