• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଚେନ୍ନାଇରୁ ଫେରିବା ପରେ ସିଧା ବାପା-ମାଆଙ୍କ ପାଖକୁ ଚାଲିଯାଇଥିଲେ ବାବୁସାନ୍ । ଗଣମାଧ୍ୟମ ପ୍ରତିନିଧି ଅପେକ୍ଷା କରିଥିଲେ କେବେ ପ୍ରତିକ୍ରିୟା ରଖିବେ ବାବୁସାନ । ଫ୍ୟାନ୍‌ ବି ଘଂଟା ଘଂଟା ଧରି ଅପେକ୍ଷା କରିଥିଲେ ଜଗନ୍ନାଥ ବିହାର ସ୍ଥିତ ଘର ଆଗରେ । ଆଜି ମା ଅପରାଜିତାଙ୍କ ସହ ଘର ବାଲକୋନିକୁ ଆସି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ବାବୁସାନ୍ । ସେ କହିଛନ୍ତି ଯେ, ସେ ଠିକ୍ ସମୟରେ ଠିକ୍ ଜିନିଷ କହିବେ । ହେଲେ ସେ କେବେ ପତ୍ନୀ ତୃପ୍ତି ଓ ପୁଅ ପାଖକୁ ଯାଉଛନ୍ତି, ତାଉପରେ ସମସ୍ତଙ୍କ ନଜର ରହିଛି । ଏଥିସହ ପ୍ରଶ୍ନ ଉଠିଛି, କେବେ ବାବୁସାନଙ୍କୁ ପଚରାଉଚରା କରିବ ପୋଲିସ ?

ଚେନ୍ନାଇରୁ ଫେରିବାର ୨୪ ଘଂଟା ପରେ ବାଲକୋନିକୁ ଆସିଲେ ବାବୁସାନ । ସାଙ୍ଗରେ ମାଆ ଅପରାଜିତା ମଧ୍ୟ ଥିଲେ । ନମସ୍କାର କରି  ବାବୁସାନ ଧନ୍ୟବାଦ ଜଣାଇଥିଲେ । ଗଣମାଧ୍ୟମ ଓ ଘଂଟା ଘଂଟା ଧରି ଅପେକ୍ଷାରତ ଫ୍ୟାନଙ୍କୁ କହିଥିଲେ, ପରିବାର ପାଖରେ ଥିବାରୁ ଖୁସି ଅଛି, ଠିକ୍ ସମୟରେ ଠିକ୍ ଜିନିଷ କହିବି । ସେପଟେ ମାଆ ଅପରାଜିତା କହିଥିଲେ, ଦେହ ଅସୁସ୍ଥ ଥିବାରୁ ଏବେ ସେ କିଛି କହିବେ ନାହିଁ । ଦୁଇ ଦିନ ପରେ ଗଣମାଧ୍ୟମକୁ ଭେଟି ପ୍ରତିକ୍ରିୟା ଦେବେ ।

ପରିବାର ସହ ଖୁସିରେ ଅଛନ୍ତି ବାବୁସାନ୍ ହେଲେ ସେ କେବେ ଫେରିବେ ତାଙ୍କ ପତ୍ନୀ ଓ ପୁଅ ପାଖକୁ ? କେବେ ପୁଣି ତାଙ୍କ ସଂସାର ହସଖୁସିରେ ଭରିଯିବ । ପିଲାଦିନର ସାଙ୍ଗ ଥିଲେ ତୃପ୍ତି । ପରେ ନିବିଡ ସମ୍ପର୍କ ଆଉ ତାପରେ ସାତ ଜନ୍ମର ସାଥୀ । ୨୦୧୪ ଜୁଲାଇ ୬ରେ ବାହାଘର ପରେ ବାବୁସାନ ଓ ତୃପ୍ତିଙ୍କ ମଧ୍ୟରେ ସବୁ କିଛି ଠିକଠାକ୍ ଚାଲିଥିଲା । ହେଲେ ୮ ବର୍ଷର ସମ୍ପର୍କ ବିଗିଡ଼ିବାକୁ ଯେପରି ୮ ସେକେଣ୍ଡ ବି ଲାଗିନଥିଲା । ପ୍ରାଣରୁ ଅଧିକ ଭଲ ପାଉଥିବା ପତ୍ନୀ ତୃପ୍ତିଙ୍କ ସହ ବାଦ ବିବାଦ ତୁଟାଇ ଏବେ ଦାମ୍ପତ୍ୟ ଜୀବନକୁ ସ୍ୱାଭାବିକ କରିବେ କି ବାବୁସାନ ? ଫ୍ୟାନ ବି ଉଭୟଙ୍କ ମଧ୍ୟରେ ଚାଲିଥିବା ବିବାଦର ଶୀଘ୍ର ସମାଧାନ ନେଇ ଆଶା ବାନ୍ଧି ବସିଛନ୍ତି ।

 

ସେପଟେ ପ୍ରକୃତିଙ୍କ ପକ୍ଷରୁ ହୋଇଥିବା ମାମଲାରେ ତୃପ୍ତି ଶତପଥୀଙ୍କୁ ପୋଲିସ ପଚରାଉଚୁରା କରିସାରିଛି । ଏବେ ପାଳି ବାବୁସାନଙ୍କର । ତୃପ୍ତିଙ୍କ ଏତଲା ଆଧାରରେ ବାବୁସାନଙ୍କୁ ନୋଟିସ କରିଛି ଖାରବେଳ ନଗର ପୋଲିସ । ଖୁବଶୀଘ୍ର ଥାନାକୁ ଡାକି ବାବୁସାନଙ୍କୁ ଜେରା କରିପାରେ ପୋଲିସ । ତେବେ ଏହା ପୂର୍ବରୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିସାରିଛନ୍ତି ବାବୁସାନ । ତାଙ୍କ ନାଁରେ ଦଫା ୪୯୮(କ) ଅର୍ଥାତ୍ ପତ୍ନୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।

ଏହାରି ଭିତରେ ବଲିଉଡ ଭଳି ଓଲିଉଡରେ ବି ଡ୍ରଗ୍ସ କାରବାର ଚାଲିଥିବା ଅଭିଯୋଗ ଆଣିଛି କଳିଙ୍ଗ ସେନା । ଏନେଇ ଖାରବେଳନଗର ଥାନାରେ କଳିଙ୍ଗ ସେନା ପକ୍ଷରୁ ଏତଲା ଦିଆଯାଇଛି ।

ରିପୋର୍ଟର- ନିରଂଜନ ରେଡ୍ଡି, ଆଲୋକ ମହାନ୍ତି, ଗୌତମ ପଣ୍ଡା