/odishatv-khabar/media/post_attachments/uploadimage/library/16_9/16_9_0/mohit_1649139990.jpg)
mohit
ଆଜିର ବ୍ୟସ୍ତ ବହୁଳ ଜୀବନଶୈଳୀ ଭିତରେ ମଣିଷ ନିଜ ନିଜ କାମରେ ବ୍ୟସ୍ତ । ଅନ୍ୟ କଥା ବୁଝିବାକୁ କାହା ପାଖରେ ସମୟ ନାହିଁ । କିନ୍ତୁ ଏଭଳି ସ୍ଥିତିରେ ଦିବ୍ୟାଙ୍ଗମାନଙ୍କ ପାଇଁ ସାହା ପାଲଟିଛନ୍ତି ଜଣେ ଯୁବକ। ନାଁ ମୋହିତ ରାଉଳ। ଭଦ୍ରକ ସହର କୁଆଁସରେ ସେ କରିଛନ୍ତି ଏକ ଛୋଟିଆ ଜଳଖିଆ ଦୋକାନ। ହେଲେ ଅସହାୟ ଓ ଦିବ୍ୟାଙ୍ଗଙ୍କୁ ମାଗଣା ଜଳଖିଆ ଦେଇ ସେ ଏବେ ଚର୍ଚ୍ଚାରେ।
ଜଳଖିଆ ଦୋକାନରୁ ଯାହା କିଛି ରୋଜଗାର ହୁଏ, ସେଥିରେ ପରିବାର ଚଳାଇବା ସହ ଦିବ୍ୟାଙ୍ଗମାନଙ୍କ ପାଇଁ ଦାନ ଧର୍ମ କରିଥାନ୍ତି । ଏଇଥି ପାଇଁ ମୋହିତଙ୍କ ଦୋକାନ ଆଗରେ ଜମେ ଦିବ୍ୟାଙ୍ଗ ଓ ଅସହାୟଙ୍କ ଭିଡ଼। ସକାଳ ହେଲେ ଭଦ୍ରକ ସହରର ବିଭିନ୍ନ ବସ୍ତିରେ ରହୁଥିବା ଲୋକମାନେ ଜଳଖିଆ ଖାଇବା ପାଇଁ ମୋହିତଙ୍କ ଦୋକାନକୁ ଆସନ୍ତି। ଆଉ ଖୁସି ଖୁସି ମୁହଁରେ ପେଟ ଫୁଲ ହେବା ପର୍ଯ୍ୟନ୍ତ ଜଳଖିଆ ବଢାଇ ଦେଇଥାନ୍ତି ମୋହିତ ଓ ତାଙ୍କ ପିଲାମାନେ।
ଅସହାୟ ଓ ଦିବ୍ୟାଙ୍ଗଙ୍କ ମୁହଁରେ ଦାନା ଦେଇ ଆତ୍ମସନ୍ତୋଷ ପାଆନ୍ତି ମୋହିତ। ନିଜ ରୋଜଗାର ପାଇଁ ଜଳଖିଆ ଦୋକାନ ଖୋଲିଛି ମୋହିତ। ଏସବୁ ଭିତରେ ସମାଜର ଅବହେଳିତ ଅସହାୟ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ମୋହିତ ମାଗଣା ଜଳଖିଆ ଦେବାକୁ ନିଷ୍ପତି ନେଇଛି। ଏଥିରେ ବହୁତ ଆନନ୍ଦ ମିଳେ ବୋଲି କହନ୍ତି ମୋହିତ।
ମୋହିତଙ୍କ ଜଳଖିଆ ଭାରି ସ୍ୱାଦିଷ୍ଟ। ତାଙ୍କର ମାଗଣା ଜଳଖିଆ ପାଇଁ ଆମେ ଭୋକ କଣ ଜାଣି ପାରୁନାହୁଁ। ସେଇଥି ପାଇଁ ଟଙ୍କା ପଇସା ନ ଦେଲେ କଣ ହେଲା, ଆମେ ମୋହିତଙ୍କ ଉପରେ ଆର୍ଶିବାଦ ଅଜାଡି ଦେଉଛୁ ବୋଲି କହନ୍ତି ଦିବ୍ୟାଙ୍ଗ-ଅସହାୟ ବ୍ୟକ୍ତି।
ଖାଲି ଦିବ୍ୟାଙ୍ଗମାନେ ନୁହଁନ୍ତି, ଯେକେହି ମୋହିତଙ୍କ ଜଳଖିଆ ଦୋକାନକୁ ଖାଇବାକୁ ଯାଇଥାନ୍ତି, ଏଭଳି ମହାନତାକୁ ଦେଖି ପ୍ରଶଂସା କରିବାକୁ କୁଣ୍ଠାବୋଧ କରନ୍ତିନି।
ଭଦ୍ରକରୁ ପାର୍ଥ ସାରଥୀ ନାୟକଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)