• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କିଏ କହୁଥିଲେ ଚେନ୍ନାଇରୁ ସେ ମୁମ୍ବାଇ ପଳାଇଲେ, ଆଉ କିଏ କହୁଥିଲେ ଆସିବାରେ ବିଳମ୍ବ ହେବ । କିନ୍ତୁ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ଭୁବନେଶ୍ୱରରେ ପହଞ୍ଚିଲେ ଅଭିନେତା ବାବୁସାନ । ବାବୁସାନ ସିନା ପହଞ୍ଚିଗଲେ, କିନ୍ତୁ ଷ୍ଟାର ଘରକଳି ମାମଲାକୁ ନେଇ ଏବେ ହଜାରେ ପ୍ରଶ୍ନ । ତୃପ୍ତି-ପ୍ରକୃତି କଳି ପଛର ସତ କଣ ? କେଉଁ ପରିସ୍ଥିତିରେ ଘଟିଲା ଏମିତି ? ପ୍ରକୃତିଙ୍କ ସହ ପ୍ରକୃତ ସଂପର୍କ କଣ ? ନୋଟିସ କରିଥିବା ପୋଲିସ ବାବୁସାନଙ୍କୁ ଜେରା କରି କି ତଥ୍ୟ ଉଗାଳିବ ? ବାଦ ବିବାଦ ତୁଟାଇ ତୃପ୍ତିଙ୍କ ସହ ଦାମ୍ପତ୍ୟ ଜୀବନକୁ ସ୍ୱାଭାବିକ କରିବେ କି ବାବୁସାନ ? ଏଭଳି ନାନା ପ୍ରଶ୍ନ ଏବେ ଘେରିରହିଛି ବାବୁସାନଙ୍କୁ । ତେବେ ମାଆ ଅପରାଜିତା କହିଛନ୍ତି, ଦୁଇଦିନ ଭିତରେ ବାବୁସାନ୍ ମନକଥା ଖୋଲି କହିବ ।

ଚେନ୍ନାଇରୁ ତୁରନ୍ତ ଫେରିଆସିବାକୁ ବାବୁସାନଙ୍କୁ କେତେ ଅପିଲ, କେତେ ଯେ ନିବେଦନ ହୋଇଥିଲା । ଫ୍ୟାନ କହୁଥିଲେ, ଭାଇ ତୁରନ୍ତ ଫେରିଆସ । ମାଆ ଅପରାଜିତା କହିଥିଲେ, ବାବୁସାନ ତୋତେ ତୋ ପୁଅ ଖୋଜୁଛି ଜଲଦି ଆ । ପ୍ରକୃତିଙ୍କ ବାପା ମନ୍ମଥ ବି ଚାହିଁଥିଲେ ବାବୁସାନ ଫେରିଆସି ତାଙ୍କ ସୁଖର ସଂସାର କରିବାକୁ ।

ଏଭଳି ନିବେଦନ ଓ ଅପିଲ୍ ଭିତରେ ଶେଷରେ ବାବୁସାନ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ା ଗତକାଲି ତାଙ୍କୁ ଚେନ୍ନାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ସାଙ୍ଗରେ ଥିଲେ ବାବୁସାନଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର । କିନ୍ତୁ ଗତରାତିରେ ଯେଉଁ ଫ୍ଲାଇଟରେ ଆସିବାର ଥିଲା, ସେହି ଫ୍ଲାଇଟ୍ ମିସ୍ କରିଯାଇଥିଲେ । ଆଜି ସକାଳେ ଆଉ ଏକ ଫ୍ଲାଇଟ୍‌ରେ ଚେନ୍ନାଇରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ ବାବୁସାନ୍‌ । ଅସମ୍ଭାଳ ଭିଡ଼ ଓ ଠେଲାପେଲା ଭିତରେ ମିଡ଼ିଆକୁ ପ୍ରତିକ୍ରିୟା ଦେଇ କହିଥିଲେ, ଯେତେବେଳେ ଯାହା କହିବା କଥା କହିବି, ପ୍ରଥମେ ମୁଁ ମୋ ବାପା, ମାଙ୍କ ପାଖକୁ ଯାଉଛି । ଏତିକି କହି ସିଧାସଳଖ ଜଗନ୍ନାଥ ବିହାରରେ ରହୁଥିବା ଉତ୍ତମ-ଅପରାଜିତାଙ୍କ ଘରକୁ ଯାଇଥିଲେ ବାବୁସାନ ।

 

ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଅଭିନେତା ବାବୁସାନ ତ ପହଞ୍ଚିଲେ, କିନ୍ତୁ ଏକାଧିକ ଅସମାହିତ ପ୍ରଶ୍ନ ଏବେ ଘେରିରହିଛି ତାଙ୍କୁ । ଗଣମାଧ୍ୟମ ପ୍ରତିନିଧି କିଛି ପ୍ରଶ୍ନର ଉତ୍ତର ପାଇବାକୁ ଜଗନ୍ନାଥ ବିହାର ଘର ସାମ୍ନାରେ ଆଜି ଦିନତମାମ ଡେରା ପକାଇଥିଲେ । ଫ୍ୟାନଙ୍କ ବି ଭିଡ଼ ଜମିଥିଲା । ଶେଷରେ ବାବୁସାନଙ୍କ ମାଆ ଅପରାଜିତା ଏକ ଭିଡ଼ିଓ ଜାରି କରି କହିଥିଲେ । ଦୁଇଦିନ ଭିତରେ ବାବୁସାନ ନିଜ ମନକଥା ଖୋଲିକି କହିବେ ।

ବାବୁସାନ-ତୃପ୍ତି-ପ୍ରକୃତି କଳି ଭିତରେ ବାବୁସାନଙ୍କୁ ବି ନୋଟିସ୍ କରିଛି ଖାରବେଳନଗର ପୋଲିସ । ତେଣୁ ଗତକାଲି ପ୍ରକୃତିଙ୍କୁ ଘଣ୍ଟାଏ ଧରି ପଚରାଉଚରା ପରେ ଏବେ ବାବୁସାନଙ୍କ ପାଳି । ସତ୍ୟନଗର ଗେଷ୍ଟହାଉସ୍ ସାମ୍ନାର କଳି ପଛର ସତ କଣ ? ପ୍ରକୃତି ସହ ବାବୁସାନଙ୍କ କି ସମ୍ପର୍କ ? ପ୍ରକୃତିଙ୍କୁ କାହିଁକି ସାଙ୍ଗରେ ନେଇ ଚେନ୍ନାଇ ଯାଇଥିଲେ ବାବୁସାନ ? ଚେନ୍ନାଇରେ ପ୍ରକୃତିଙ୍କ ସହ ଗୋଟିଏ ହୋଟେଲ୍‌ରେ ଥିଲେ କି ? ପ୍ରକୃତି ବାବୁସାନଙ୍କୁ ବ୍ଲାକମେଲିଂ କରୁଥିଲେ କି ? ପତ୍ନୀଙ୍କ ପାଖେ ନରହିବାକୁ ପ୍ରବର୍ତ୍ତାଉଥିଲେ କି ପ୍ରକୃତି ? ବାବୁସାନ ଓ ପ୍ରକୃତିଙ୍କ ପରିବାର ମଧ୍ୟରେ କି ଆଲୋଚନା ହୋଇଥିଲା ? ବାବୁସାନଙ୍କୁ ନିଶା ଦିଆଯାଉଥିବା ନେଇ ପତ୍ନୀ ତୃପ୍ତିଙ୍କ ଅଭିଯୋଗ ପଛର ସତ କଣ ? ଏଭଳି ସମ୍ଭାବ୍ୟ ପ୍ରଶ୍ନକୁ ଧରି ପୋଲିସ ଆସନ୍ତାକାଲି ବାବୁସାନଙ୍କୁ ଜେରା କରିପାରେ । ପୋଲିସ ତାଙ୍କ ଘରକୁ ଯାଇପାରେ କିମ୍ବା ଥାନାକୁ ଡକାଇ ଜେରା କରିପାରେ ବୋଲି ଚର୍ଚ୍ଚା ହେଉଛି ।

ବାବୁସାନ-ତୃପ୍ତି-ପ୍ରକୃତି କଳିକୁ ନେଇ ଦୁଇ ଦୁଇଟି ପ୍ରତିଷ୍ଠିତ କଳାକାର ପରିବାରରେ ଛିଡ଼ା ହୋଇଛି ବିବାଦ । ଏହି ବିବାଦ ଆଗକୁ କି ରୂପ ନେବ ? ଉଭୟ ପରିବାର ମଧ୍ୟରେ ଆପୋଷ ସମାଧାନ ହୋଇ ବାବୁସାନଙ୍କ ଦାମ୍ପତ୍ୟ ଜୀବନ ପୁଣି ଟ୍ରାକ୍‌କୁ ଫେରିବ କି ? ସ୍ୱାଭାବିକ ହେବ କି ତୃପ୍ତି-ବାବୁସାନଙ୍କ ସାଂସାରିକ ଜୀବନ ? 

ରିପୋର୍ଟର- ଗୌତମ ପଣ୍ଡା, ବିବର୍ତ୍ତନ ପଣ୍ଡା, ଆଲୋକ ମହାନ୍ତି