• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦ ଓ ତିଲେଇବଣି ବିଡିଓଙ୍କ ଗିରଫ ଦାବିରେ ବିଜେପିର ଦେବଗଡ଼ ଜିଲ୍ଲାରେ ବନ୍ଦ ଡାକରା । ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରୁଛି ବିଜେପି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜେପି କର୍ମୀଙ୍କ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଦୋକାନ ବଜାର ବନ୍ଦ କରି ପିକେଟିଂ କରୁଛନ୍ତି ବିଜେପି କର୍ମୀ । ଗତକାଲି ଦେବଗଡ଼ ବିଜେପି ଜିଲ୍ଲା ସଭାପତି ମୀନକେତନ ପ୍ରଧାନଙ୍କ ସହ ଅନ୍ୟ କର୍ମୀ ବିଧାୟକଙ୍କ ଗିରଫ ପ୍ରତିବାଦରେ ଥାନା ଆଗରେ ଧାରଣା ଦେବା ସହିତ ପୋଲିସ ବିରୋଧରେ ନାରାବାଜି କରିଥିଲେ ।

ସେପଟେ କାଲି ବିଧାୟକଙ୍କ ଜାମିନ ନାମଞ୍ଜୁର ପରେ ୭ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ଦେବଗଡ଼ ସିଜେଏମ୍ କୋର୍ଟ । ଆସନ୍ତା ୭ ତାରିଖରେ ଜାମିନ ଆବେଦନ ଉପରେ ଶୁଣାଣି କରିବେ କୋର୍ଟ । ଗତକାଲି ତାଙ୍କୁ ଭୁବନେଶ୍ୱରରୁ ଗିରଫ କରି ଦେବଗଡ଼ ନେବା ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ । କିଛି ସମୟ ପାଇଁ ତାଙ୍କୁ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ଅନ୍ୟପଟେ ଗିରଫ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ବିରୋଧରେ ଲାଗିଛି ହତ୍ୟା ଉଦ୍ୟମ ଭଳି ସଂଗୀନ ଦଫା । ତେବେ ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ବିରୋଧରେ ସୁବାସ ମଧ୍ୟ ଏକ ଅଭିଯୋଗ କରିଥିବା ବେଳେ ପୋଲିସ ତା ଆଧାରରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ସିଧା ବିଧାୟକଙ୍କୁ ଗିରଫ କରିବା ଦୁର୍ଭାଗ୍ୟଜନକ ବୋଲି କହିଛି ରାଜ୍ୟ ବିଜେପି । ଜବାବରେ ବିଜେଡି କହିଛି, ବିଧାୟକଙ୍କୁ ଆଇନ ଅନୁସାରେ ଗିରଫ କରାଯାଇଛି ।