Advertisment

ଫେରିଆ, ତୋ ବିନା ମୁଁ ବଞ୍ଚି ପାରିବିନି; ସ୍ତ୍ରୀର ବିରହରେ ଏମିତି କହି ଝୁରୁଛି ସ୍ୱାମୀ

ସାବିତ୍ରୀ ବ୍ରତ ପରଦିନ ସ୍ୱାମୀକୁ ଛାଡି ଚାଲିଯାଇଥିଲେ ସ୍ତ୍ରୀ। ପରୀକ୍ଷା ଦେବାକୁ କହି ଫେରାର ହୋଇଯାଇଥିଲେ। ସ୍ୱାମୀର କିନ୍ତୁ ମନ ବୁଝୁନି। ସେ ଆଉ କାହା ସହ ଯାଇପାରିବନି ବୋଲି ବିଶ୍ୱାସ ରହିଛି। ଦିନେ ନା ଦିନେ ସେ ଫେରିବ ଏହି ଭରସାରେ ଅଛନ୍ତି ସ୍ୱାମୀ।

author-image
Pramod Behera
ଅଦ୍ୟତନ ହୋଇଛି
Bhadrak married woman flees with unknown person case

Bhadrak married woman flees with unknown person case

ଦୁଇ ବର୍ଷ ନିବିଡ ପ୍ରେମ ପରେ ବିବାହ ହୋଇଥିଲା। ଘରକୁ ନୂଆ ଅତିଥିର ଆଗମନ ହୋଇଥିଲା। କିନ୍ତୁ ହଠାତ ପ୍ରେମ ଉପରେ କଳା ଵାଦଲର ଛାଇ ମାଡି ଆସିଲା। ୬ ମାସର ସୁଖର ସଂସାରରେ କିଏ ଯେପରି ନଜର ଲଗାଇଦେଲା। ସ୍ୱାମୀର ଆଖି ଆଗରେ ଅନ୍ୟତ୍ର ଚାଲିଗଲେ ସ୍ତ୍ରୀ। ଯେତେ ଡାକିଲେ ବି ପଛକୁ ଚାହିଁଲେ ନାହିଁ କି ଶୁଣିଲେ ନାହିଁ। ଚାହୁଁ ଚାହୁଁ ୪ ଦିନ ବିତିଗଲାଣି କିଛି ଖୋଜ ଖବର ନାହିଁ। ଘରେ ସ୍ୱାମୀ କାନ୍ଦି କାନ୍ଦି ସ୍ତ୍ରୀର ବାଟକୁ ଅନାଇ ବସିଛନ୍ତି।

Advertisment

ପରୀକ୍ଷା ଦେବାକୁ ଯାଇ ସ୍ତ୍ରୀ ଫେରାର ହୋଇଯାଇଥିବା ବେଳେ ସ୍ୱାମୀ ଘରେ କାନ୍ଦି କାନ୍ଦି ସ୍ତ୍ରୀର ଅପେକ୍ଷାରେ ଚାହିଁ ବସିଛି। ଏଭଳି ଘଟଣା ଏବେ ଭଦ୍ରକ ଧୁଷୁରି ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧିନ ବଜାରର ଦେବବ୍ରତ ଗୋଛାୟତଙ୍କ ପୁଅ ରାହୁଲ ବ୍ରାହ୍ମଣୀପାଳ ଗ୍ରାମର ବଳରାମ ପଣ୍ଡାଙ୍କ ଝିଅ ହରିପ୍ରିୟାକୁ ୨ ବର୍ଷ ଧରି ଭଲପାଉଥିଲେ। ତେବେ ଉଭୟ ଘରେ ନଜଣାଇ ଫେରାର ହୋଇଯାଇଥିଲେ। ସେମାନେ ଭୁବନେଶ୍ୱରରେ ରହୁଥିବା ବେଳେ କିଛି ଦିନର ବ୍ୟବଧାନ ପରେ ପରିବାର ଲୋକେ ପୁଅର ସନ୍ଧାନ ପାଇଥିଲେ। ପୁଅର ପରିବାର ଲୋକେ ପୁରୀର ନୃସିଂହ ନାଥ ମନ୍ଦିରରେ ଉଭୟଙ୍କ ବିବାହ କରେଇ ଘରକୁ ଆଣିଥିଲେ।

Advertisment

ପୁଅ ବୋହୂ ଖୁସିରେ ଦୀର୍ଘ ୬ ମାସ ଧରି ଘରେ ରହିବା ପରେ ବୋହୂ ହରିପ୍ରିୟା ପାଠ ପଢିବାକୁ ଇଛା କରିଥିଲା। ପରିବାର ଲୋକ ନିକଟସ୍ଥ ଆଖଣ୍ଡଳମଣି ମହାବିଦ୍ୟାଳୟରେ ହରିପ୍ରିୟାକୁ +3 ଆର୍ଟ୍ସରେ ଆଡ୍‌ମିସନ କରାଇଲେ। ପ୍ରତିଦିନ ଭଳି ସାବିତ୍ରୀ ବ୍ରତର ପରଦିନ ଅର୍ଥାତ ମଙ୍ଗଳବାର ପରୀକ୍ଷା ଦେବାକୁ ଯାଇଥିଲା ହରିପ୍ରିୟା ନିଜ ସ୍ୱାମୀଙ୍କ ସ୍କୁଟିରେ ବସି। ପରୀକ୍ଷା ସରିବା ପରେ ସ୍ୱାମୀ କଲେଜରୁ ସ୍ତ୍ରୀକୁ ଆଣିବାକୁ ଗଲେ। ହେଲେ ପରୀକ୍ଷା ହଲ୍‌ରୁ ହରିପ୍ରିୟା ବାହାରିବା ସମୟରେ ଏକ କାର୍ ଆସି ଲାଗିଲା କଲେଜ୍‌ ଗେଟ୍ ସାମ୍ନାରେ। ହରିପ୍ରିୟା କାର୍ ଗେଟ୍‌ ଖୋଲି ସିଧା କାର୍‌ରେ ବସିଲେ ଆଉ କୁଆଡେ ପଳେଇଲେ।

ଏସବୁ ସ୍ୱାମୀ ଆଖି ଆଗରେ ଘଟିଗଲା। ସ୍ୱାମୀ ସ୍ତ୍ରୀ ପିଛା କରି ନିରାଶ ହୋଇ ଘରକୁ ଫେରି ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ଏନେଇ ଧୁଷୁରୀ ଥାନାରେ ଲିଖିତ ଅଭିଯୋଗ କଲେ। ପରେ ପୋଲିସ ୪୪/୨୨ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସେପଟେ ପରିବାର ନିଜ ବୋହୂର ଫେରିବା ବାଟକୁ ଅନେଇ ବସିଥିବା ବେଳେ ସ୍ୱାମୀ ରାହୁଲ ନିଜ ସ୍ତ୍ରୀର ଫଟୋକୁ ଧରି ପାଗଳ ପରି କାନ୍ଧୁଛି ଆଉ ସ୍ତ୍ରୀର ବାଟକୁ ଚାହିଁ ବସିଛି। ସ୍ତ୍ରୀର ବିରହରେ ସ୍ୱାମୀ କ୍ୟାମେରା ଆଗରେ ବାହୁନି ବାହୁନି କହୁଛି “ଫେରିଆ, ତୋ ବିନା ମୁଁ ବଞ୍ଚି ପାରିବିନି”। ସ୍ୱାମୀଙ୍କର ନିଜ ଭଲପାଇବା ଉପରେ ଖୁବ ବିଶ୍ୱାସ ରହିଛି। ତାଙ୍କ ସ୍ତ୍ରୀ ଦିନେ ନା ଦିନେ ତାଙ୍କ ପାଖକୁ ଫେରିଆସିବ ବୋଲି ତାଙ୍କର ବିଶ୍ୱାସ ରହିଛି। ସେ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ଯୁଆଡେ ବି ଯାଇଛନ୍ତି ସେ ପଳେଇ ଆସିବେ।

ହରପ୍ରିୟା ମଧ୍ୟ ଏକ ମାସ ଓ ଆଠ ଦିନର ଗର୍ଭବତୀ ଅଛନ୍ତି। ଏହାକୁ ନେଇ ଦୁହେଁ ବେଶ ଖୁସି ଥିଲେ। ନୂଆ ଅତିଥିର ଅପେକ୍ଷାରେ ପରିବାର ଲୋକେ ଚାହିଁ ବସିଥିଲେ। କିନ୍ତୁ ସେମାନଙ୍କ ସୁଖର ସଂସାରରେ କଳାବାଦଲ ମାଡିଆସିଲା। କୁଆଡେ ଚାଲିଗଲା ତାଙ୍କ ସ୍ତ୍ରୀ। ଏହାକୁ ଝୁରି ଝୁରି ସ୍ୱାମୀ ଆଖିରୁ ଲୁହ ଶୁଖୁନି।

ତେବେ ଏହି ଘଟଣା ପଛରେ ଝିଅର ମା’ର ହାତ ଥିବା ପୁଅର ମା’ ପ୍ରଭାତୀ ଦାସ ସନ୍ଦେହ କରୁଛନ୍ତି। ତାଙ୍କ କହିବା କଥା ବୋହୂ ସବୁବେଳେ ତା’ ମା’ ସହ କଥାହୁଏ। ତେଣୁ ଘରୁ ଫେରାର ହେବା ନେଇ ମା’-ଝିଅ ଯୋଜନା କରିଥାଇ ପାରନ୍ତି ବୋଲି ସେ ସନ୍ଦେହ କରୁଛନ୍ତି।

ଅନ୍ୟ ପଟେ ଝିଅର ବାପା ବଳରାମ ପଣ୍ଡା ଓ ମା’ ମାଳତୀ ଲତା ପଣ୍ଡା କହିଛନ୍ତି ଯେ ସେମାନଙ୍କର ତାଙ୍କ ଝିଅ ସହ କୌଣସି ସଂପର୍କ ନାହିଁ। ଝିଅ ଭଲ ପାଇ ଘର ଲୋକଙ୍କୁ ନ ଜଣେଇ ଚାଲିଯାଇଥିବାରୁ ସେମାନେ ଝିଅ ସହ ସଂପର୍କ କାଟିଦେଇଥିଲେ। ବିବାହ ପର ଠାରୁ ଝିଅ ସହ ସେମାନଙ୍କର କୌଣସି ଯୋଗାଯୋଗ ନଥିବା ସେମାନେ କୁହନ୍ତି।

ତେବେ ଝିଅ କାହା ସହ ପଳେଇଯାଇଥିବାକୁ ନେଇ ପୁଅ ଘର କହୁଥିବା ବେଳେ ତାଙ୍କ ଝିଅକୁ ଅଯଥାରେ ବଦନାମ କରାଯାଉଛି ବୋଲି ଝିଅର ମା’ କହିଛନ୍ତି। ମନ ମାଳିନ୍ୟ ଯୋଗୁଁ ଏପରି ହୋଇଥିବ ବୋଲି ସେମାନେ ସନ୍ଦେହ କରୁଛନ୍ତି। ଝିଅ ପୁଅ ନିଜେ ନିଜେ ଭଲ ପାଇ ଵାହା ହୋଇଛନ୍ତି। ତେଣୁ ସେମାନେ ଏଥିରେ କୌଣସି ହସ୍ତକ୍ଷେପ କରୁ ନଥିବା କହିଛନ୍ତି। ତାଙ୍କ ଝିଅ ପାଠ ପଡ଼ିଛି ତେଣୁ ସେ ତା’ର ଭଵିଷ୍ୟତ କଥା ନିଜେ ଚିନ୍ତା କରିବ। ତା’ର କୁଆଡେ ଯିବା ପଛରେ ସେମାନଙ୍କର କୌଣସି ହାତ ନଥିବା ମାଳତୀ କହିଥିବା ବେଳେ ପରୋକ୍ଷରେ ସେ ପୁଅ ଘର ପ୍ରତି ଆଙ୍ଗୁଳି ଉଠାଇଛନ୍ତି।

ତେବେ ଘଟଣାକୁ ନେଇ ପୋଲିସ୍ ତଦନ୍ତ ଚାଲିଛି। ପୋଲିସର କାର୍ଯ୍ୟ ଧାରା ଉପରେ ଝିଅର ବାପା-ମାଆ ସହିତ ପୁଅ ଓ ତା’ର ବାପା-ମାଆ ଅପେକ୍ଷା କରିଛନ୍ତି।

Married Woman Flees
Advertisment
Advertisment