• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ଜଳବାୟୁ ପରିବର୍ତ୍ତନ । ଅନେକ ସମୟରେ ଲଗାଣ ବର୍ଷା ଓ ବନ୍ୟାରେ ଧାନ ଚାଷରେ କ୍ଷତି ସହିଥାନ୍ତି ଚାଷୀକୂଳ । ସେଥିରୁ ମୁକୁଳିବା ପାଇଁ ବିଭିନ୍ନ ପନିପରିବା ଫସଲ କରିଥାନ୍ତି । ଆଶା ଥାଏ ଫସଲ କ୍ଷତିର ଭରଣା ହେବ । କିନ୍ତୁ ଏବେ ଚାଷୀ କରିଥିବା କଲରା ଚାଷରେ ଦେଖାଦେଇଛି ଭୁରୁଙ୍ଗା ରୋଗ । ଫଳରେ ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳର ଚାଷୀ ମୁଣ୍ଡରେ ପଡିଛି ଚଡକ । ଏପଟେ ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଛି କୃଷି ଉଦ୍ୟାନ ବିଭାଗ ।

ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳରେ କଲରା ଚାଷରେ ଦେଖାଦେଇଛି ଭୁରୁଙ୍ଗା ରୋଗ । ଫଳରେ ଏକର ଏକର କଲରା ଫସଲ କ୍ଷତିଗ୍ରସ୍ତ ହୋଇଛି । ଯାହାକୁ ନେଇ ଚିନ୍ତାରେ ଚାଷୀକୂଳ ବିଶେଷ କରି ଧର୍ମଶାଳା ବ୍ଲକର ମିର୍ଜାପୁର, ପାଟପୁର ଆଦି ଅଂଚଳର ଚାଷୀ ୧ ଶହ ଶହ ଏକର ଜମିରେ କଲରା ଚାଷ ହୋଇଛି । ଭଲ ଫସଲ ଅମଳ ହେବା ନେଇ ଆଶା ମଧ୍ୟ ରଖିଥିଲେ । ହେଲେ ଭୁରୁଙ୍ଗା ରୋଗ ଯୋଗୁ ଗଛର ଅଗଭାଗ ପତ୍ର ସବୁ ମୋଡି ହୋଇଯିବା ସହ ଫଳ ବଢୁନାହିଁ । ଯେଉଁ ସମୟରେ କଲରା ତୋଳା ହୋଇ ବିକ୍ରୀ ହେବା କଥା ସେହି ସମୟରେ ଫଳ ବାହାରୁନାହିଁ । ଧାର କରଜ କରି ଚାଷ କରିଥିବା ଚାଷୀ ଫସଲକୁ ଦେଖି ଏବେ ଚିନ୍ତାରେ ପଡିଛି । ଅତ୍ୟଧିକ ତାପମାତ୍ରା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା କହିଛନ୍ତି ଚାଷୀ ।

ଲଘୁଚାପ ଜନିତ ଲଗାଣ ବର୍ଷାରେ ସଂପୃକ୍ତ ଅଂଚଳର ଚାଷୀକୂଳ ପ୍ରଭୂତ କ୍ଷତି ସହିଥିଲେ । ତେବେ ଏହି ଫସଲ କରି ଭଲ ଅମଳ ହେବା ନେଇ ଆଶା ରଖିଥିଲେ । କିନ୍ତୁ ଏବେ ଏହି ଫସଲରେ ଭୁରୁଙ୍ଗା ରୋଗ ଦେଖାଦେବା ଫଳରେ ଚାଷୀ ମୁଣ୍ଡରେ ଚଡକ ପଡିଛି । ଏକର ଏକର କଲରା ଫସଲ ନଷ୍ଟ ହେବାକୁ ବସିଛି । ଏହି ଚାଷ ଉପରେ ନିର୍ଭର କରି ଚଳୁଥିବା ଅଂଚଳର ଚାଷୀ ଏବେ କିପରି ନିଜର ପରିବାର ପ୍ରତିପୋଷଣ କରିବେ ସେ ନେଇ ଚିନ୍ତାରେ । ଏପରିକି ଗଛ ଗୁଡିକ ଉପାଡିଦେବାକୁ ଆରମ୍ଭ କଲେଣି ।

ଆଉ କିଛି ଚାଷୀ ବାରମ୍ବାର ଚାଷରେ କ୍ଷତି ସହୁଥିବାରୁ ଚାଷ କ୍ଷେତ୍ରରୁ ମୁହଁ ଫେରାଇବାକୁ ବସିଲେଣି । ଏପରିସ୍ଥଳେ ସରକାରୀ ସହାୟତା ମିଳିଲେ ଚାଷୀ କୂଳ ପୁଣି ଅଂଟା ସଳଖି ଛିଡା ହୋଇପାରିବେ ବୋଲି ଆଶା ରଖିଛନ୍ତି । ଏପଟେ ଚାଷୀଙ୍କର କ୍ଷୟକ୍ଷତିର ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ କହିଛନ୍ତି ଧର୍ମଶାଳା ଉଦ୍ୟାନ ବିଭାଗ ସହକାରୀ ଅଧିକାରୀ । କୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇ ଚାଷୀମାନଙ୍କୁ ସହାୟତା ଯୋଗଇଦେବା ଲାଗି ଦାବି ହୋଇଛି ।