• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରେସମିଟ୍ କରି ତୁରନ୍ତ ବିଧାୟକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଘଟଣାର ବିଧିବଦ୍ଧ ତଦନ୍ତ କରାଯାଉ ତା ସହ ବାଙ୍କିର ଯେଉଁ ମହିଳା ଜଣକ ଥାନାରେ ଏତଲା ଦେଇଥିଲେ, ତାହା କାହିଁକି ଏପର୍ଯ୍ୟନ୍ତ ଗ୍ରହଣ କରାଯାଇନି ବୋଲି ସେ ପ୍ରଶ୍ନ କରିଛନ୍ତି । ଏବେ ସେ ମହିଳା କେଉଁଠି ଅଛନ୍ତି, ତାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ସାମ୍ନାକୁ ଅଣାଯାଉ ଏବଂ ସୁରକ୍ଷା ଦିଆଯାଉ ବୋଲି ଦାବି କରିଛି ବିଜେପି ।

ସେପଟେ ଏ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ବିଧାୟକ ପ୍ରକାଶ ମାଝୀ ଜଣେ ମହିଳାଙ୍କୁ ଶାରୀରିକ ଶୋଷଣ କରି ହତ୍ୟା କରିବାକୁ ଧମକ ଦେଇଛନ୍ତି । ତେବେ ପୀଡ଼ିତା ମହିଳା ନ୍ୟାୟ ନପାଇବା ପର୍ଯ୍ୟନ୍ତ କଂଗ୍ରେସ ଚୁପ୍ ବସିବନି ବୋଲି ନିରଞ୍ଜନ ଟ୍ୱିଟ୍ କରିଛନ୍ତି । କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗ ମଧ୍ୟ ପ୍ରକାଶ ମାଝୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ସେପଟେ ବିଜେପି ଓ କଂଗ୍ରେସର ଅଭିଯୋଗ ନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ସୂଚନାଯୋଗ୍ୟ ମେ ୩ ତାରିଖରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଜେଡି ବିଧାୟକ ପ୍ରକାଶ ମାଝୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ହୋଇଥିଲା । ଜଣେ ଯୁବତୀଙ୍କୁ ଯୌନ ଶୋଷଣ ଓ ହତ୍ୟା ଧମକ ଦେବା ନେଇ ରାଜଧାନୀର ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ହେଲେ ଏହା ସତ୍ତ୍ୱେ ପୋଲିସ ଏତଲା ଗ୍ରହଣ କରୁନଥିବା କଂଗ୍ରେସ ଅଭିଯୋଗ କରିଥିଲା । ଦୀର୍ଘ ତିନି ବର୍ଷ ହେଲା ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ଭ୍ରୁଣହତ୍ୟା ଭଳି ଜଘନ୍ୟ ଅପରାଧ ସହ ଯୁବତୀଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ କରାଯାଇଥିଲା ।