• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ତିନିମାସ ହେଲାଣି ଜଳୁନି ବିଜୁଳି

  • ଭୋଟ ବର୍ଜନ ପାଇଁ ଧମକ ଦେଲେ ଗାଁ ଲୋକେ

ବୀରମିତ୍ରପୁର(ରାକେଶ ସାହୁ): ଟ୍ରାନ୍ସଫର୍ମର ନାହିଁ ତୋ ଭୋଟ୍ ନାହିଁ । ଏମିତି ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ l ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ସ୍ଥାନୀୟ ବିଧାୟକଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି l ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା ନୁଆଗାଁ ବ୍ଲକ ଲିମାଡା ପଞ୍ଚାୟତ କୁଣ୍ଡରା ଗାଁ ରେ ତିନି ମାସ ହେଲା ବିଜୁଳି ନାହିଁ l ଲୋକେ ଅନ୍ଧାରରେ ଜୀବନ-ଯାପନ କରୁଛନ୍ତି l ତେବେ ଗାଁ ରେ ମାତ୍ର ଗୋଟିଏ ଟ୍ରାନ୍ସଫର୍ମର ଥିଲା I ଯାହା ଆଜକୁ ପ୍ରାୟ ତିନି ମାସ ହେବ ଜଳି ଯାଇ ପାଉଁଷ ହୋଇଯାଇଛି l ଯେଉଁଦିନ ଟ୍ରାନ୍ସଫର୍ମର ଜଳିଲା ସେଇ ଦିନଠୁ ଆଉ ଗାଁରେ ବିଜୁଳି ଆଉ ଜଳିନାହିଁ l ଏହି ଟ୍ରାନ୍ସଫର୍ମର ଉପରେ ଶହେ ଘର ପରିବାର ନିର୍ଭର କରିଥାନ୍ତି l କିନ୍ତୁ ଆଜି ଏହି ଶହେ ପରିବାର ଅନ୍ଧାରରେ ଜୀବନ କାଟୁଛନ୍ତି l

ଏହି ଟ୍ରାନ୍ସଫର୍ମର ଉପରେ ତିନୋଟି ଏଲ୍ ଆଇ ପୋଇନ୍ଟ ନିର୍ଭର ଥିଲା କିନ୍ତୁ ଚାରି ମାସ ହେବ ତାହା ବି ଅଚଳ ହୋଇ ରହିଛି l ଗାଁ ଲୋକେ ଚାଷ ପାଇଁ ପାଣି ବି ପାଇପାରୁନାହାନ୍ତି l ଯାହା ଫଳରେ ଚାଷୀ କୂଳ ଏବେ ହତାଶ ହୋଇ ପଡ଼ିଛନ୍ତି l ତେବେ ଏହାକୁ ନେଇ ଗ୍ରାମ ବାସୀ ବାରମ୍ବାର ହାତୀବାରୀ ଜେଇ, କୁଆଁରମୁଣ୍ଡା ଏସଡିଓ, ବୀରମିତ୍ରପୁର ବିଧାୟକଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳି ପାରିଲା ନାହିଁ l

ଏ ନେଇ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। କହିଛନ୍ତି, ଯଦି ଚାରି ଦିନ ଭିତରେ କୁଣ୍ଡରା ଗ୍ରାମରେ ଟ୍ରାନ୍ସଫର୍ମର ନ ଲାଗେ ତେବେ ସେମାନେ ରାଜରାସ୍ତା ଅବରୋଧ କରିବେ, ଧାରଣାରେ ବସିବେ ଓ ଏହା ସହିତ ଆସନ୍ତା ପଞ୍ଚାୟତ ନିର୍ବାଚନରେ ସମସ୍ତ ଗାଁ ଲୋକେ ଭୋଟ୍ ବର୍ଜନ କରିବେ ବୋଲି ସ୍ପଷ୍ଟ କରିଛନ୍ତି।

ଆଦିବାସୀଙ୍କ ଉନ୍ନତି ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ତା ସହ ମାଳ ମାଳ ଯୋଜନା ବି ହେଉଛି l କିନ୍ତୁ ଗାଁରେ ଜଳୁନି ବିଜୁଳି l ଦୀର୍ଘ ତିନି ମାସରୁ ଅଧିକ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅନ୍ଧାରେ ଗ୍ରାମବାସୀମାନେ ରହିଛନ୍ତି l ଏ ନେଇ ସ୍ଥାନୀୟ ବିଧାୟକ ଶନ୍କର ଓରାମ ଆଗାମୀ ଦିନରେ ଆନ୍ଦଳନ କରିବେ ବୋଲି ଧମକ ଦେଇଛନ୍ତି I ଅନ୍ୟ ପଟେ କୁଆଁରମୁଣ୍ଡା SDO କହିଛନ୍ତି ପୋଡ଼ି ଯାଇଥିବା ଟ୍ରାନ୍ସଫର୍ମରକୁ ତୁରନ୍ତ ମରାମତି କରାଯିବ l ଏହା ସହ SDO କହିଛନ୍ତି ଲୋକଙ୍କ କିଛି ବକେୟା ବିଲ ମଧ୍ୟ ବାକି ରହିଛି।ତେବେ କେବଳ ଗୋଟିଏ ନୁହେଁ ନୂଆଁ ଗାଁ ବ୍ଲକ ଅଧୀନରେ ଥିବା ଏମିତି ବହୁତ ପଞ୍ଚାୟତ ରହିଛି ଯେଉଁଠି ବିଜୁଳିର ଦେଖା ନାହିଁ l