Advertisment

ଖରାଦିନେ କାମରେ ଆସୁନି ୮୫ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ

ଗାଁ ଗହଳି ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବାକୁ ସରକାରଙ୍କ ବସୁଧା ଯୋଜନା। ହେଲେ ଯଦି ଏହି ମେଗା ପାନୀୟ ଜଳ ପ୍ରକଳ୍ପ କାମରେ ନ ଆସେ, ତେବେ କାହିଁକି ଏ ପ୍ରକଳ୍ପ। ଶୋଷ ମେଣ୍ଟାଇବା ବଦଳରେ ଶୁଷ୍କ ହୋଇ ପଡି ରହିଛି ଭଦ୍ରକ ଜିଲ୍ଲା ବାସୁଦେବପୁରର ୮୫ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ...

author-image
Prangyan Parimita
Special Story

Special Story

ଖରା କରୁଛି କଲବଲ । ପାଣି ପାଇଁ ଛଟପଟ ହେଉଛନ୍ତି ଲୋକେ । ଜଳକଷ୍ଟ ଦୂର ପାଇଁ ସରକାର ଗାଁଠୁ ସହର ସବୁଠି ପାନୀୟ ଜଳ ପ୍ରକଳ୍ପ କରୁଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ପରେବି ଏହା ଲୋକଙ୍କ କାମରେ ଆସୁନି । ଯେମିତିକି ଭଦ୍ରକ ଜିଲ୍ଲା ବାସୁଦେବପୁର ନରସିଂହପୁର ପଞ୍ଚାୟତର ବସୁଧା ପାନୀୟ ଜଳ ପ୍ରକଳ୍ପ। ୮୫ ଲକ୍ଷ ୫୭ ହଜାର ୧୫୪ ଟଙ୍କା ବ୍ୟୟରେ ଏହି ମେଗା ପ୍ରକଳ୍ପ ତିଆରି ହୋଇଥିଲେ ମଧ୍ୟ ଆଜିଯାଏ କାର୍ଯ୍ୟକ୍ଷମ ହୋଇ ପାରିନାହିଁ।

Advertisment

ବସୁଧା ଯୋଜନାରେ ଏକ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଓଭର ହେଡ଼ ଟାଙ୍କି ତିଆରି ହେବା ସହ ଗାଁର ବିଭିନ୍ନ ସ୍ଥାନରେ ଷ୍ଟାଣ୍ଡପୋଷ୍ଟ ବସାଯାଇଛି । ଘରେ ଘରେ ପାଣି ପହଂଚିବ ବୋଲି ବେଶ ଖୁସିଥିଲେ ଗାଁ ଲୋକେ । ହେଲେ ସବୁ ଆଶା ଧୂଳିସାତ ହୋଇଯାଇଛି। ପ୍ରକଳ୍ପ ନିର୍ମାଣ ସରିଥିଲେ ବି ପାଣି ପାଇବାରୁ ବଂଚିତ ନରସିଂହପୁର ପଞ୍ଚାୟତବାସୀ। ଏବେ ଆକାଶ ଚୁମ୍ବି ସୁଉଚ୍ଚ ପାଣି ଟାଙ୍କିଟି ଶୁଖିଲା ପଡ଼ିଛି।

ଖରାଦିନେ ପାଣି ପିଇବାକୁ ଆଶା କରି ଷ୍ଟାଣ୍ଡପୋଷ୍ଟ ପାଖକୁ ଯାଇଥିବା ଲୋକଟି ପାଣି ନ ପାଇ ଶେଷରେ ଫେରିବାକୁ ବାଧ୍ୟ ହେଉଛି। ଏମିତିକି ପାଣି ପାଇଁ ବିଛା ଯାଇଥିବା ପାଇପ ସବୁ ଫାଟି ଗଲାଣି। ଗୋଟିଏ ପଟେ ଖରାଦିନେ ଭୂତଳ ଜଳସ୍ତର କମୁଥିବା ବେଳେ ଅନ୍ୟପଟେ ପ୍ରକଳ୍ପରୁ ପାଣି ମିଳୁ ନଥିବାରୁ ଜଳ ସମସ୍ୟା ଜଟିଳ ହୋଇଛି।

Advertisment

ସମସ୍ୟା ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରି ନାହିଁ ।  ନରସିଂହପୁରବାସୀଙ୍କ ଦୀର୍ଘ ଦୁଇ ବର୍ଷର ସମସ୍ୟା ନେଇ ବିଭାଗୀୟ ଅଧିକାରୀଙ୍କଠାରୁ କୌଣସି ଉତ୍ତର ମିଳିନଥିବା ବେଳେ ସରପଞ୍ଚ କହିଛନ୍ତି, ଆଗାମୀ ୧୫ ଦିନ ମଧ୍ୟରେ ବସୁଧା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ।

ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ତିଆରି ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଯଦି ଖରାଦିନେ ଲୋକଙ୍କ କାମରେ ନ ଆସେ, ତେବେ ଏହାକୁ ସରକାର କାହିଁକି ତିଆରି କରିଛନ୍ତି ବୋଲି ପ୍ରଶ୍ନ ହେଉଛି।

ବାସୁଦେବପୁରରୁ କିରୀଟି ଦାସଙ୍କ ରିପୋର୍ଟ

Special Story
Advertisment
Advertisment