/odishatv-khabar/media/post_attachments/uploadimage/library/16_9/16_9_0/IMAGE_1638427240.jpg)
Special Story
ଭୁବନେଶ୍ୱର: ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଯେବେ ସକାରାତ୍ମକ ହୋଇଥାଏ, ସେବେ ବାଟ ଆପେ ଆପେ ଦିଶେ । ଆଉ ସମସ୍ୟାର ସମାଧାନ ବି ହୋଇଯାଏ । ଏଭଳି ଏକ କାହାଣୀ ହେଉଛି ଭଦ୍ରକ ବାସୁଦେବପୁର ବ୍ଲକ ସୁଆଁ ଗ୍ରାମର ନୟନାନନ୍ଦ ମହାନ୍ତିଙ୍କ । ସରକାରୀ ସହାୟତା ଅପେକ୍ଷାରେ ଥିବା ଅସହାୟ ନୟନାନନ୍ଦଙ୍କ ଦୁଃସ୍ଥିତିରେ ଗାଁର ଯୁବକ ସଂଘ ତାଙ୍କୁ ସହାୟତାର ହାତ ବଢ଼ାଇ ଉଦାହରଣ ସୃଷ୍ଟି କରିଛନ୍ତି । ସେହିପରି ସରକାରୀ ଚାକିରି ପଛରେ ନଦୌଡ଼ି ନିଜେ ନିଜ ପାଇଁ ସୃଷ୍ଟି କରିଛନ୍ତି ରୋଜଗାରର ପନ୍ଥା ଓ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା।
ଭଦ୍ରକ ବାସୁଦେବପୁର ବ୍ଲକ ସୁଦର୍ଶନପୁର ପଂଚାୟତ ସୁଆଁ ଗ୍ରାମର ନୟନାନନ୍ଦ ମହାନ୍ତିଙ୍କ ବୟସ ୬୦ ଟପିଲାଣି । ସ୍ତ୍ରୀ ଓ ଛୋଟ ପୁଅକୁ ନେଇ ସଂସାର ପାଖରେ ସମ୍ବଳ ନାହିଁ କି ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଟିଏ ନାହିଁ । ମଜୁରୀ ଲାଗି କୌଣସି ମତେ ପରିବାକୁ ଚଳାଇ ନେଉଥିଲେ ନୟନ। କିନ୍ତୁ ତିନିବର୍ଷ ତଳେ ଗାଁ ଛକରେ ଦୁର୍ଘଟଣାର ଶିକାର ହୋଇ ଡାହାଣ ଗୋଡ ଭାଙ୍ଗି ଯିବା ପରେ ପରିବାର ଉପରେ ଚଡ଼କ ପଡ଼ିଥିଲା । ସାହି ପଡୋଶୀଙ୍କ ସହାୟତାରେ ଚିକିତ୍ସା କରାଇ ଗୋଡରେ ଲୁହାର ଲାଗିଲା। ଏବେ ଭଙ୍ଗା ଗୋଡକୁଧରି ତିନି ବର୍ଷହେବ ଘରେ ବସିଛନ୍ତି ନୟନ।
ଘର ଖଣ୍ଡେ କରିଦେବା ପାଇଁ ପ୍ରଶାସନ ପାଖରେ ବହୁବାର ନିବେଦନ କରିଥିଲେ ମଧ୍ୟ ଏଯାଏଁ ପ୍ରଶାସନର କୌଣସି ସାହାଯ୍ୟ ମିଳିଲାନି । ପ୍ରଶାସନ ସିନା ଚାହିଁଲାନି, କିନ୍ତୁ ଗାଁର ସିଦ୍ଧେଶ୍ୱର ସଶକ୍ତ ଯୁବ ବାହିନୀ ଏବେ ନୟନାନନ୍ଦଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ଚିକିତ୍ସା କରାଇବା ସହ ରାସନ ମଧ୍ୟ ଯୋଗାଇ ଦେଇଛନ୍ତି ଯୁବଗୋଷ୍ଠୀ । ଏଥିସହ ଯୁବ ବାହିନୀର କର୍ମକର୍ତ୍ତାମାନେ ନିଜ ଉଦ୍ୟମରେ ନୟନଙ୍କ ଅଧଖଣ୍ଡିଆ ଘରକୁ ଇଟାକାନ୍ଥ କରି ଆଜବେଷ୍ଟ ପକାଇବାକୁ ଉଦ୍ୟମ ଚଳାଇଛନ୍ତି ।
ଇଚ୍ଛା ଶକ୍ତି ଯେ ମଣିଷକୁ ଆଗକୁ ବଢ଼ିବାର ବାଟ ଦେଖାଏ, ଏ ହେଉଛି ତାର ଉଦାହରଣ । ଏ ହେଉଛନ୍ତି କଟକ ନିଆଳି ସଡ଼ାଂଷ ପଞ୍ଚାୟତ ସୁନିନ୍ଦା ଦଣ୍ଡା ସାହିର ସଂଗ୍ରାମଜିତ୍ ହାତୀ । ଯେତେବେଳେ ଯୁବକମାନେ ସରକାରୀ ଚାକିରି ପଛରେ ଧାଇଁଛନ୍ତି ସେବେ ସଂଗ୍ରାମ ନିଜସ୍ୱ ଉଦ୍ୟମରେ ଆରମ୍ଭ କରିଛନ୍ତି କୁକୁଡ଼ା ଓ କଦଳୀ ଚାଷ । ନିଜ ବାଡ଼ିରେ ଏକରେ ଜାଗା ନେଇ ପ୍ରଥମେ ୧୫ ହଜାର ଟଙ୍କାରେ ଏହାକୁ ଆରମ୍ଭ କରିଥିଲେ । ଏବେ ମାସକୁ ଏଥିରୁ ସେ ୩୦ରୁ ୪୦ ହଜାର ପଯର୍ୟନ୍ତ ରୋଜଗାର କରିପାରୁଛନ୍ତି। ପରେ ତାଙ୍କୁ ସରକାରୀ ସହାୟତା ଭାବେ ୭ ଲକ୍ଷ ଟଙ୍କା ବି ମିଳିଛି । ଯାହାକୁ ନେଇ ସେ ୫ ବର୍ଷ ଧରି ଏ ଚାଷ କରି ଚାଲିଛନ୍ତି । ଯେତେବେଳେ ସେ ଏହାକୁ ଆରମ୍ଭ କରିଥିଲେ, ସେବେ ଗାଁ ଲୋକେ ଓ ସାହିପଡ଼ିଶା ଟାହିଟାପରା କରୁଥିବାର ଦେଖିବାକୁ ମିଳିଥିଲା । ଏବେ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି ।
ଗୋଟିଏ ପଟେ ନୟନଙ୍କ ନୟନାଶ୍ରୁକୁ ପୋଛିବାକୁ ସରକାର ଆଗଭର ନହେବାରୁ ଗାଁର ସିଦ୍ଧେଶ୍ୱର ସଶକ୍ତ ଯୁବ ବାହିନୀ ଆଗେଇ ଆସି ଉଦାହରଣ ସୃଷ୍ଟି କଲେ, ଆଉ ଅନ୍ୟପଟେ ସଂଗ୍ରାମଙ୍କ ଆତ୍ମନିର୍ଭରତାକୁ ପ୍ରତିପାଦିତ କରିବାର ଉଦ୍ୟମ ଯୁବଗୋଷ୍ଠୀଙ୍କ ପାଇଁ ଅନ୍ୟତମ ପ୍ରେରଣାର ଉତ୍ସ ସାଜିଗଲା । ଯେବେ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସକାରାତ୍ମକ, ସେବେ ସାହାଯ୍ୟ ଆପେ ଆପେ ଯେ ମିଳିଯାଏ, ଏହା ତାର ଅନ୍ୟତମ ଉଦାହରଣ ।
ରିପୋର୍ଟର- ବାସୁଦେବପୁରରୁ କିରୀଟି ଦାସ ଓ ନିଆଳିରୁ ବିନୟ ମିଶ୍ର
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)