• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିବାହ ପରେ ଆଗେ କଣ୍ଟ୍ରାକ୍ଟରେ ଦସ୍ତଖତ, ଆଉ ତା’ପରେ ହେଲା ଝିଅ ବିଦା । ଆଜିକାଲି ବିବାହ ଦିନକୁ ସ୍ମରଣୀୟ କରିବାକୁ ବରକନ୍ୟା ବିଭିନ୍ନ ଉପାୟ ଆପଣାଉଥିବା ଦେଖିବାକୁ ମିଳୁଛି । ସାଜସଜ୍ଜା ଠାରୁ ଆରମ୍ଭ କରି ଖାଦ୍ୟ ପରିବେଷଣ ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ତେବେ ନିକଟରେ ଏପରି ଏକ ବିବାହର ଭିଡିଓ ଭାଇରାଲ ହେଉଛି, ଯାହା ଅତ୍ୟନ୍ତ ରୋଚକ । ବର ଏବଂ କନ୍ୟା ବରଣମାଳା ଆଦାନପ୍ରଦାନ ପରେ ଏକ ସ୍ୱତନ୍ତ୍ର ପ୍ରକାରର ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଆଉ କନ୍ୟା ହିଁ ସ୍ୱାମୀଙ୍କ ଠାରୁ ଏହି କଣ୍ଟ୍ରାକ୍ଟରେ ଦସ୍ତଖତ କରାଇଛନ୍ତି ।

ବିବାହ ପରେ ଚୁକ୍ତି ସ୍ୱାକ୍ଷର କଲା ବର

ବରଣମାଳା ପରେ ନବଦମ୍ପତି ଚେୟାରରେ ବସିଥିବା ଦେଖିବାକୁ ମିଳୁଛି । କନ୍ୟା ହାତରେ ଅଛି କଣ୍ଟ୍ରାକ୍ଟ ପେପର, ଯେଉଁଥିରେ ସମସ୍ତ ସର୍ତ୍ତାବଳୀ ଲେଖାଯାଇଛି । ବିବାହ ପରେ କ’ଣ କରିବେ, କ’ଣ ନକରିବେ ସବୁ କିଛି ଲେଖା ହୋଇଛି । କଣ୍ଟ୍ରାକ୍ଟ ପେପରରେ କନ୍ୟା ନିଜ ମନ ମୁତାବକ ଦାବି ରଖିଛନ୍ତି । ପ୍ରଥମ ସର୍ତ୍ତ ହେଉଛି ମାସରେ ସ୍ୱାମୀ କେବଳ ଗୋଟିଏ ପିଜା ଖାଇପାରିବେ । ଦ୍ୱିତୀୟ ସର୍ତ୍ତରେ ବାହାର ଖାଦ୍ୟ ଖାଉବା ଉପରେ ବାରଣ କରାଯାଇଛି । ବାହାରେ ନଖାଇ ସବୁବେଳେ ଘରର ଖାଦ୍ୟ ଖାଇବାକୁ ପଡିବ । ବିଳମ୍ବିତ ରାତି ପର୍ଯ୍ୟନ୍ତ ପାର୍ଟି କରିବାକୁ ଅନୁମତି ରହିଛି, କିନ୍ତୁ କେବଳ ପରସ୍ପର ସହିତ । ସେହିପରି କନ୍ୟାଙ୍କ ସର୍ତ୍ତ ଅନୁସାରେ ଫିଟ୍‌ ରହିବା ପାଇଁ ପ୍ରତିଦିନ ଜିମ୍ ଯିବାକୁ ପଡିବ ।

ରବିବାର ଜଳଖିଆ ସ୍ୱାମୀଙ୍କୁ ପ୍ରସ୍ତୁତ କରିବାକୁ ପଡିବ । ପ୍ରତ୍ୟେକ ପାର୍ଟି କିମ୍ବା କାର୍ଯ୍ୟକ୍ରମରେ ସ୍ତ୍ରୀର ସୁନ୍ଦର ସୁନ୍ଦର ଫଟୋ ନେବାକୁ ପଡିବ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ପ୍ରତି ୧୫ ଦିନରେ ପତ୍ନୀଙ୍କୁ ସପିଂ କରିବାକୁ ପଡିବ । ତେବେ ବିବାହ ପରେ ଉଭୟ ଏହି ଚୁକ୍ତିନାମା କାଗଜରେ ଦସ୍ତଖତ କରିଛନ୍ତି । ବର ହସି ହସି ସ୍ତ୍ରୀର ସମସ୍ତ ଦାବି ମାନିବାକୁ ରାଜି ହୋଇ ଯାଇଛନ୍ତି ।

ୱେଡଲକ୍ ଫଟୋଗ୍ରାଫି ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ଭିଡିଓ ପୋଷ୍ଟ କରାଯାଇଛି, ଯାହା ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ୩ କୋଟିରୁ ଅଧିକ ଭ୍ୟୁ ମିଳିଥିବାବେଳେ ୧୭ ଲକ୍ଷରୁ ଅଧିକ ଲାଇକ୍ ମିଳିଛି । ଭିଡିଓ ଦେଖିବା ପରେ ଅନେକ ଲୋକ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଉଛନ୍ତି । ଅଧିକାଂଶ ଲୋକ ନିଜ ସାଥୀଙ୍କୁ ଟ୍ୟାଗ୍ କରିବା ସହ ଚୁକ୍ତି କରିବା ପାଇଁ ଚ୍ୟାଲେଞ୍ଜ ମଧ୍ୟ ଦେଉଛନ୍ତି ।

ତେବେ କିଛି ଲୋକ ଏହି ଭିଡିଓକୁ ନାପସନ୍ଦ ମଧ୍ୟ କରୁଛନ୍ତି । ବିବାହ ନୁହେଁ, ଏହା ଏକ ଡିଲ୍ ବୋଲି କହୁଛନ୍ତି । ଜଣେ ବ୍ୟକ୍ତ କହିଛନ୍ତି, ପ୍ରତି ସପ୍ତାହରେ ପିଜା ଖାଇବାର ଅନୁମତି ଦିଆଯିବା ଉଚିତ୍ । ଆଉ କିଛି ୟୁଜର କହୁଛନ୍ତି ବିବାହରେ ଏପରି ସର୍ତ୍ତ ଠିକ୍‌ ନୁହେଁ ।