• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବାଉଁଶ ବଣ...ଘଂଚ ଜଙ୍ଗଲ । ଆଉ ତାହାରି ଭିତରେ ରହିଛି ହଜାର ବର୍ଷର ପୁରୁଣା ଦେଢଶୁର ଭାଇବୋହୂ କୂଅ । ଉପରୁ ଦେଖିଲେ ପାଣି ପୂରା ଶାଗୁଆ ରଙ୍ଗର ଦେଖାଯାଉଛି । ପୁଣି ତାହା ଭିତରେ ମଟର ପମ୍ପ ଲାଗିଛି । ଏମିତିକି କୂଅକୁ ଦେଖିଲେ ଡର ବି ଲାଗିବ...ହେଲେ ହଜାର ବର୍ଷର ପୁରୁଣା କୂଅର ସନ୍ଧାନ ମିଳିବା ପରେ ଏବେ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ।

କଥାରେ ଅଛି ଭାଇବୋହୂ ଉପରେ ଦେଢ ଶୂରର ଛାଇ ପଡେନାହିଁ । ଏହି ପରମ୍ପରା କାହିଁ କେତେ ବର୍ଷରୁ ଚଳି ଆସୁଛି । ଯାଜପୁର ବଡଚଣା ଚଣ୍ଡିତଳ ଗାଁରେ ଥିବା ଶିଖରଚଣ୍ଡି ପାଦଦେଶରେ ଏମିତି ଏକ କୂଅ ଅଛି ଯାହାର ନାଁ ଦେଢଶୂର ଭାଇବୋହୂ କୂଅ । ଏବେ ନୁହେଁ ବରଂ ହଜାର ବର୍ଷର ପୁରୁଣା ଏହି କୂଅ । କାହିଁ କେଉଁ କାଳରୁ ନିର୍ମାଣ ହୋଇଛି । ତେବେ ପୂରାତନ କୂଅ ସନ୍ଧାନ କରିଛି ଇନଟାକ ଟିମ୍ । କୁହାଯାଉଛି ଅନେକ ଐତିହ୍ୟ ଓ ପରମ୍ପରା ଲୁଚି ରହିଛି ଏହାରି ଭିତରେ । କୂଅ ଭିତରକୁ ପାଦରେ ଚାଲି ଚାଲି ଗଲେ ପ୍ରାୟ ୮୦ଫୁଟ ତଳେ ପାଣି ମିଳେ । ଏହାର ବିଶେଷତ୍ୱ ଓ କିମ୍ବଦନ୍ତି ବି ଅନେକ ରହିଛି ।

ଠାବ ହୋଇଥିବା ପ୍ରାଚୀନ କୂଅଟି ପ୍ରାୟ ୧୨୦ଫୁଟ ଦୈର୍ଘ୍ୟ ଓ ୩୫ଫୁଟ ପ୍ରସ୍ଥ ଆୟତକାର ଭୂମି ଉପରେ ରହିଛି । କୂଅ ନିର୍ମାଣରେ ମାଙ୍କଡା ପଥର ବ୍ୟବହାର କରାଯାଇଥିବା ଦେଖାଯାଇଛି । ପୂରାତନ ଶୈଳୀରେ ମାଙ୍କଡା ପଥର ଦ୍ୱାରା ନିର୍ମିତ ଏହି କୂଅଟି ଏକ ଷ୍ଟେପ୍ ୱେଲ ବା ପାହାଚ ଆକାରରେ ରହିଛି । ଓଡିଶାର ଅନେକ ସ୍ଥାନରେ ପୂରାତନ କୂଅ ରହିଥିବା ବେଳେ ଏହି କୂଅ ସବୁଠାରୁ ବୃହତ୍ତର ବୋଲି ଜଣାଯାଇଛି । ୮୦ ଫୁଟ୍‌ ତଳେ ପାଣି ଥିବା ପରେ ବି ଗାଁ ଲୋକେ ଏହାର ଜଳକୁ ବ୍ୟବହାର କରୁଛନ୍ତି । ଯଦି ଏହି କୂଅର ରକ୍ଷଣାବେକ୍ଷଣ ଠିକ୍‌ରେ ହୁଏ ତେବେ କୂଅରୁ ଅନେକ ଲୋକେ ଲାଭ ପାଆନ୍ତେ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

(ଯାଜପୁରରୁ ଗୁଲାମ ଗସ୍‌ଙ୍କ ରିପୋର୍ଟ)